ଦୁଇ ମାସ ପରେ ଲକ୍ଷେ ତଳକୁ ଖସିଲା ମହାମାରୀ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଲଗାତାର ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୁଇ ମାସ ଅର୍ଥାତ୍ ୬୩ ଦିନ ପରେ ଦୈନିକ ସଂକ୍ରମଣ ସଂଖ୍ୟା ୧ ଲକ୍ଷରୁ କମ୍ ଚିହ୍ନଟ ହୋଇଛି । ଗତ ୨୪ ଘଂଟା ଭିତରେ ଦେଶରେ ୮୬ ହଜାର ୪୯୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଏପ୍ରିଲ ୫ ତାରିଖରେ ୯୬,୫୬୩ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଥିଲେ । ଗତ ୨୪ ଘଂଟାରେ ଦେଶରେ ୧ ଲକ୍ଷ ୮୨ ହଜାର ୨୮୨ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ୨୧୨୩ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ରିପୋର୍ଟ ମୁତାବକ, ଦେଶରେ ଏପର୍ଯ୍ୟନ୍ତ ମୋଟ କରୋନା ମାମଲା ୨ କୋଟି ୮୯ ଲକ୍ଷ ୯୬ ହଜାର ୪୭୩ରେ ପହଂଚିଛି । ତେବେ ଏଥିମଧ୍ୟରୁ ୨ କୋଟି ୭୩ ଲକ୍ଷ ୪୧ ହଜାର ୪୬୨ ଜଣ କରୋନାକୁ ହରାଇବାରେ ସଫଳ ହୋଇଥିବା ବେଳେ ୩ ଲକ୍ଷ ୫୧ ହଜାର ୩୦୯ ଜଣ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି । ଦେଶରେ କରୋନା ଆକ୍ଟିଭ ମାମଲା ମଧ୍ୟ ଲଗାତର ହ୍ରାସ ପାଉଛି । ବର୍ତମାନ ଭାରତରେ ୧୩ ଲକ୍ଷ ୩ ହଜାର ୭୦୨ କରୋନା ଆକ୍ଟିଭ ମାମଲା ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଳୟ ରିପୋର୍ଟ ଅନୁଯାୟୀ, ସୋମବାର ୩୧ ଲକ୍ଷରୁ ଅଧିକ ଲୋକଙ୍କୁ କରୋନା ଭାଇରସ ଟିକା ଦିଆଯାଇଛି । ଏହାସହ ଦେଶରେ ମୋଟ ୨୩.୫୯ କୋଟି ଲୋକଙ୍କୁ ପ୍ରଥମ ଡୋଜ୍ ଓ ୨,୩୭୧୦୭ ଜଣ ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି । ମନ୍ତ୍ରାଳୟ କହିଛି ଯେ ବିହାର, ଦିଲ୍ଲୀ, ଗୁଜରାଟ ହରିୟାଣା, କର୍ଣ୍ଣାଟକ , ମଧ୍ୟପ୍ରଦେଶ, ମହାରାଷ୍ଟ୍ର ରାଜସ୍ଥାନ, ଭତର ପ୍ରବେଶ ଓ ପଶ୍ଚିମବଙ୍ଗରେ ୧୮-୪୪ ବର୍ଷ ବୟସ ବର୍ଗରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ କୋଭିଡ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି ।

Leave A Reply

Your email address will not be published.

eighteen − 10 =