ମୁମ୍ବାଇ: ମୁମ୍ବାଇର ପଶ୍ଚିମ ବିରାର୍ ଅଞ୍ଚଳରେ ଥିବା ବିଜୟବଲ୍ଳଭ କୋଭିଡ ହସ୍ପିଟାଲରେ ନିଆଁ ଲାଗି ୧୩ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିବା ସଙ୍ଗେ ସଙ୍ଗେ ବହୁରୋଗୀ ଗୁରୁତର ଭାବେ ଅସୁସ୍ଥ ହୋଇପଡିଛନ୍ତି । ହସ୍ପିଟାଲର ‘ଇଂଟେନ୍ସିଭ୍ କେୟାର ୟୁନିଟ୍’ (ଆଇସିୟୁ)ରେ ଥିବା ଏୟାର୍ କଣ୍ଡିସ୍ନ୍ରେ ବିଦୁ୍ୟତ୍ସର୍ଟ-ସର୍କିଟ୍ ଯୋଗୁଁ ଭୋର ପ୍ରାୟ ୩.୧୫ ମିନିଟ୍ରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଭୋର ୫.୩୦ ସୁଦ୍ଧା ନିଆଁ ଲିଭାଇବାରେ ସମର୍ଥ ହୋଇଥିଲେ । ‘ଇଂଟେନ୍ସିଭ୍ କେୟାର୍ ୟୁନିଟ୍’ରେ ୧୭ ଜଣ ରୋଗୀ ଥିବା କଥା ଅଗ୍ନିଶମ ବିଭାଗ ସୁନିଶ୍ଚିତ କରି କହିଛି । ନିଆଁରୁ ବର୍ତିଯାଇଥିବା ୫ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ପରେ ଆଉ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି ବୋଲି କୁହାଯାଉଛି । ବାସାଇ ବିରାର୍ ପୌର ନିଗମ ଅନ୍ତର୍ଗତ ଏହି ହସ୍ପିଟାଲରେ ମୃତ କୋଭିଡ-୧୯ ଆକ୍ରାନ୍ତ ରୋଗୀମାନେ ଏଭଳି ପୋଡି ଯାଇଛନ୍ତି ଯେ, ସେମାନଙ୍କ ଚିହ୍ନିବା କଷ୍ଟକର ହୋଇପଡିଛି । ‘କୋଭିଡ୍ ହସ୍ପିଟାଲ’ ଭାବେ କାର୍ଯ୍ୟ କରୁଥିବା ବିଜୟ ବଲ୍ଳଭ ହସ୍ପିଟାଲ୍ ହେଉଛି ଏକ ଘରୋଇ ସଂସ୍ଥାନ ।
ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ କରୋନା ହସ୍ପିଟାଲରେ ଅଗ୍ନିକାଣ୍ଡ ନୂଆ ନୁହେଁ । ଗତ ୨ମାସ ମଧ୍ୟରେ କୋଭିଡ୍ ହସ୍ପିଟାଲ୍ରେ ଅଗ୍ନିକାଣ୍ଡ ଯୋଗୁଁ ୧୫ରୁ ଉଦ୍ଧ୍ୱର୍ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲା ।