ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଗବେଷକମାନେ ସମ୍ପୂର୍ଣ୍ଣ ‘ଏଚ୍ଆଇଭି’ ଭୂତାଣୁ କବଳିତ ଜଣେ ୩୬ ବର୍ଷୀୟ ମହିଳାଙ୍କ ଶରୀରରେ ଗୁଣସୂତ୍ର-କ୍ରମ ପରିବର୍ତ୍ତିତ ବିପଜ୍ଜନକ କରୋନାଭାଇରସ୍ର ସନ୍ଧାନ ପାଇଛନ୍ତି । ୨୧୬ ଦିନ ହେବ କୋଭିଡ୍-୧୯ ଆକ୍ରାନ୍ତ ଉକ୍ତ ମହିଳାଙ୍କ ଶରୀରରେ କରୋନାଭାଇରସ୍ ଭୂତାଣୁ ୩୦ରୁ ଅଧିକ ଥର ତା’ର ଗୁଣସୂତ୍ର-କ୍ରମ ପରିବର୍ତ୍ତନ କରି ସାରିଛି ।
ଗୁରୁବାର ଦିନ ଏହି ମାମଲାର ରିପୋର୍ଟ ‘ମେଡିକାଲ୍ ଜର୍ଣ୍ଣାଲ୍ ମେଡ୍ରିକ୍ସିଭ୍’ରେ ପ୍ରକାଶ ପାଇଥିଲା । ରିପୋର୍ଟ ଅନୁସାରେ, ମହିଳାଜଣକ ‘ଏଚ୍ଆଇଭି’ ସଂକ୍ରମିତ ବୋଲି ୨୦୦୬ରେ ଜଣାପଡ଼ିଥିଲା ଏବଂ ସେବେଠାରୁ ତାଙ୍କ ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥା ସଦାସର୍ବଦା ଦୁର୍ବଳ ହୋଇ ଆସୁଥିଲା । ୨୦୨୦ ସେପ୍େଟମ୍ବରରେ ସେ କୋଭିଡ୍-୧୯ ସଂକ୍ରମିତ ହେବା ପରେ, ତାଙ୍କ ଶରୀରରେ କରୋନାଭାଇରସ୍ର ‘ସ୍ପାଇକ୍ ପ୍ରୋଟିନ୍ ୧୩ ଥର ପରିବର୍ତ୍ତିତ ହେବା ସହ ଭୂତାଣୁର ଗୁଣସୂତ୍ରରେ ଅନ୍ୟାନ୍ୟ ୧୯ଟି ପରିବର୍ତ୍ତନ ଘଟିଥିଲା । ଫଳରେ ତାଙ୍କ ଶରୀରରେ ଥିବା କରୋନାଭାଇରସ୍ର ସ୍ୱଭାବ ବଦଳି ଯାଇଥିଲା ।
ସେ ମହିଳାଙ୍କ ଶରୀରରେ ପରିବର୍ତ୍ତିତ ହୋଇଥିବା ଭୂତାଣୁର ଗୁଣସୂତ୍ର କ୍ରମ ପ୍ରଥମେ ଇଂଲଣ୍ଡ୍ରେ ଦେଖା ଦେଇଥିବା ‘ଆଲ୍ଫା ଭେରିଆଣ୍ଟ୍ ବି.୧.୧.୭’ର ଅଂଶବିଶେଷ ‘ ଇ୪୮୪କେ ମ୍ୟୁଟେସନ୍’ ଏବଂ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ‘ବିଟା ଭେରିଆଣ୍ଟ୍ ବି.୧.୩୫୧’ର ଅଂଶବିଶେଷ ‘ଏନ୍୫୧୦ୱାଇ’ ଭଳି ଆଶଙ୍କା ଉଦ୍ରେକକାରୀ ଭୂତାଣୁରେ ରହିଥିବା କଥା ଜଣାପଡ଼ିଛି ।
ମହିଳାଜଣଙ୍କ ଶରୀରକୁ ଏହି ପରିବର୍ତ୍ତିତ ଭୂତାଣୁ ସବୁ ଅନ୍ୟମାନଙ୍କ ଶରୀରରେ ପ୍ରବେଶ କରିଛି କି, ନାହିଁ ତାହା ଜଣାପଡ଼ି ନ ଥିବା କଥା ଗବେଷକମାନେ କହିଛନ୍ତି । କିନ୍ତୁ, ଗବେଷକମାନେ କହିଛନ୍ତି ଯେ, ୪ଜଣ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ଜଣେରୁ ଅଧିକ ‘ଏଚ୍ଆଇଭି+’ ଥିବା ଦକ୍ଷିଣ ଆଫ୍ରିକାର କ୍ୱାଜୁଲୁ ନାତାଲ ଅଞ୍ଚଳରୁ କରୋନାଭାଇରସ୍ର ଅଧିକାଂଶ ନୂଆ ‘ଭେରିଆଣ୍ଟ୍’ ବାହାରି ଥିବା କଥା ସମ୍ଭବତଃ କାକତାଳୀୟ ନୁହେଁ ।
ଡର୍ବାନ୍ସ୍ଥିତ କ୍ୱାଜୁଲୁ-ନାତାଲ ବିଶ୍ୱବିଦ୍ୟାଳୟର ଗୁଣସୂତ୍ରବିତ୍ ତଥା ଉକ୍ତ ଅଧ୍ୟୟନର ଗବେଷକ ଟୁଲିଓ ଡି ଅଲିଭିରା ଗଣମାଧ୍ୟମକୁ କହିଛନ୍ତି ଯେ, ଶରୀରରେ କରୋନାଭାଇସ ଥିଲେ ସୁଦ୍ଧା ସମ୍ପୃକ୍ତ ମହିଳାଙ୍କ ଠାରେ କୋଭିଡ୍-୧୯ର ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହୋଇଥିଲା ।