ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବାରୁ ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥିବା କଟକଣାକୁ ୩୧ ମାର୍ଚ୍ଚ ଯାଏ ବୃଦ୍ଧି କରାଯାଇଛି । ଏହାର ଅର୍ଥ ଆସନ୍ତା ୩୧ ଯାଏ ଭାରତରୁ କୌଣସି ଅନ୍ତର୍ଜାତୀୟ ବିମାନ ସେବା ଉପଲବ୍ଧ ହେବନାହିଁ । ଏ ସମ୍ପର୍କରେ ଡିଜିସିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତିରେ କୁହାଯାଇଛି ଯେ ପୂର୍ବରୁ କରୋନା ପାଇଁ ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥିବା କଟକଣାକୁ ବୃଦ୍ଧି କରାଯାଇଛି । ମାର୍ଚ୍ଚ ୩୧ ରାତି ୨୩ଟା୫୯ ଯାଏ ଏହି କଟକଣା ଜାରି ରହିବ । ତେବେ ଏହି କଟକଣା ଅନ୍ତର୍ଜାତୀୟ ମାଲ ପରିବହନ ବିମାନ ଉପରେ ଲାଗୁ ହେବନାହିଁ ।
ସେହିପରି ସ୍ୱତନ୍ତ୍ର ଅନୁମତି ପ୍ରାପ୍ତ ବିମାନ ଗୁଡ଼ିକ ବିଦେଶକୁ ଯାତ୍ରା କରିପାରିବ । କିଛି ନିର୍ଦ୍ଧିଷ୍ଟ ରୁଟ୍ରେ ମଧ୍ୟ ସ୍ଥାନୀୟ ପ୍ରଶାସନର ଅନୁମତି କ୍ରମେ ବିମାନ ଚାଲି ପାରିବ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି ।
କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଗତବର୍ଷ ମାର୍ଚ୍ଚ ମାସ ଠାରୁ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲାଗିଥିଲା । ଲକଡାଉନ ବୃଦ୍ଧି ପାଇବ ସହ ଏହି କଟକଣା ଅବଧି ମଧ୍ୟ ବଢ଼ିଥିଲା । ପର୍ଯ୍ୟାକ୍ରମେ ଭାରତ ସରକାର ଘରୋଇ ବିମାନ ସେବାକୁ କାର୍ଯ୍ୟକାରୀ କରିବାକୁ ଅନୁମତି ଦେଇଥିଲେ ହେଁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲା ।
ଏବେ ପୁଣି ଏହି କଟକଣା ଅବଧିକୁ ୩୧ ମାର୍ଚ୍ଚ ଯାଏ ବଢ଼ା ଯାଇଛି । ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲେ ହେଁ ଘରୋଇ ବିମାନ ସେବା ପୂର୍ବଭଳି ଚାଲୁ ରହିବ । ସମସ୍ତେ କରୋନା କଟକଣାକୁ ମାନି ବିମାନ ମଧ୍ୟରେ ଯିବା ଆସିବା କରିପାରିବେ ।