ଶ୍ରୀହରିକୋଟା : ଭାରତର ଉଚ୍ଚାଭିଳାଷୀ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରୟାନ-୩’ ଆସନ୍ତା ଜୁଲାଇରେ ଉତକ୍ଷେପଣ ହେବ । ଏଥିପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କୁହାଯାଇଛି । ୟୁଆର୍ ରାଓ ସାଟେଲାଇଟ୍ ସେଣ୍ଟରରେ ଏହି ମହାକାଶ ଯାନରେ ବୈଜ୍ଞାନିକ ଉପକରଣ ଖଞ୍ଜାଯିବାର ଅନ୍ତିମ ପ୍ରକ୍ରିୟା ଚାଲିଛି । ଚନ୍ଦ୍ରୟାନ-୩ ଚନ୍ଦ୍ରଲୋକରେ ଅବତରଣ କରିବା ପରେ ଏହା ଚନ୍ଦ୍ରପୃଷ୍ଠର ଉପର ସ୍ତର ମୃତ୍ତିକାର ଭୌତିକ ଗୁଣ ଉପରେ ଅନୁଧ୍ୟାନ କରିବ । ପୃଥିବୀରେ ଭୂକମ୍ପ ପରି ଚନ୍ଦ୍ରରେ କିପରି କମ୍ପନ ହୁଏ ତାହା ଉପରେ ଅନୁଧ୍ୟାନ କରିବ । ତା’ର ପୃଷ୍ଟିୟ ପରିବେଶ ଓ ପୃଷ୍ଟିୟ ଗାଠନିକ ଉପାଦାନଗୁଡ଼ିକ ଉପରେ ମଧ୍ୟ ବିଶ୍ଳେଷଣ କରିବ । ଆସନ୍ତା ଜୁଲାଇ ମାସରେ ଉକ୍ତ ମହାକାଶଯାନ ଉତକ୍ଷେପଣ ହେବାର ଯୋଜନା ରହିଛି । ଏହା ଜୁଲାଇ ପ୍ରଥମ ବା ଦ୍ୱିତୀୟ ସପ୍ତାହରେ ଉତକ୍ଷେପଣ ହେବ ଏବଂ ତାରିଖ ଠିକ୍ କରାଯାଇ ନାହିଁ ବୋଲି ଇସ୍ରୋର ଜନୈକ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ-୩ର ଉତକ୍ଷେପଣ କରାଯିବ ବୋଲି ସେ କହିଛନ୍ତି ।