ଥରାଇଲା କରୋନା ଦୈନିକ ସଂକ୍ରମଣ ୨୦ହଜାର ମୁହାଁ
ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨୦ହଜାର ନିକଟତର ହୋଇଛି । ଗତ ଦୁଇଦିନ ହେଲା ନିୟମିତ ଭାବେ ୧୯ ହଜାରରୁ ଅଧିକ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ୨୪ଘଂଟାରେ ୧୯ହଜାର ୪୫୯ କରୋନା ପଜିଟିଭ ବାହାରିଥିବା ବେଳେ ମୋଟ ରୋଗୀ ସଂଖ୍ୟା ୫ଲକ୍ଷ ୪୮ ହଜାର ୩୧୮କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ଗୋଟିଏ ଦିନରେ ୩୮୦ ରୋଗୀ ପ୍ରାଣ ହରାଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୬ ହଜାର ୪୭୫ରେ ପହଂଚିଛି । ଏବେ ୨ଲକ୍ଷ ୧୦ ହଜାର ୧୨୦ରୋଗୀ ସକ୍ରିୟ ଥିବା ବେଳେ ୩ ଲକ୍ଷ ୨୧ ହଜାର ୭୨୩ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ବିଶ୍ୱରେ ୧,୭୬,୫୬୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗୋଟିଏ ଦିନରେ ୪୫୪୭ଜଣ ଏହି ମାରାତ୍ମକ ରୋଗରେ ମୃତ୍ୟୁବରଣ କରିଛନ୍ତି । ଫଳରେ ବିଶ୍ୱରେ କରୋନାଜନିତ ମୃତ୍ୟୁସଂଖ୍ୟା ୫ ଲକ୍ଷ ଟପିଯାଇଛି । ସେହିଭଳି ବିଶ୍ୱରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୧କୋଟି ଅତିକ୍ରମ କରି ୧ କୋଟି ୧ଲକ୍ଷ ୧୧ ହଜାର ଟପିଯାଇଛି ବୋଲି ୱାର୍ଲ ମିଟର ତଥ୍ୟରୁ ଜଣାଯାଇଛି । ତେବେ ଆଶ୍ୱାସନାର ବିଷୟ ହେଲା ବିଶ୍ୱରେ କରୋନା ଆକ୍ରାନ୍ତ ହୋଇଥିବା ୧କୋଟିରୁ ଅଧିକ ଲୋକଙ୍କ ମଧ୍ୟରୁ ୪୧ଲକ୍ଷ ୨୪ହଜାର ୯୫୧ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି । ଅନ୍ୟପକ୍ଷରେ ୫୪ଲକ୍ଷ ୮୪ହଜାର ୮୦୦ରୁ ଅଧିକ ଲୋକ ବର୍ତମାନ ସୁଦ୍ଧା ଏଥିରୁ ଆରୋଗ୍ୟ ଲାଭ କରିଛନ୍ତି ।