ଦିଲ୍ଲୀକୁୁୁ ଦୈନିକ ୭୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଯୋଗାଅ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀକୁ ଦୈନିକ ୭୦୦ ମେଟ୍ରିକ ଟନ୍ ତରଳ ମେଡିକାଲ୍ ଅକ୍ସିଜେନ୍ ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ କର୍ଡା ନିର୍ଦ୍ଦେଶ ଦେଇଛନ୍ତି ।
ସୁପ୍ରିମକୋର୍ଟର ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାରେ ଗଠିତ ଖଣ୍ଡପୀଠ ଜାତୀୟ ରାଜଧାନୀ ଅଞ୍ଚଳରେ ‘ତରଳ ମେଡିକାଲ୍ ଅକ୍ସିଜେନ୍‌’ ନିଅଂଟ ସଂକ୍ରାନ୍ତରେ ଦିଲ୍ଲୀ ସରକାର ଦାଖଲ କରିଥିବା ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଆହୁରି ମଧ୍ୟ ଚେତାବନୀ ଦେଇ ଖଣ୍ଡପୀଠ କହିଛନ୍ତି ଯେ, ଦୈନିକ ୭୦୦ ମେଟ୍ରିକ୍ ଟନ୍ ‘ତରଳ ମେଡିକାଲ୍ ଅକ୍ସିଜେନ୍‌’ ଯୋଗାଣ ନ ହେଲେ ସମ୍ପୁକ୍ତ ସରକାରୀ ଅଧିକାରୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଦାଲତ କୁଂଠାବଦ୍ଧ କରିବ ନାହିଁ । ସେହିପରି ଖଣ୍ଡପୀଠ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ।
ଦିଲ୍ଲୀ ସରକାରଙ୍କ ତରଫରୁ ପ୍ରତିନିଧିତ୍ୱ କରି ବରିଷ୍ଠ ଆଡ୍‌ଭୋକେଟ୍ ରାହୁଳ ମେହେରା ପୂର୍ବରୁ ଦିଲ୍ଲୀ ସରକାର ଗ୍ରହଣ କରୁଥିବା ଅକ୍ସିଜେନ୍ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ । ଶୁକ୍ରବାର ସକାଳ ୯ଟା ସୁଦ୍ଧା ୮୬ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ପାଇଥିବା ଏବଂ ଆଉ ୧୬ ମେଟ୍ରିକ୍ ଟନ୍ ଅମ୍ଲଜାନ ଆସୁଥିବା କଥା ମଧ୍ୟ ସେ ଲିଖିତ ଭାବେ ଖଣ୍ଡପୀଠଙ୍କୁ ଜଣାଇଥିଲେ । ବିଚାରପତି ଚନ୍ଦ୍ରଚୂଡ କହିଲେ, ଆମେ ଚାହୁଁ ଦିଲ୍ଲୀକୁ ୭୦୦ ମେଟ୍ରିକ୍ ଟନ୍ ଯୋଗାଇ ଦିଆଯାଉ । ଆମେ ଗୁରୁତ୍ୱର ସହ ଏକଥା କହୁଛୁ କି, ଅକ୍ସିଜେନ୍ ଯୋଗାଇ ଦିଆଯାଉ । ଆମେ ବଳ ପ୍ରୟୋଗ କରିବାକୁ ଚାହୁଁନା । ଖଣ୍ଡପୀଠ ଆହୁରି ମଧ୍ୟ ଗୁରୁତ୍ୱାରୋପ କରି କହିଛନ୍ତି, ଦିଲ୍ଲୀକୁ ଅକ୍ସିଜେନ୍ ଯୋଗାଣ ସଂକ୍ରାନ୍ତ ଆଦେଶ ଆଜି ଅପରାହ୍ନ ସୁଦ୍ଧା ଆପ୍‌-ଲୋଡ୍ ହେବା ଉଚିତ୍ ।

Leave A Reply

Your email address will not be published.

two × 2 =