ଟିକା ଅଭାବ ପାଇଁ କେନ୍ଦ୍ରକୁ ଦାୟୀ କଲା ସିରମ୍‌

ମୁମ୍ବାଇ : ଦେଶରେ ଲାଗି ରହିଥିବା କରୋନା ଟିକା ଅଭାବ ସମସ୍ୟା ପାଇଁ କେନ୍ଦ୍ର ସରକାରଙ୍କୁ ପରୋକ୍ଷ ଭାବେ ଦାୟୀ କରିଛି ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ । ଟିକାକରଣରେ କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ପରିଚାଳନାଗତ ବ୍ୟବସ୍ଥା ଯୋଗୁ ଆଜି ଏଭଳି ଅବସ୍ଥା ଉପୁଜିଥିବା ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏନ୍‌ଆଇଆଇ)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶ ଜାଧବ କହିଛନ୍ତି । ସେ କହିଛନ୍ତି, ଟିକାକରଣ ଅଭିଯାନକୁ ବସ୍ତାର କରିବା ସମୟରେ ସରକାର ଟିକାର ଉପଲବ୍ଧ ଷ୍ଟକ୍ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ)ର ନିର୍ଦ୍ଦେଶାବଳୀ ପ୍ରତି ଧ୍ୟାନ ଦେଲେନାହିଁ ।
ଏହି କାର୍ଯ୍ୟକ୍ରମରେ ଯାଧବ କହିଛନ୍ତ, ଡବ୍ଲ୍ୟୁଏଚଓର ନିର୍ଦ୍ଦେଶାବଳୀକୁ ଦୃଷ୍ଟିରେ ରଖି ସେହି ଅନୁସାରେ ହିଁ ଟିକାକରଣରେ ଲୋକଙ୍କୁ ପ୍ରାଥମିକତା ଦେବା ଆବଶ୍ୟକ ଥିଲା । ପ୍ରାରମ୍ଭିକ ସମୟରେ ୩୦୦ ନିୟୁତ ବା ୩୦ କୋଟି ଲୋକଙ୍କୁ ଟିକା ଦିଆଯିବାର ଥିଲା, ଯେଉଁଥିପାଇଁ ୬୦୦ ନିୟୁତ ବା ୬୦କୋଟି ଟିକା ଜରୁରୀ ଥିଲା ।
ସେ ଆହୁରି କହିଛନ୍ତି ଯେ, ଆମେ ଟାର୍ଗେଟ୍‌ରେ ପହଞ୍ଚିବାହ ପୂର୍ବରୁ ହିଁ ସରକାର ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଟିକାକରଣ ସହିତ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଟିକା ଦେବାକୁ ଘୋଷଣା କରିଦେଲେ । ଆମ ପାଖରେ ଏତେ ମାତ୍ରାରେ ଟିକା ନଥିବା ଜାଣିବା ସତ୍ୱେ ସରକାର ଏହି ପଦକ୍ଷେପ ନେଲେ । ଆମକୁ ଉତ୍ପାଦର ଉପଲବ୍ଧତାକୁ ଦୃଷ୍ଟିରେ ରଖିବା ସରକାର ଏବଂ ନ୍ୟାୟସଙ୍ଗତ ପଦ୍ଧତିରେ ତାହାର ବ୍ୟବହାର କରିବା ଆବଶ୍ୟକ ।
ଜାଧବ କହିଛନ୍ତି, ଟିକାକରଣ ଜରୁରୀ, କିନ୍ତୁ ଟିକା ନେବା ପରେ ଲୋକ ସଂକ୍ରମିତ ହେଉଛନ୍ତି । ତେଣୁ ଲୋକଙ୍କୁ ସତର୍କ ରହିବା ଜରୁରୀ । ଟିକାକରଣ ପରେ କରୋନା ନିର୍ଦ୍ଦେଶାବଳୀକୁ ପାଳନ କରିବା ଆବଶ୍ୟକ । ଭୂତାଣୁର ଡବଲ ମ୍ୟୁଟାଂଟକୁ ନଷ୍ଟ କରିଦିଆଯାଇଛି । ତଥାପି ନୂଆ ଭାରିଆଂଟ ସମସ୍ୟା ସୃଷ୍ଟି କରିପାରେ । କେଉଁ ଟିକା ପ୍ରଭାବୀ ଏବଂ କେଉଁଟି ନୁହେଁ ତାହା ତରବରିଆ ଭାବେ କହିବା ବର୍ତମାନ ଠିକ୍ ହେବ ନାହିଁ । ସିଡିସି ଏବଂ ଏନ୍‌ଆଇଏଚ ମୁତାବକ ଯେକୌଣସି ଟିକା ଉପଲବ୍ଧ ରହିଛି ତାହା ନେବା ଜରୁରୀ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

4 × two =