‘ଗଭର୍ଣ୍ଣର ଅଫ ଦି ଇୟର’ ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ଶକ୍ତିକାନ୍ତ ଦାସ

ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ଣ୍ଣର ଅଫ ଦି ଇୟର’ ସମ୍ମାନରେ ସମ୍ମାନିତ କରାଯାଇଛି । ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ପବ୍ଲିକେସନ ତାଙ୍କୁ ଏହି ସମ୍ମାନର ସମ୍ବର୍ଦ୍ଧିତ କରିଛନ୍ତି । ପୂର୍ବତନ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଅଚାନକ ଇସ୍ତଫା ପରେ ଶକ୍ତିକାନ୍ତ ଦାସଙ୍କୁ ଗଭର୍ଣ୍ଣର କରାଯାଇଥିଲା । ଏହା ପରେ କରୋନା ଭାଇରସ ମହାମାରୀ,ଋଷିଆ-ୟୁକ୍ରେନ ଯୁଦ୍ଧ ଓ ଆର୍ଥିକ ମନ୍ଥରତା ଭଳି ଆହ୍ୱାନକୁ ଦାସ ତାଙ୍କ କାର୍ଯ୍ୟକାଳରେ ସଫଳତାର ସହ ମୁକାବିଲା କରିଛନ୍ତି । ପବ୍ଲିକ ପଲିସି ଓ ଫାଇନାନସିଆଲ ମାର୍କେଟ ସମ୍ପର୍କିତ ପବ୍ଲିକେଶନ ହେଉଛି ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ପବ୍ଲିକେସନ । ସାରା ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କ ଓ ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥାନଙ୍କ ଉପରେ ଏହି ପବ୍ଲିକେସନର ନଜର ରହିଥାଏ । ଏହା ପୂର୍ବରୁ ୨୦୧୫ ମସିହାରେ ଏହି ପବ୍ଲିକେସନ ଆରବିଆଇଙ୍କ ତତକାଳୀନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ‘ଗଭର୍ଣ୍ଣର ଅଫ ଦି ଇୟର’ ସମ୍ମାନରେ ସମ୍ମାନୀତ କରିଥିଲା । ପବ୍ଲିକେସନ ଶକ୍ତିକାନ୍ତ ଦାସଙ୍କୁ ଆୱାର୍ଡ ନୋଟ୍ରେ ୧୦ ବର୍ଷରେ ଭାରତର ଜିଡିପି ୯୦ ପ୍ରତିଶତ ବଢିଥିବାଓ ପ୍ରତି ବ୍ୟକ୍ତି ଆୟରେ ୭୦ ପ୍ରତିଶତ ଅଭିବୃଦ୍ଧି ହୋଇଥିବା ଉଲ୍ଲେଖ କରିଛନ୍ତି । ଦେଶର ପ୍ରତିବ୍ୟକ୍ତି ଆୟ ଏବେ ବାର୍ଷିକ ୨୪୦୦ ଡଲାର ରହିଛି । ୨୦୧୦ ମସିହାରେ ଏହା ୧୦୦୦ ଡଲାର ରହୁଥିଲା । କରୋନା ଭାଇରସ ମହାମାରୀ କାଳରେ ଅର୍ଥବ୍ୟବସ୍ଥାକୁ ସଂକଟରୁ ରକ୍ଷା କରିବା ପାଇଁ ତଥା ଏହାକୁ ଗତି ଦେବା ଲାଗି ଆରବିଆଇ ବେଞ୍ଚମାର୍କ ଲେଣ୍ଡିଂ ହାରରେ ହ୍ରାସ କରିଥିଲେ । ଏହା ଛଡା ସାଧାରଣ ଲୋକଙ୍କୁ କିଛି ମାସ ଲାଗି ଇଏମଆଇ ଛାଡର ନିଷ୍ପତ୍ତି ସହିତ ସୁଧହାରରେ ମଧ୍ୟ ରିହାତି ଦେଇଥିଲେ । କୋଭିଡ ମହାମାରୀ ଭଳି ସଂକଟର ମୁକାବିଲା ଲାଗି ଶକ୍ତିକାନ୍ତ ଦାସଙ୍କର ବଡ଼ ଭୂମିକା ଥିଲା ବୋଲି ପବ୍ଲିକେସନ କହିଛନ୍ତି । ଆରବିଆଇ ଗଭର୍ଣ୍ଣର ରୂପେ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳରେ ଦେଶରେ ୟୁପିଆଇ ପେମେଣ୍ଟର ବିସ୍ତାର ହୋଇଛି ।

Leave A Reply

Your email address will not be published.

eight − one =