ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଓ ମୃତକ ସଂଖ୍ୟା କମଶଃ ହ୍ରାସ ପାଇଥିଲା ବେଳେ ଆଜି ଦିନକରେ ଦେଶରେ ଦୌନିକ ମୃତ୍ୟୁ ସଂଖ୍ୟା ପ୍ରଥମ ଥର ପାଇଁ ୨ହଜାର ତଳକୁ ଖସିଛି । ସେହିପରି ସଂକ୍ରମଣ ୭୦ହଜାର ତଳେ ଥିବା ବେଳେ ୭୩ ଦିନ ପରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୮ଲକ୍ଷ ତଳକୁ ହ୍ରାସ ପାଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଗୋଟିଏ ଦିନରେ ଆଉ ୬୨, ୪୮୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଗତକାଲି ଏହା ୬୭,୨୦୮ ରହିଥିଲା । ଗୋଟିଏ ଦିନ ପୂର୍ବରୁ ଏହି ସଂଖ୍ୟା ୬୨, ୨୨୪ ଓ ଏହାର ପୂର୍ବଦିନ ୬୦,୪୭୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । ଏହାର ଅର୍ଥ ଗତକାଲି ଅପେକ୍ଷା ଦୈନିକ ସଂକ୍ରମଣ ହ୍ରାସ ପାଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୭,୬୨,୭୯୩କୁ ବୃଦ୍ଧି ପାଇଛି । ୨୪ ଘଣ୍ଟା ମଧ୍ୟରେ ୧୯, ୨୯,୪୭୬ଟି ନମୁନା ପରୀକ୍ଷା କରାଯାଇଛି । ସେହିପରି ମହାମାରୀ କରୋନା ଜିନିତ ମୃତ୍ୟୁସଂଖ୍ୟା ଦୀର୍ଘ ଦିନ ପରେ ୨ ହଜାର ତଳକୁ ଖସିଛି । ଏକଦା ଦୈନିକ ମୃତ୍ୟୁସଂଖ୍ୟା ୪ ହଜାର ଉପରେ ରହୁଥିବା ବେଳେ ଜୁନ୍ ମାସରୁ ଏହା ୩ ହଜାର ତଳକୁ ଖସିଥିଲା । ହେଲେ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ହ୍ରାସ ପାଇଛି । ଗୋଟିଏ ଦିନରେ କରୋନା ଆଉ ୧୫୮୭ ଜଣଙ୍କ ମୁଣ୍ଡ ନେଇଛି । ଗତକାଲି ଏହା ୨୩୩୦ ଜଣଙ୍କ ଜୀବନ ନେଇଥିଲା । ଏହାର ପୂର୍ବଦିନ ୨୫୪୨ ଓ ଏହାର ଗୋଟିଏ ଦିନ ପୂର୍ବରୁ କିଲର କରୋନାରେ ଆକ୍ରାନ୍ତ ହୋଇ ୨୭୨୬ ଜଣ ପ୍ରାଣ ହରାଇଥିଲେ । ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୩,୮୩,୪୯୦ରେ ପହଞ୍ଚି ଯାଇଛି । ଦିନକରେ ୮୮,୯୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଫଳରେ ଦେଶରେ ଏଯାଏ ମୋଟ ୨,୮୫,୮୦,୬୪୭ ଜଣ ସୁସ୍ଥ ହୋଇଛନ୍ତି । ଏବେ ଆକ୍ଟିଭ କେସ୍ ସଂଖ୍ୟା ୭,୯୮,୬୫୬ ରହିଛି । ଦୀର୍ଘ ୭୩ ଦିନ ପରେ ଆକ୍ଟିଭ କେସ୍ ସଂଖ୍ୟା ୮ ଲକ୍ଷ ତଳକୁ ଖସିଛି ।
ସେହିପରି ଗତକାଲି ତୁଳନାରେ ଆକ୍ଟିଭ କେସ୍ ସଂଖ୍ୟା ଆଜି ୨୮,୦୮୪ ହ୍ରାସ ପାଇଛି । ଦେଶରେ ଆରୋଗ୍ୟ ହାର ୯୬.୦୩% ଥିବା ବେଳେ ମୃତ୍ୟୁହାର ୧.୨୯% ଓ ପଜିଟିଭିଟି ରେଟ୍ ୨.୭୮% ରହିଛି ।