ବାଜିଲା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବିଗୁଲ

ନୂଆଦିଲ୍ଲୀ : କର୍ଣ୍ଣାଟକର ୨୨୪ଜଣିଆ ବିଧାନସଭା ପାଇଁ ଆସନ୍ତା ମେ’ ୧୦ ତାରିଖ ଦିନ ନିର୍ବାଚନ ହେବ । ଏନେଇ ଆଜି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ସେହିପରି ମେ’ ୧୩ ତାରିଖରେ ଭୋଟ୍ ଗଣନା କରାଯିବ । ତେବେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ୨୨୪ ଆସନରେ ଭୋଟଗ୍ରହଣ ହେବ । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ ଏପ୍ରିଲ୍ ୧୩ ତାରିଖରେ । ପ୍ରାଥିପତ୍ର ଦାଖଲର ଶେଷ ତାରିଖ ଏପ୍ରିଲ୍ ୨୦ ତାରିଖ । ସେହିପରି, ଏପ୍ରିଲ୍ ୨୧ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ଆବଶ୍ୟକସ୍ଥଳେ ପ୍ରାର୍ଥୀମାନେ ଏପ୍ରିଲ୍୨୪ ତାରିଖ ସୁଦ୍ଧା ଦାଖଲ କରିଥିବା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ।
୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ମତଦାନ କରିବା ଲାଗି ସମୁଦାୟ ୫.୨ କୋଟି ଯୋଗ୍ୟ ଭୋଟର ଅଛନ୍ତି । ସେମାନଙ୍କ ମଧ୍ୟରୁ ୮୦ରୁ ଅଧିକ ବର୍ଷ ବୟସ୍କ ଭୋଟରଙ୍କ ସଂଖ୍ୟା ୧୨.୫ ଲକ୍ଷ । ଚଳିତ ଥର ପ୍ରଥମ କରି ୮୦ ବର୍ଷରୁ ଅଧିକ ବୟସ୍କ ଭିନ୍ନକ୍ଷମ ଭୋଟଦାତା ଘରେ ଥାଇ ଭୋଟ୍ ଦେଇ ପାରିବେ । କର୍ଣ୍ଣାଟକରେ ଥିବା ସମୁଦାୟ ୫.୨୧ ଭୋଟରଙ୍କ ମଧ୍ୟରୁ ୫.୫୫ ହେଉଛନ୍ତି ଭିନ୍ନକ୍ଷମ । ସେହିପରି, ଚଳିତବର୍ଷ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ୯.୧୭ ଭୋଟର ହେଉଛନ୍ତି ସମ୍ପୂର୍ଣ୍ଣ ନୂଆ ଓ ସେମାନେ ପ୍ରଥମ କରି ଭୋଟ୍ ଦେବା ବୟସରେ ପଦାର୍ପଣ କରିଛନ୍ତି ବୋଲି ନିର୍ବାଚନ କମିସନର କହିଛନ୍ତି । କର୍ଣ୍ଣାଟକରେ ୫୮ ହଜାର ୨୮୨ ମତଦାନ କେନ୍ଦ୍ର ଅଛି, ସେଥିମଧ୍ୟରୁ ୨୦ ହଜାର ୮୬୬ଟି ସହରୀ କେନ୍ଦ୍ର ରହିଛି । ଏଥିମଧ୍ୟରୁ ୫୦ ପ୍ରତିଶତ ମତଦାନ କେନ୍ଦ୍ର ତଥା ୨୯ ହଜାର ୧୪୦ଟି ବୁଥରେ ୱେବକାଷ୍ଟିଂ କରାଯିବ । ୧୦୦ଟି ବୁଥରେ ଦିବ୍ୟାଙ୍ଗ କର୍ମଚାରୀ ନିୟୋଜିତ ରହିବେ । ମେ’ ୨୪ ତାରିଖରେ କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ଏହା ପୂର୍ବରୁ ନିର୍ବାଚନ ଶେଷ ହୋଇ ସରକାର ଗଠନ ହେବ । ଏହାଛଡ଼ା, ଚଳିତ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କିନ୍ନରମାନଙ୍କ ପ୍ରତି ବିଶେଷ ଗୁରୁତ୍ୱାରୋପ କରାଯିବ । କର୍ଣ୍ଣାଟକର ‘ଭଲ୍ନେରାବଲ୍ ଟ୍ରାଇବାଲ୍ ଗ୍ରୁପ୍ସ୍’ଙ୍କ (ପିଭିଟିଜି ବା କର୍ଣ୍ଣାଟକର ଆଦିମ ଅଧିବାସୀ) ଭୋଟ୍ ଉପରେ ବି ବିଶେଷ ଧ୍ୟାନ ଦିଆଯାଇଛି । ସେମାନଙ୍କ ପାଇଁ ୪୦ ‘ପିଭିଟିଜି’ ଭୋଟ୍ ଗ୍ରହଣ କେନ୍ଦ୍ର ସ୍ଥାପନ କରାଯିବ ବୋଲି ନିର୍ବାଚନ କମିସନର କହିଛନ୍ତି । ସମଗ୍ର କର୍ଣ୍ଣାଟକର ୨୨୪ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ ନିମନ୍ତେ ୫୮,୨୮୨ଟି ମତଦାନ କେନ୍ଦ୍ର ସ୍ଥାପନା କରାଯିବ । ପ୍ରତି ଭୋଟ୍ ଗ୍ରହଣ କେନ୍ଦ୍ରରେ ହାରାହାରି ମତଦାତାଙ୍କ ସଂଖ୍ୟା ହେଉଛି ୮୮୩ । ଏହାଛଡ଼ା, ୫୦% ମତଦାନ କେନ୍ଦ୍ରରେ ‘ୱେବ୍ କାଷ୍ଟିଙ୍ଗ୍’ ସୁବିଧା ରହିବ । ୧୩୨୦ ମତଦାନ କେନ୍ଦ୍ରକୁ କେବଳ ମହିଳାମାନେ ପରିଚାଳନା କରିବେ ।
ଏହାଛଡ଼ା, ପଞ୍ଜାବର ଜଳନ୍ଧର, ଓଡ଼ିଶାର ଝାରସୁଗୁଡ଼ା, ଉତ୍ତର ପ୍ରଦେଶର ଛାନ୍ବେ, ସୁଆର, ମେଘାଳୟର ସୋହିଗଙ୍ଗ ନିର୍ବାଚନ ମଣ୍ଡଳୀରେ ମଧ୍ୟ ମେ ୧୦ ତାରିଖରେ ଉପନିର୍ବାଚନ କରାଯିବ । ଭାରତର ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାରଙ୍କ ସହିତ ଏହି ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିସନର ଅନୁପଚନ୍ଦ୍ର ପାଣ୍ଡେ ଏବଂ ଅରୁଣ ଗୋଏଲ୍ ମଧ୍ୟ ଯୋଗ ଦେଇଥିଲେ । ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର କହିଲେ ଯେ, ମେ ୨୪ ତାରିଖ ଦିନ କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ ଶେଷ ହେବ ।

Leave A Reply

Your email address will not be published.

three × five =