ଚୀନର ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠରୁ ମାଟି ଏବଂ ଆବର୍ଜନାରୁ ନମୁନା ସଂଗ୍ରହ କରି ପୃଥିବୀ ପୃଷ୍ଠକୁ ଫେରିଛି। ଚୀନର ସରକାରୀ ଗଣମାଧ୍ୟମ ଏ ନେଇ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ଯେ, ଚୀନର ଚନ୍ଦ୍ରଯାନ ଚାଙ୍ଗ୍-ଇ-୫ ମଙ୍ଗୋଲିଆ ଅଞ୍ଚଳର ସିଜିୱାଙ୍ଗ ଜିଲାରେ ଗୁରୁବାର ଅବତରଣ କରିଛି। ଅବତରଣ ପୂର୍ବରୁ କ୍ୟାପ୍ସୁଲ ନିଜ କକ୍ଷପକ୍ଷରୁ ଅଲଗା ହୋଇ ପୃଥିବୀରେ ପ୍ରବେଶ କରିଥିଲା। ଚାଙ୍ଗ୍-ଇ-୫ର ଚାରୋଟି ମଡ୍ୟୁଲ୍ ମଧ୍ୟରୁ ଦୁଇଟି ଡିସେମ୍ବର ୧ ରେ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଥିଲା ଏବଂ ସେମାନେ ପ୍ରାୟ ୨ କିଲୋଗ୍ରାମ ନମୁନା ଖନନ କରି ସଂଗ୍ରହ କରିଥିଲେ। ଏହି ନମୁନାଗୁଡିକ ସିଲ୍ ପାତ୍ରରେ ରଖାଯାଇ ରିଟର୍ନ ମଡ୍ୟୁଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଚାଙ୍ଗ୍-ଇ-୫ ହେଉଛି ଚାଇନାର ତୃତୀୟ ଯାନ ଯାହା ଚନ୍ଦ୍ର ପୃଷ୍ଠରେ ପହଞ୍ଚିଛି । ଚୀନ୍ର ମହତ୍ଵାକାଂକ୍ଷୀ ମହାକାଶ କାର୍ଯ୍ୟକ୍ରମକୁ ଆଗକୁ ନେବା ଲାଗି ଏହା ଏକ ନୂଆ ଅଭିଯାନ ଥିଲା। ଏହି ଅଭିଯାନର ଏକ ଅଂଶ ଭାବରେ ପଠାଯାଇଥିବା ଚାଙ୍ଗ୍-ଇ-୪ ଚନ୍ଦ୍ରର ଦୂରବର୍ତ୍ତୀ ଅଞ୍ଚଳରେ ପହଞ୍ଚିଥିବା ପ୍ରଥମ ଯାନ ଥିଲା। ଏହାପୂର୍ବରୁ ସୋଭିଏଟ୍ ୟୁନିୟନ ଦ୍ବାରା ପଠାଯାଇଥିବା ମହାକାଶ ଯାନ ଲୁନା-୨୪ ଜରିଆରେ ସୋଭିଏଟ୍ ବୈଜ୍ଞାନିକମାନେ ଚନ୍ଦ୍ରରୁ ନମୁନା ସଂଗ୍ରହ କରିବାରେ ସଫଳ ହୋଇଥିଲେ।