ମାଗୁଣି ଚରଣଙ୍କୁ ପଦ୍ମଶ୍ରୀ

ନୂଆଦିଲ୍ଲୀ : କଣ୍ଢେଇ ନୃତ୍ୟଗୁରୁ ମାଗୁଣି ଚରଣ କୁଅଁରଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି । ବୁଧବାର ସଂଧ୍ୟାରେ ରାଷ୍ଟ୍ରପତି ଭବନ ଦରବାର ହଲରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ୨୦୨୩ ବର୍ଷ ପାଇଁ ଘୋଷିତ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥିଲା । କେନ୍ଦୁଝର ପୁରୁଣା ସହର ବୈଦ୍ୟରାଜ ସାହି ବାସିନ୍ଦା ୮୫ ବର୍ଷୀୟ ଶ୍ରୀ କୁଅଁରଙ୍କ ବିଗତ ଛଅ ଦଶନ୍ଧି ଧରି କାଠ କଣ୍ଢେଇ ନୃତ୍ୟ କ୍ଷେତ୍ରରେ ଜଡ଼ିତ ଅଛନ୍ତି । କାଠରେ ନିର୍ମିତ କଣ୍ଢେଇ ତିଆରି କରି ସେ ଏକାଧିକ ସ୍ୱରରେ ନିଜେ ପରିବେଶଣ କରିଥାନ୍ତି । ଜଣେ ଉଚ୍ଚମାନର ମୂର୍ତ୍ତୀ ଶିଳ୍ପୀ ଭାବେ ମଧ୍ୟ ତାଙ୍କର ପରିଚିତି ରହିଛି । ରାବଣ ବଧ, ଦାନବୀର ହରିଶ୍ଚନ୍ଦ୍ର, ମହିଷାସୁର ବଧ, ସାପୁଆ କେଳା ଆଦି ବିଷୟବସ୍ତୁ ବିଷୟରେ କଣ୍ଢେଇ ମାଧ୍ୟମରେ ପ୍ରଦର୍ଶନ କରିଥାନ୍ତି । ପୂର୍ବରୁ ସେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିଲେ । ଚଳିତ ବର୍ଷ ଶ୍ରୀ କୁଅଁରଙ୍କ ସମେତ ଭାଷା ଓ ସାହିତ୍ୟ ପାଇଁ ସ୍ତମ୍ଭକାର ଅନ୍ତର୍ଯାମୀ ମିଶ୍ର, ଲୋକକଳା ପାଇଁ କ୍ରିଷ୍ଣା ପଟେଲ ଓ କୃଷି କ୍ଷେତ୍ରରେ ପଟାୟତ ସାହୁଙ୍କ ନାମ ପଦ୍ମଶ୍ରୀ ସମ୍ମାନ ଲାଗି ଘୋଷଣା ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଶ୍ରୀ କୁଅଁରଙ୍କୁ ରାଷ୍ଟ୍ରପତି ମହୋଦୟା ପଦ୍ମ ସମ୍ମାନରେ ସମ୍ମାନୀତ କରିଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ପୁରସ୍କାର ବିଜେତାଙ୍କୁ ପୁରସ୍କୃତ କରିଛନ୍ତି । ବୁଧବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ରାଷ୍ଟ୍ରପତି ୫୪ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ଗତ ସାଧାରଣତନ୍ତ୍ର ଦିବସ ଅବସରରେ ମୋଟ ୧୦୬ ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପଦ୍ମ ପୁରସ୍କାର ଲାଗି ମନୋନୟନ କରାଯାଇଥିଲା । ଏହି ପଦ୍ମ ପୁରସ୍କାର ମଧ୍ୟରେ ରହିଛି ୬ଟି ପଦ୍ମ ବିଭୂଷଣ, ୯ଟି ପଦ୍ମ ଭୂଷଣ ଓ ୯୧ଟି ପଦ୍ମଶ୍ରୀ । ମନୋନୀତ ୧୦୬ଜଣଙ୍କ ମଧ୍ୟରୁ ୫୪ଜଣଙ୍କୁ ବୁଧବାର ପୁରସ୍କୃତ କରାଯାଇଛି ଅନ୍ୟ ବିଜେତାଙ୍କୁ ପରବର୍ତ୍ତୀ ସମୟରେ ପୁରସ୍କୃତ କରାଯିବ ।

Leave A Reply

Your email address will not be published.

one × 4 =