ଚୀନକୁ ବିଶ୍ୱାସ କରିପାରୁନି ଭାରତ

ନୂଆଦିଲ୍ଳୀ: ଲଦାଖର ଗଲୱାନ ଉପତ୍ୟକାରୁ ଚୀନ ସେନା ପଛକୁ ହଟିଥିଲେ ମଧ୍ୟ ଅବିଶ୍ୱାସର ବାତାବରଣ ଦୂର ହୋଇନାହିଁ । ଚୀନ ଉପରେ ଭାରତ ବିଶ୍ୱାସ କରିପାରୁ ନଥିବାରୁ ପୁନର୍ବାର ସୀମାନ୍ତକୁ ଅଞ୍ଚଳକୁ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ପ୍ରେରଣ କରିଛି । ସେହିପରି ସୀମାନ୍ତରେ ଭାରତୀୟ ବାୟୁସେନାର ଲଢୁଆ ବିମାନ ମଧ୍ୟ କଡା ପ୍ରହରା ଦେଉଛି । ଗତକାଲି ସୀମାନ୍ତରେ ଭାରତ ଚୀନର ସମ୍ଭାବ୍ୟ ମୁକାବିଲା ପାଇଁ ସଶସ୍ତ୍ର ସାମରିକ ଯାନ ଓ ଅଧିକ ସୈନ୍ୟ ମୁତୟନ କରିଛି । ଏଗୁଡିକୁ ଦାରବୁକ-ଶ୍ୟୋକ-ଦଉଲତ ବେଗ୍ ଓଲ୍ଡି ସଡକ ନିକଟରେ ମୁତୟନ କରାଯାଇଛି । ଚୀନ ପ୍ରଥମ ଥର ପାଇଁ ଦୁଇ ଦିନ ପୂର୍ବେ ଅଧିକ ୫ହଜାର ସୈନ୍ୟ ପଠାଇଥିବା ସ୍ୱୀକାର କରିବା ପରେ ହୁଏତ ଭାରତ ଏଭଳି ପଦକ୍ଷେପ ନେଇଥିବା ସୂଚନା ମିଳିଛି । ଏହି ସଶସ୍ତ୍ର ସାମରିକ ଯାନରୁ ଟ୍ୟାଙ୍କ ବିଧ୍ୱଂଶୀ କ୍ଷେପଣାସ୍ତ୍ର ଓ ରକେଟ୍ ନିକ୍ଷେପ ସହିତ ଗୋଳା ବର୍ଷର କରାଯାଇପାରିବ । ଏତଦ୍ବ୍ୟତୀତ ଶତ୍ରୁ ଆକ୍ରମଣରୁ ରକ୍ଷା ପୂର୍ବକ ନିଜ ଭିତରେ ସୈନ୍ୟଙ୍କୁ ସୁରକ୍ଷିତ ଭାବେ ଧରି ଆକ୍ରମଣ ଜାରି ରଖିପାରିବ । ମେସିନ୍ ଗନ୍ ଭାବେ ମଧ୍ୟ ଏହା ବ୍ୟବହାର ହୋଇପାରିବ । ଏହି ଯାନ ମଧ୍ୟରେ ରହିଛି ଶରତ ବିଏମ୍ପି-୨, ଯାହା ସମ୍ପ୍ରତି ଭାରତର ସର୍ବାଧୁନିକ ଯୁଦ୍ଧ ଯାନ । ଏହା ଯୁଦ୍ଧ କ୍ଷେତ୍ରରେ ଘଂଟା ପ୍ରତି ପ୍ରାୟ ୬୫ କି.ମି ବେଗରେ ଗତି କରିପାରେ । ପାଣି ଉପରେ ମଧ୍ୟ ଗତିକରିବା କ୍ଷମତା ସହ ଯେକୌଣସି ରାସ୍ତାରେ ଗଡିବାର ଦକ୍ଷତା ରଖିଛି । ଲଦାଖରେ ମୁତୟନ ଥିବା ଭାରତର ୩୦ ହଜାର ସୈନ୍ୟଙ୍କୁ ଏହା ସହାୟତା ପ୍ରଦାନ କରିବ ।
ସୂଚନାଯୋଗ୍ୟ ଯେ, ୧୯୬୨ ମସିହାରେ ପ୍ରଥମେ ଚୀନ ଶାନ୍ତିର କଥାକହି ହଠାତ୍ ଭାରତ ଉପରେ ଆକ୍ରମଣ କରିଥିଲ । ଯାହାକି ଏପର୍ଯ୍ୟନ୍ତ ଭାରତ ଭୁଲିପାରି ନାହିଁ ।

Leave A Reply

Your email address will not be published.

seventeen − two =