ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଧାନ ସମେତ ବିଭିନ୍ନ ଖରିପ୍ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍୍ଏସ୍ପି) ବୃଦ୍ଧି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୨୦୨୧-୨୨ ବର୍ଷ ପାଇଁ ଧାନ ସମେତ ହରଡ, ମୁଗ, ମକା, ବିରି, ରାଶି, ବାଜରା, କପା, ସୋୟାବିନ୍, ସୁର୍ଯ୍ୟମୁଖୀ ସମେତ ବିଭିନ୍ନ ଖରିଫ୍ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ୫୦%ରୁ ୬୨% ପର୍ଯ୍ୟନ୍ତ ବୃଦ୍ଧି ପାଇଁ ନିଷ୍ପତି ଗ୍ରହଣ କରିଛନ୍ତି ।
କ୍ୟାବିନେଟ୍ ବୈଠକ ପରେ ଖରିଫ୍ ଶସ୍ୟର ଏମ୍ଏସ୍ପି ବୃଦ୍ଧି ନେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସାମ୍ବାଦିକ ମାନଙ୍କୁ କହିଛନ୍ତି ଯେ, ୨୦୨୧-୨୨ ବର୍ଷ ପାଇଁ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ୍ ପିଛା ୧୯୪୦ଟଙ୍କାକୁ ବୃଦ୍ଧି କରିଛନ୍ତି । ଗ୍ରେଡ୍-ଏ ଧାନର ମୂଲ୍ୟ ୧୯୬୦ ଟଙ୍କା ହେବ । ଶ୍ରୀ ତୋମାର କହିଛନ୍ତି ଯେ, ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ଧାନର ଏମ୍ଏସ୍ପି କ୍ୱାଂଟାଲ୍ ପିଛା ୧୮୬୮ ଟଙ୍କା ଥିଲା । ସେହିପରି ହରଡ, ମୁଗଡାଲି, ବିରି, କ୍ୱିଂଟାଲ୍ ପିଛା ଏମ୍ଏସ୍ପି ୩୦୦ ଟଙ୍କା ବୃଦ୍ଧି କରାଯାଇଛି । ତେବେ ଏଥିରେ ୬୨% ବୃଦ୍ଧି ଘୋଷଣା କରାଯାଇଛି । ସେହିପରି ବାଜରା କ୍ୱିଂଟାଲ୍ ପିଛା ଏମ୍ଏସ୍ପି ୨୨୫୦ଟଙ୍କାରେ ବୃଦ୍ଧି କରାଯାଇଥିଲା ବେଳେ ସୂର୍ଯ୍ୟମୂଖୀ ୬୦୧୫, ରାଶି ୪୫୨ ଟଙ୍କା, କପା ୫୭୨୬ଟ, ସାଧାରଣ କପା ୫୦୨୫ ଟଙ୍କା, ମକା ୧୮୭୦ଟଙ୍କା ଏବଂ ଶୋୟାବିନ୍ ୩୯୫୦ଟଙ୍କାକୁ ବୃଦ୍ଧି କରାଯାଇଛି । ତେବେ ମୁଗଡାଲି କ୍ୱିଂଟାଲ୍ ୭୨୭୫ ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ କେନ୍ଦ୍ର ସରକାର ବର୍ଷକୁ ଦୁଇଥର ଉଭୟ ଖରିଫ୍ ଓ ରବି ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧି ଘୋଷଣା କରିଥାନ୍ତି । ରାଷ୍ଟ୍ରାୟତ ଉଦ୍ୟୋଗ ଭାରତୀୟ ଖାଦ୍ୟ ନିଗମ ଏମ୍ଏସ୍ପି ଦରରେ ଚାଷୀଙ୍କ ଠାରୁ ଖାଦ୍ୟ ଶସ୍ୟ କ୍ରୟ କରିଥାନ୍ତି ।
ଶ୍ରୀ ତୋମାର କହିଛନ୍ତି ଯେ,ଏମ୍ଏସ୍ପିର ଉଚ୍ଛେଦ ନେଇ ଦେଶର ଚାଷୀମାନଙ୍କ ମଧ୍ୟରେ କୌଣସି ସନ୍ଦେହ ରହିବା ଅନୁଚିତ୍ । ସରକାର ପ୍ରତିବର୍ଷ ଦୁଇଥର ଉଭୟ ଖରିଫ୍ ଓ ରବି ଶସ୍ୟର ଏମ୍ଏସ୍ପି ବୃଦ୍ଧି କରିବେ । ଏହା ଜାରୀ ରହିବ ବୋଲି ସେ ଦୃଢଭାବେ କହିଛନ୍ତି ।
ପ୍ରକାଶ ଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ୩ଟି ନୂତନ କୃଷି ଆଇନ୍ ବିଷେଶ କରି ଏମ୍ଏସ୍ପିକୁ ବିରୋଧ କରି ଦେଶର ବିଭିନ୍ନ ଚାଷୀ ସଂଗଠନ ଦିଲ୍ଲୀ ସୀମାରେ ଦୀର୍ଘ ୬ମାସରୁ ଉର୍ଦ୍ଧ୍ୱ ସମୟ ଧରି ଆନ୍ଦୋଳନ ଜାରୀ ରଖିଛନ୍ତି । ୩ କୃଷି ଆଇନ୍ ଉଚ୍ଛେଦ ଦାବୀରେ ଚାଷୀ ସଂଗଠନ ଗୁଡିକ ଅଟଳ ରହି ଆନ୍ଦୋଳନ ଜାରୀ ରଖିଛନ୍ତି । ଆଇନ୍ ରଦ୍ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି କୃଷକ ସଂଗଠନ ନିଜ ଘୋଷଣାରେ ଅଟଳ ଅଛନ୍ତି ।