ମୁଣ୍ଡବିହୀନ ଶବ ମିଳିବା ଘଟଣା; ମିଳିଲା ମହିଳାଙ୍କ ପରିଚୟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ନିକଟରୁ ଗତ ମାସରେ ଜଣେ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ପରେ ତାଙ୍କ ପରିଚୟ ଜାଣିବାକୁ ଖୋଳତାଡ଼ ଆରମ୍ଭ କରିଥିଲା କମିଶନରେଟ ପୁଲିସ୍‌। ଏ ପର୍ଯ୍ୟନ୍ତ ସମ୍ପୃକ୍ତ ମହିଳାଙ୍କ ମୁଣ୍ଡ ଜବତ ହୋଇପାରି ନ ଥିବା ବେଳେ  ତାଙ୍କ ପରିଚୟ କିନ୍ତୁ ପାଇପାରିଛି ପୁଲିସ୍‌ । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇ  କଟାମୁଣ୍ଡ କ’ଣ ହେଲା ବୋଲି  ପଚରାଉଚରା ଚାଲିଥିବା କମିଶନରେଟ୍ ପୁଲିସ୍‌ ପକ୍ଷରୁ ସୂଚନା ମିଳିଥିବା ଜଣାଯାଇଛି । ଏନେଇ କିଛି ଖୁଲାସା କରାଯାଇ ନ ଥିବା ବେଳେ ଆଗାମୀ ସମୟରେ ପରିଚୟ ପ୍ରକାଶ କରାଯିବ କହିଛି ପୁଲିସ୍‌  । ଅଟକ ୨ ଜଣଙ୍କୁ ଚନ୍ଦକା ଥାନାରେ ଅଟକ ରଖାଯାଇଥିବା ବେଳେ ସିନ୍‌ ରିକ୍ରିଏଟ ପାଇଁ ଉଭୟଙ୍କୁ ଘଟଣାସ୍ଥଳକୁ ନିଆଯିବ ବୋଲି ଜଣାପଡ଼ିଛି। ମହିଳାଙ୍କ ପରିଚୟ ଜାଣିବା ପାଇଁ ଫିଙ୍ଗରପ୍ରିଣ୍ଟ ମ୍ୟାଚିଂ କରିବାକୁ ଯୋଜନା କରାଯାଉଥିବା ଗତକାଲି କମିଶନରେଟ ପୁଲିସ୍‌ ପକ୍ଷରୁ କୁହାଯାଇଥିଲା। NCRB ପାଖରେ ଥିବା ଫିଙ୍ଗରପ୍ରିଣ୍ଟ ମ୍ୟାଚିଂ କରିବାକୁ ଯୋଜନା କରାଯାଉଛି। ମହିଳାଙ୍କ ବିଷୟରେ NCRBରେ ପୂର୍ବରୁ ତଥ୍ୟ ଥିଲେ ପରିଚୟ ମିଳିପାରେ ବୋଲି  ଗତକାଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଥିଲେ। ସୂଚନାରୁ ପ୍ରକାଶ, ଗତମାସ ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ପାଖରେ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ପଡ଼ିଥିଲା। ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।  ପ୍ରାଥମିକ ଅନୁସନ୍ଧାନରୁ ମହିଳାଙ୍କୁ କେହି ହତ୍ୟା କରି ଏଠାରେ ଫିଙ୍ଗିଦେଇଥିବା ସନ୍ଦେହ କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ। ମହିଳାଙ୍କ ପରିଚୟ ଜାଣିବା ପାଇଁ ଭୁବନେଶ୍ୱର ଓ ଆଖପାଖ ଥାନାକୁ ପୁଲିସ ଖବର ଦେଇଥିଲା।   ଜଣେ ଆଡିସିନାଲ୍‌ ଏସ୍‌ପି ରାଙ୍କର ଅଫିସରଙ୍କ ତତ୍ତ୍ୱବଧାନରେ ଏକ ୫ ଜଣିଆ ଟିମ୍‌ ଘଟଣାର ତଦନ୍ତ କରୁଥିବା ବେଳେ ମହିଳାଙ୍କ ପରିଚୟ ଜାଣିବା ପାଇଁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ମଧ୍ୟ ମରାଯାଇଥିଲା । ମହିଳାଙ୍କ ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ଦିଆଯିବ ବୋଲି ପୂର୍ବରୁ ପୁଲିସ ଘୋଷଣା କରିଥିଲା।

Leave A Reply

Your email address will not be published.

6 + eight =