କାନପୁର- ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ କାନପୁର ଅଣାଯାଉଥିବା ବେଳେ ଅଧାରାସ୍ତାରେ ଏନକାଉଂଟର କରାଯାଇଛି । ସେ ଆସୁଥିବା ଗାଡି ଦୁର୍ଘଟଣା ହେବାରୁ ବିକାଶ ଖସି ଚାଲିଯିବାକୁ ଉଦ୍ୟମ କରିଥିଲା । ଏପରିକି ସେ ପୁଲିସ ଉପରକୁ ଗୁଳି ମଧ୍ୟ ଚଳାଇଥିବା ବେଳେ ପୁଲସର ପାଲଟା ଆକ୍ରମଣରେ ତାର ମୃତ୍ୟୁ ଘଟିଛି । ତେବେ ଘଟଣା ପରେ ବିକାଶକୁ କାନପୁର ସ୍ଥିତ ଏଲଏଲଆର ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଶବ ବ୍ୟବଚ୍ଛେଦ କରାଯିବା ପରେ ଡାକ୍ତର ସୂଚନା ଦେଇଛନ୍ତି , ବିକାଶ ଦେହରେ ୪ଟି ଗୁଳି ମାଡ ହୋଇଛି । ୩ଟି ତା ଛାତିରେ ମାଡ ହୋଇଥିବା ବେଳେ ଆଉ ଗୋଟିଏ ଗୁଳି ହାତରେ ମାଡ ହେବାର ଚିହ୍ନ ରହିଛି । ଗୁଳିମାଡ କାରଣରୁ ହିଁ ତାର ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି ।
ତେବେ ଏଠି ପ୍ରଶ୍ନ ଉଠୁଛି ଯେ ପୁଲିସ ଏନ୍କାଉଂଟର କରିବା ବେଳେ ଅଂଟା ତଳକୁ ମାରିବାର ନିୟମ ଥିବାବେଳେ କେଉଁ ପରିସ୍ଥିତିରେ ଉତରପ୍ରଦେଶ ପୁଲିସ ଓ ଏସଟିଏଫ କମାଣ୍ଡୋମାନେ ବିକାଶ ଦୁବେର ଛାତିକୁ ଗୁଳିମାରିଲେ ସେ ନେଇ ପ୍ରଶ୍ନ ଉଠାଯାଇଛି । କଣ ଯୋଜନାବଦ୍ଧ ଭାବେ ବିକାଶକୁ ଏନକାଉଂଟର କରାଯାଇଛି କି? ବିକାଶର ରାଜନୀତିକ ଲିଙ୍କ ରହିଥିଲା ବୋଲି ଅଭିଯୋଗ ହେଉଛି ।
ଏହାକୁ ଲୁଚାଇବା ପାଇଁ ତା କୁ ଗୁଳି କରାଗଲା କି ? ତେବେ ଏତେ ବଡ ଅରାଧୀକୁ ଆଣିବା ପାଇଁ କାହିଁକି ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନଥିଲା । ଅନ୍ୟପଟେ ବିକାଶ ସହ ଏନକାଉଂଟର ଅପଡେଟ ସମ୍ପର୍କରେ ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି , ଏନକାଉଂଟର ବେଳେ ୩ଜଣ ସବ ଇନ୍ସପେକ୍ଟର, ଜଣେ କନଷ୍ଟେବଲ ଓ ୨ଜଣ ଏସଟିଏଫ କମାଣ୍ଡୋ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୩ଜଣଙ୍କ ବ୍ୟବସ୍ଥା ସଙ୍କଟାପନ୍ନ ଥିଲା । ହେଲେ ଏବେ ସମସ୍ତ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏମାନଙ୍କ ମଧ୍ୟରୁ ୨ଜଣଙ୍କ ଶରୀରରେ ଗୁଳି ଘସି ହୋଇ ଚାଲି ଯାଇଥିବା ଜଣାପଡିଛି । ପୂରା ବିକାଶ ମାମଲାରେ ଏବେ ସୁଦ୍ଧା ୬ ଅଭିଯୁକ୍ତ ପ୍ରାଣ ହରାଇଛନ୍ତି ଓ ପୁଲିସ ୩ଜଣଙ୍କୁ ଗିରଫ କରିଛି । ଏହା ବାଦ୍ ୭ଜଣଙ୍କୁ ଜେଲ ପଠାଯାଇଥିବା ବେଳେ ୧୨ ଜଶ ଫେରାର ଅଛନ୍ତି ।