ଶ୍ରୀନଗର, ୧୦ ।୦୬(ଏଜେନ୍ସି) : ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାର ସେନାର ବଡ଼ ଅପରେସନ । ସେନାର ଗୁଳିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଉ ଏହାକୁ ମିଶାଇ ଦୁଇ ସପ୍ତାହ ମଧ୍ୟରେ ୨୬ ଜଣ ଆତଙ୍କବାଦୀ ପ୍ରାଣ ହରାଇଲେଣି । ମିଳିଥିବା ସୂଚନା ମୁତାବକ ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାର ସୁଗୁ ଅଂଚଳରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍କାଉଂଟର ଚାଲିଛି । ତାଜା ସୂଚନା ଅନୁଯାୟୀ ସୁରକ୍ଷା ବାହିନୀର ଗୁଳିମାଡ଼ରେ ଏପର୍ଯ୍ୟନ୍ତ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଗୁଳି ବିନିମୟ ଜାରି ରହିଛି । ତେବେ ମୃତ ଦୁଇ ଆତଙ୍କବାଦୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇନାହିଁ । ଏହି ଅଂଚଳରେ ଅଧିକ ଆତଙ୍କବାଦ ଲୁଚି ରହିବାର ସମ୍ଭାବନା ରହିଛି ।
ଏହି ଅଂଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ଗୁପ୍ତଚରମାନେ ସେନାକୁ ଖବର ଦେଇଥିଲେ । ଏହା ପରେ ଜାମ୍ମୁ କାଶ୍ମୀର ପୋଲିସ ଏବଂ ସୁରକ୍ଷା ବାହିନୀ ଏହି ଅଂଚଳକୁ ଅବରୋଧ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏହାର ପ୍ରତି ଜବାବରେ ସେନା ଗୁଳିଚାଳନା କରିଥିଲା । ଉଲ୍ଲେଖଥାଉକି, ଗତ କିଛିଦିନ ହେବ ସେନା ଏବଂ ମାଓବାଦୀଙ୍କ ମଧ୍ୟରେ ଏନ୍କାଉଂଟର ଚାଲିଛି ।
ଜାମ୍ମୁ କାଶ୍ମୀରର ଡିଜିପି ଦିଲବାଗ ସିଂ ସୂଚନା ଦେଇଥିଲେ ଯେ, ନିକଟରେ ହୋଇଥିବା ଅପରେସନରେ ସୁରକ୍ଷା ବାହିନୀ ଦ୍ୱାରା ୯ ହିଜବୁଲ ମୁଜାହିଦ୍ଧିନ ଆତଙ୍କବାଦୀ ନିହତ ହୋଇଛନ୍ତି । ସୋମବାର ଦିନ ଜାମ୍ମୁ କାଶ୍ମୀରର ଶୋପିଆନ ଜିଲ୍ଲାରେ ସେନା ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଏନ୍କାଉଂଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ରବିବାର ଦିନ ସୁରକ୍ଷା ବାହିନୀ ଦ୍ୱାରା ୭ ଆତଙ୍କବାଦୀ ନିହତ ହୋଇଥିଲେ । ଗତ ଦୁଇ ସପ୍ତାହ ମଧ୍ୟରେ ସେନା ୯ଟି ପ୍ରମୁଖ ଅପରେସନ କରିଛି । ଆତଙ୍କବାଦୀଙ୍କ ବିରୋଧରେ ଏହି ଅପରେସନରେ ଏପର୍ଯ୍ୟନ୍ତ ୨୪ ଆତଙ୍କବାଦୀ ନିହତ ହୋଇଛନ୍ତି ।