ବୋଇତ ବନ୍ଦାଣ ଉତ୍ସବ ଓ ବନ୍ଦର ଦିବସରେ ଯୋଗଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପାରାଦୀପ : ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପାରାଦୀପ ଗସ୍ତରେ ଆସି ପାରାଦୀପ ବନ୍ଦରର ୱେଟ ବେସିନଠାରେ ବୋଇତ ବନ୍ଦାଣ ଉତ୍ସବ ଓ ବନ୍ଦର ଦିବସରେ ଯୋଗଦାନ କରିଥିଲେ । ରାଷ୍ଟ୍ରପତି ପ୍ରଥମେ ଗୋପବନ୍ଧୁ ଷ୍ଟାଡିୟମ୍ ଠାରେ   ନବନିର୍ମିତ ହେଲିପ୍ୟାଡରେ ଅବତରଣ କରିବା ପରେ  ପାରମ୍ପରିକ ଲୋକନୃତ୍ୟ ସହିତ ତାଙ୍କୁ ପାଛୋଟି ଅଣାଯାଇଥିଲା । ଏହାପରେ ସେ ପୂର୍ବରୁ ସୁସଜ୍ଜିତ ସାଧବ ସାଧବାଣୀ ମାନଙ୍କୁ ଶୁଭେଚ୍ଛା ଜଣାଇ ଓଡ଼ିଶାର ଅସ୍ମିତାର ପ୍ରତୀକ ବୋଇତକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଔପଚାରିକତାର  ଦୃଷ୍ଟାନ୍ତ ସ୍ବରୂପ  ତଟରକ୍ଷୀ ଜାହାଜ ‘ଅମୋଘ ‘ ରେ ବସି ବନ୍ଦର ମଧ୍ୟକୁ ରାଷ୍ଟ୍ରପତି ଯାତ୍ରା କରିଥିଲେ । ପରେ ଏହି ଅବସରରେ ଆୟୋଜିତ ସଭାରେ ଉତ୍ସୁକ ଜନତାଙ୍କୁ ଅଭିବାଦନ ଜଣାଇ ଯୁବପିଢ଼ି ମାନଙ୍କୁ ଯୋଗ୍ୟତା ଅନୁସାରେ ଚାକିରି କରିବା ସହ, ବାଣିଜ୍ୟ ବ୍ୟବସାୟ କରିବା ପାଇଁ  ଆଗଭର ହେବାକୁ ଉପଦେଶ ଦେଇଥିଲେ । ସେ କହିଥିଲେ,କଥାରେ ଅଛି, “ବାଣିଜ୍ୟେ ବସତେ ଲକ୍ଷ୍ମୀଃ” । ଯୁବପିଢ଼ି ନିଜ ରୁଚି ଅନୁସାରେ  ନୂଆ ନୂଆ ଶିଳ୍ପ ପ୍ରତିଷ୍ଠାରେ ମଧ୍ୟ ମନୋନିବେଶ କରନ୍ତୁ । ଏହା  ଦ୍ୱାରା ସେମାନେ ନିଜେ ଜୀବିକା  ଅର୍ଜନ କରିବା ସହିତ ଅନ୍ୟମାନଙ୍କୁ  ଜୀବିକା ପ୍ରଦାନ କରିପାରିବେ । ସମୁଦ୍ର ସବୁବେଳେ ସୃଜନଶୀଳ ତେଣୁ ଭାରତୀୟ ଉପଦ୍ୱୀପର ବାଣିଜ୍ୟ ବ୍ୟବସାୟ ଅର୍ଥନୈତିକ ଓ ଆନ୍ତର୍ଜାତିକ ସମ୍ପର୍କର ସ୍ରଷ୍ଟା ସମୁଦ୍ର ବୋଲି ସେ ଅଭିହିତ କରିଥିଲେ । ପାରାଦ୍ୱୀପ ବନ୍ଦର ଆଜି ବିଶ୍ଵରେ ଶ୍ରେଷ୍ଠ ବନ୍ଦରମାନଙ୍କ ମଧ୍ୟରେ ଅନ୍ୟତମ । ସାମଗ୍ରୀ  ପରିବହନ ପାଇଁ ଭାରତ ସରକାରଙ୍କ ବନ୍ଦର,ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରାଳୟ ତରଫରୁ ପାରାଦ୍ବୀପ ବନ୍ଦରକୁ ସାଗର ଶ୍ରେଷ୍ଠ ସମ୍ମାନ ରେ ସମ୍ମାନିତ କରାଯାଇଛି । ଏଥିପାଇଁ ସେ ବନ୍ଦର କର୍ତ୍ତୃପକ୍ଷ ଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବନ୍ଦରର ଭିତ୍ତିଭୂମି  ଆହୁରି ସୁଦୃଢ଼ ହେବା ସଙ୍ଗେସଙ୍ଗେ  କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବା ଦରକାର ବୋଲି କହିଥିଲେ । ଏ ଦିଗରେ ଭାରତ  ସରକାରଙ୍କ  ସାଗରମାଳା  କାର୍ଯ୍ୟକ୍ରମକୁ  ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବନ୍ଦର ଉନ୍ନୟନ ତଥା ବନ୍ଦର ନେତୃତ୍ବରେ ସ୍ଥାନୀୟ ଅଞ୍ଚଳର ସାମଗ୍ରିକ ବିକାଶ ତ୍ବରାନ୍ବିତ ହେବ । ଗ୍ଲୋବାଲ ମାରିଟାଇମ ଇଣ୍ଡିଆ ସମିଟ ୨0୨୩ ରେ ପାରାଦ୍ବୀପ ବନ୍ଦରକୁ ପୋର୍ଟ ଓ ଅପରେସନାଲ ଏକ୍ସଲେନ୍ସ ପୁରସ୍କାର ପ୍ରଦାନ କରାଯାଇଛି । ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ  ଏହି ଭବ୍ୟ ବୋଇତ-ବନ୍ଦାଣ ଉତ୍ସବରେ ଯୋଗ ଦେଇ ସେ ଅତ୍ୟନ୍ତ ଆନନ୍ଦିତ ବୋଲି କହିଥିଲେ । ଏହାପରେ ରାଷ୍ଟ୍ରପତି ୨୬0 କୋଟି ବ୍ୟୟ ଅଟକଳରେ ନିର୍ମିତ ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କର ଶୁଭ ଉଦଘାଟନ କରିଥିଲେ । ଏହି ପାର୍କ ପାରାଦ୍ବୀପର ସ୍ବଚ୍ଛ ପଣ୍ୟ ତଥା କଣ୍ଟେନର କାର୍ଯ୍ୟକ୍ରମ କୁ ଦ୍ବିଗୁଣିତ କରିବା ସହ ୨୫0 ଜଣଙ୍କୁ ପ୍ରତ୍ୟକ୍ଷ ଓ ୫00 ଜଣଙ୍କୁ ପରୋକ୍ଷ ନିଯୁକ୍ତି ଯୋଗାଇସାରିଛି । ଏଥିସହ ବନ୍ଦର ଟାଉନସିପ୍ର ନିରବଚ୍ଛିନ୍ନ ଜଳ ଯୋଗାଣ ପାଇଁ ରାଷ୍ଟ୍ରପତି ଏକ ନୂତନ ଜଳାଶୟ ଓ ଜଳ ବିଶୋଧନାଗାରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୨୫0 ନିୟୁତ ଲିଟର କ୍ଷମତା ସମ୍ପନ୍ନ ଏହି ଜଳାଶୟ ଦ୍ଵାରା ଦୈନିକ ୧୬  ନିୟୁତ ଲିଟର ଜଳ ଉତ୍ପାଦିତ ହେବ । ପରେ ରାଷ୍ଟ୍ରପତି ଏକ ଭିଟିଏମ୍ ଆଇଏସ୍ କ୍ଷମତା ସମ୍ପନ୍ନ ସିଗନାଲ୍ ଷ୍ଟେସନର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ଯାହା ପଣ୍ୟ ଜାହାଜ ଗୁଡିକର ସୁରକ୍ଷିତ ଚଳାଚଳରେ ସହାୟକ ହେବ ।  ଏହି ଉତ୍ସବରେ ଯୋଗଦେଇ ଓଡିଶାର ରାଜ୍ୟପାଳ ରଘୁବର ଦାସ ଓଡ଼ିଶାର ନୌବାଣିଜ୍ୟର ପରମ୍ପରାକୁ ଶ୍ରେଷ୍ଠ ବୋଲି ଅଭିହିତ କରିଥିଲେ । ୪୮0 କି ମି ଦୀର୍ଘ ଓଡିଶାର ତଟରେଖା ଦେଶର ସମୃଦ୍ଧିରେ ସହାୟକ ଏବଂ ଐତିହ୍ୟର ମୁକସାକ୍ଷୀ ପାରାଦ୍ବୀପ ବନ୍ଦର ଏହି ପରମ୍ପରା କୁ ବଜାୟ ରଖିବ ବୋଲି କହିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରଣାଳୟ ମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ , କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ବିକାଶ ତଥା ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀପଦ ନାୟକ ,କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ , ଶାନ୍ତନୁ ଠାକୁର, ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ  ଅତନୁ ସବ୍ୟସାଚୀ ନାୟକ, ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ,ଓଡିଶା ସରକାର  ଯୋଗ ଦେଇଥିଲେ। ମାନ୍ୟବର ସାଂସଦ, ଜଗତସିଂହପୁର, ଡଃ ରାଜଶ୍ରୀ ମଲ୍ଲିକ,  ପାରାଦ୍ବୀପ ବିଧାୟକ ସମ୍ବିତ୍ ରାଉତରାୟ, ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱାରି, ଆରକ୍ଷୀ ଅଧିକ୍ଷକ ରାହୁଲ ପି ଆର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଉତ୍ସବରେ ପାରାଦ୍ଵୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ସ୍ଵାଗତ ଭାଷଣ ଦେବାସହ ପାରାଦ୍ଵୀପ ବନ୍ଦରର ଅଭୁତପୂର୍ବ ସଫଳତା ବିଷୟ ରେ କହିଥିଲେ। ପାରାଦ୍ୱୀପ ବନ୍ଦର ୧୩୫.୩୬ ନିୟୁତ ମେଟ୍ରିକ ଟନ୍ ପଣ୍ୟ କାରବାର କରି ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ୨0୪୭ ମସିହା ସୁଦ୍ଧା ବନ୍ଦରର କ୍ଷମତା ୫00 ନିୟୁତ ମେଟ୍ରିକ ଟନ୍ କୁ ବୃଦ୍ଧି କରାଯିବା ସହ ସମଗ୍ର ବିଶ୍ୱରେ ସ୍ଵତନ୍ତ୍ର ସ୍ଥାନ ହାସଲ କରିପାରିବ । ପରେ ପରେ ମହାମହିମ ରାଷ୍ଟ୍ରପତି ସ୍ଥାନୀୟ ନେହେରୁ ବଙ୍ଗଳା ଠାରେ ମତ୍ସ୍ୟଜୀବୀମାନଙ୍କ ସହିତ ସାକ୍ଷାତ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝିଥିଲେ । ସେ ମତ୍ସ୍ଯଜୀବୀ ମାନଙ୍କୁ ନିଜର ଜୀବିକା ନିର୍ବାହ ସହିତ ଦେଶର ଅର୍ଥନୈତିକ ବିକାଶରେ ସହାୟକ ହେଉଥିବାରୁ ସାଧୁବାଦ ଜଣାଇବା ସହ ପରିବର୍ତ୍ତୀତ ଜଳବାୟୁ ମଧ୍ୟରେ ମାଛ ଧରା ବନ୍ଦର ବିକାଶ ଓ ମତ୍ସ୍ୟ ଉତ୍ପାଦନ ବିକାଶ ନିମନ୍ତେ ସମୁଦ୍ର ଓ ଏହାର ପରିବେଶକୁ ସୁସ୍ଥ ରଖିବା ଆମର କର୍ତ୍ତବ୍ୟ ବୋଲି  କହିଥିଲେ । କେନ୍ଦ୍ର ସରକାରଙ୍କ କୋଷ୍ଟାଲ କମ୍ୟୁନିଟି ଡେଭଲପମେଣ୍ଟ, ବନ୍ଦର ପୋତାଶ୍ରୟ ମରାମତି ଆଦି କାର୍ଯ୍ୟକ୍ରମ ମତ୍ସ୍ୟଜୀବୀଙ୍କ ଉନ୍ନତି ପାଇଁ ଅନ୍ୟତମ । କେନ୍ଦ୍ର ସରକାର ପାରାଦ୍ଵୀପ ବନ୍ଦର ଉନ୍ନୟନ ପାଇଁ ୧0୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ଯାହା ବନ୍ଦରର ସାମଗ୍ରିକ ବିକାଶରେ ସହାୟ ହେବ ବୋଲି ରାଷ୍ଟ୍ରପତି କହିଥିଲେ । ଏହି ଉତ୍ସବରେ ପାରାଦ୍ଵୀପ ବନ୍ଦରର ସମସ୍ତ କର୍ମକର୍ତ୍ତା,ବିଭିନ୍ନ ବିଭାଗର ସରକାରୀ ଅଧିକାରୀ, ସ୍ଥାନୀୟ ଜନସାଧାରଣ,ସହରର ବରିଷ୍ଠ ବୁଦ୍ଧିଜୀବୀ,  ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ତେବେ ରାଷ୍ଟ୍ରପତିଙ୍କ ପାରାଦୀପ ଗସ୍ତ ପାଇଁ ବନ୍ଦର ପ୍ରଶାସନ ପକ୍ଷରୁ ବନ୍ଦର ସହରକୁ ସୁସଜ୍ଜିତ କରାଯାଇଥିଲା  l

Leave A Reply

Your email address will not be published.

17 − 4 =