ପୁରୀ: ପୁଲିସ୍ ହେପାଜତରେ ପୁରୀ ବାସେଳି ସାହି ଥାନା ଅଞ୍ଚଳର କେ. ରମେଶ ନାମକ ଯୁବକଙ୍କ ମୃତ୍ୟୁ ଅଭିଯୋଗକୁ ନେଇ ଗତକାଲି ପୁରୀ ସହରରେ ଦେଖାଯାଇଥିଲା ଉତ୍ତେଜନା । ଏହି ଘଟଣାକୁ ନେଇ ପୁରୀରେ ମୁହାଁମୁହିଁ ହୋଇଥିଲେ ପୁଲିସ୍-ପବ୍ଲିକ । ବିଭିନ୍ନ ମହଲରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯିବା ପରେ ଗତକାଲି ପୁରୀ ଯାଇ ଘଟଣାର ସମୀକ୍ଷା କରିଛନ୍ତି ଆଇଜି ଇନ୍ଚାର୍ଜ ଏସ୍ ପ୍ରବୀଣ କୁମାର । ପୁରୀରେ ଏସ୍ପି, ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବାସେଳି ସାହି ଥାନା ପୁଲିସ୍ ନାଁରେ ଆସିଥିବା ଅଭିଯୋଗକୁ ବୁଝିବା ସହ ଜାତୀୟ ମାନବଧିକାର କମିଶନଙ୍କ ଗାଇଡଲାଇନ୍କୁ ଅନୁସରଣ କରିବାକୁ କହିଛନ୍ତି ଆଇଜି । ପୁରୀ ବାସେଳି ସାହି ଥାନା ଅଞ୍ଚଳର କେ. ରମେଶ ନାମକ ଯୁବକଙ୍କୁ ପୁଲିସ୍ ଉଠାଇ ନେଇଥିବା ବେଳେ ପରିବାର ଲୋକଙ୍କୁ ମିଳିଲା ପୁଅ ମୃତ୍ୟୁର ଖବର । ଏପରିକି ଅଧିକ ଉତ୍ତେଜନା ଆଶଙ୍କାରେ ତରବରିଆ ଭାବେ ମୃତକଙ୍କ ବାପାଙ୍କ ଉପସ୍ଥିତିରେ ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର କରାଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ଗତକାଲି ପୁରୀ ସହର ଏକ ପ୍ରକାର ଋଣକ୍ଷେତ୍ରରେ ପରିଣତ ହୋଇଥିଲା। ପୁଲିସ୍- ପବ୍ଲିକ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଖଣ୍ଡ ଯୁଦ୍ଧ। ବାସେଳିସାହି ପୁଲିସ୍ର ଥାର୍ଡ ଡିଗ୍ରୀ ଯୋଗୁ ରମେଶଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ ସାଙ୍ଗକୁ ଧାରଣା ଦେଇଥିଲେ ସ୍ଥାନୀୟ ଲୋକେ, ସମ୍ପର୍କୀୟ। ଜଣେ ସିଟିଂ ଜଜ୍ଙ୍କ ଦ୍ୱାରା ଘଟଣାର ନ୍ୟାୟିକ ତଦନ୍ତ ଦାବି କରି ଦାବିପତ୍ର ଦେଇଛି ବାର ଆସୋସିଏସନ୍ । ତାସହ ଆଇଆଇସିଙ୍କ ନାଁରେ ୩୦୨ ଦଫାରେ ମାମଲା ରୁଜୁ ଦାବି କରିଛି ।