ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଧୀରେ ଧୀରେ ଫିଟୁଛି ବାଟ । ପାଙ୍ଗଙ୍ଗରୁ ପଛକୁ ହଟୁଛି ଚୀନ । ପାଙ୍ଗଙ୍ଗ ହ୍ରଦର ଫିଙ୍ଗର-୫ ଅଞ୍ଚଳରୁ ନିଜ ହେଲିପ୍ୟାଡ୍କୁ ଚୀନ୍ ହଟାଇଛି । ପାଙ୍ଗଙ୍ଗର ଏହି ଅଞ୍ଚଳ ଚୀନ୍ର ପିଏଲଏ ପାଇଁ ବେଶ ଗୁରୁତ୍ୱବହନ କରିଥିଲା । ଏହି ଅଞ୍ଚଳରୁ ପୁରା ପାଙ୍ଗଙ୍ଗରେ ପାଟ୍ରୋଲିଂ କରିବାଠୁ ଆରମ୍ଭ କରି ବିମାନ ଅବତରଣ କରୁଥିଲା ଚୀନ । ଏଲଲସି ଉପରେ ନଜର ରଖିବାକୁ ଏହି ସବୁ ହେଲିପ୍ୟାଡ୍କୁ ବ୍ୟବହାର କରୁଥିଲା ଡ୍ରାଗନ ।
ଏହାସହ ଚୀନ କିଛି ଦିନ ଧରି ମୁତୟନ କରିଥିବା ଯୁଦ୍ଧ ଟ୍ୟାଙ୍କକୁ ବି ପ୍ରତ୍ୟାହାର କରିନେଇଛି । ୨୦୦ରୁ ଅଧିକ ଯୁଦ୍ଧ ଟ୍ୟାଙ୍କକୁ ବହୁ ମାସ ଧରି ଏଠାରେ ମୁତୟନ କରାଯାଇଥିଲା । ଚୀନ୍ ସୈନିକ ଫିଙ୍ଗର ୫ଏବଂ ଫିଙ୍ଗର ୮ ମଧ୍ୟରେ ଏଠାରେ ଲଗାଇଥିବା ତମ୍ବୁ ଏବଂ ନିର୍ମାଣ କରିଥିବା ବଙ୍କର ଓ ଅନ୍ୟ ନିର୍ମାଣକୁ ମଧ୍ୟ ହଟାଇଛି ।
ଦୁଇ ଦେଶ ମଧ୍ୟରେ ୧୦ ମ ସେନା କମାଣ୍ଡରସ୍ତରୀୟ ଆଲୋଚନା ବେଳେ ସୀମାରୁ ସେନା ହଟାଇବାକୁ ଦାବି ରଖିଥିଲା ଭାରତ । ୧୫ ଦିନ ଭିତରେ ଏ ପ୍ରକ୍ରିୟା ସାରିବାକୁ ନିଷ୍ପତି ହୋଇଥିଲା । ତେବେ ଏହାପୂର୍ବରୁ ଗତ ଗୁରୁବାର ୧୦୦ରୁ ଅଧିକ ଭାରୀଯାନରେ ଟ୍ୟାଙ୍କ୍ ଗୁଡିକୁ ହଟାାଇ ନିଆଯାଇଥିବା ଜଣାପଡିଛି । ଚୁକ୍ତି ଅନୁସାରେ ଚୀନ୍ ସୀମାରେ ଶାନ୍ତି ବଜାୟ ରଖିବା ଉଦେ୍ଧଶ୍ୟରେ ବେଜିଂ ଏଭଳି ପଦକ୍ଷେପ ନେଇଥିବା କୁହାଯାଇଛି ।
ସେନାକୁ ପ୍ରତ୍ୟାହାର କରିବା ପାଇଁ ଜାରି ଆଲୋଚନା ସମୟରେ ଭାରତ ସ୍ପଷ୍ଟ ଭାବେ କହିଥିଲା ଯେ, ଯଦି ଫିଙ୍ଗର ୫ ଖୋଲି ନହୁଏ ତେବେ ରାଜିନାମା ହୋଇ ପାରିବ ନାହିଁ । ଏହା ଉପରେ ଚୀନ୍ ଅତିକ୍ରମରେ ୩୦ ସୈନିକଙ୍କୁ ଫିଙ୍ଗର ୫ରେ ମୁତୟନ କରିବାକୁ ଅନୁମତି ମାଗିଥିଲା । ତଥାପି ଭାରତ ଏହାକୁ ସ୍ୱୀକାର କରିନଥିଲା । ଶେଷରେ ଚୀନ ଯେବେ ଫିଙ୍ଗର ୮ରୁ ସଂମ୍ପୂର୍ଣ୍ଣ ଫେରିଯିବାକୁ ରାଜି ହେଲା ତେବେ ଯାଇ ଭାରତ ନିଜ ସେନାକୁ ଫିଙ୍ଗର ୩ ପର୍ଯ୍ୟନ୍ତ ଫେରାଇ ନେବା ଉପରେ ରାଜି ହୋଇଥିଲା ।