ଡ.ଅଜିତ୍ ମହାନ୍ତି ‘ଆଟମିକ୍ ଏନର୍ଜି କମିସନ୍’ର ଅଧ୍ୟକ୍ଷ

ନୂଆଦିଲ୍ଲୀ : ‘ଆଣବିକ ଶକ୍ତି ବିଭାଗ’ର ସଚିବ ଏବଂ ‘ଆଣବିକ ଶକ୍ତି କମିସନ୍’ର ଅଧ୍ୟକ୍ଷ ଭାବେ ‘ଭାବା ଆଟମିକ୍ ରିସର୍ଚ ସେଣ୍ଟର୍’ର ନିର୍ଦେଶକ ଡକ୍ଟର ଅଜିତ କୁମାର ମହାନ୍ତିଙ୍କୁ ନିଯୁକ୍ତ କରାଯାଇଛି । ଶନିବାର ଦିନ କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ଡକ୍ଟର ମହାନ୍ତିଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିଲା । ସେ ଉପରୋକ୍ତ ପଦବୀରେ ୬୬ ବର୍ଷ ବୟସ ପର୍ଯ୍ୟନ୍ତ ଅର୍ଥାତ୍ ୨୦୨୫, ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ କିଂବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ରହିବେ ବୋଲି ଶନିବାର ଦିନ ଜାରି ହୋଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ଅଛି । ସୂଚନାଯୋଗ୍ୟ, ଡକ୍ଟର୍ ଅଜିତ କୁମାର ମହାନ୍ତିଙ୍କୁ ୨୦୧୯ ମାର୍ଚ ୧୨ ତାରିଖରେ ‘ଭାବା ଆଟମିକ୍ ରିସର୍ଚ ସେଣ୍ଟର୍’ର ୧୩ଶ ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା । ୧୯୫୯ ଜନ୍ମିତ ଡକ୍ଟର ମହାନ୍ତି ୧୯୭୯ରେ ବାରିପଦାସ୍ଥିତ ‘ଏମ୍. ପି. ସି. କଲେଜ’ରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଏବଂ ୧୯୮୧ରେ କଟକସ୍ଥିତ ରେଭେନ୍ସା କଲେଜରୁ ସ୍ନାତକୋତ୍ତର କରିଥିଲେ । ଏହାପରେ, ‘ଭାବା ଆଟମିକ୍ ରିସର୍ଚ ସେଣ୍ଟର୍’ର ଟ୍ରେନିଙ୍ଗ୍ ସ୍କୁଲରୁ ୨୬ତମ ବ୍ୟାଚରେ ସ୍ନାତକ ହାସଲ କରି ୧୯୮୩ରେ ସେ ‘ଭାବା ଆଟମିକ୍ ରିସର୍ଚ ସେଣ୍ଟର୍’ର ‘ନ୍ୟୁକ୍ଲିୟର୍ ଫିଜିକ୍ସ ଡିଭିଜନ୍’ରେ ଯୋଗ ଦେଇଥିଲେ । ଏହାଛଡ଼ା, ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ସେ ଡକ୍ଟରେଟ୍ ପାଇଥିଲେ । ଆଟମିକ୍ ଏନର୍ଜି କମିଶନର ଅଧ୍ୟକ୍ଷ ଏବଂ ସଚିବ ହେବାରେ ଡ.ମହାନ୍ତି ହେଉଛନ୍ତି ପ୍ରଥମ ଓଡ଼ିଆ । ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କୁ ଅଭିନନ୍ଦନ ଜଣାଇ ତାଙ୍କର ଉତୋରତୋର ଉନ୍ନତି କାମନା କରିଛନ୍ତି ।

Leave A Reply

Your email address will not be published.

5 × 2 =