ଭୁବନେଶ୍ୱର : କରୋନା ମହାମାରୀ ଯୋଗୁ ଦୀର୍ଘ ମାସ ହେଲା ରାଜ୍ୟ ସାରା ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି। କିନ୍ତୁ ସରକାରଙ୍କ କଡ଼ା ଗାଇଡ଼ଲାଇନ୍ ସତ୍ତ୍ୱେ ରାଜଧାନୀ ଭୁବନେଶ୍ୱରରେ ଥିବା ଏକ ସ୍କୁଲ ନାଁରେ ଆସିଛି କୋଭିଡ ନିୟମ ଉଲ୍ଲଘଂନର ସାଂଘାତିକ ଅଭିଯୋଗ। ଚିନ୍ତାମଣିଶ୍ୱରସ୍ଥିତ ଏକ ଘରୋଇ ସ୍କୁଲରେ ଅଫ୍ଲାଇନ୍ କ୍ଲାସ ସହ ଚାଲିଥିଲା ପରୀକ୍ଷା । ଖବର ପାଇ ବିଏମ୍ସି ପକ୍ଷରୁ ଚଢ଼ାଉ କରାଯାଇ ଉକ୍ତ ସ୍କୁଲ୍କୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସିଲ୍ କରାଯାଇଛି। ଅର୍ଥ ଲୋଭରେ କୁନି କୁନି ପିଲାଙ୍କ ଜୀବନ ସହ ଖେଳୁଥିବା ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କ’ଣ ପଦକ୍ଷେପ ନିଆଯାଉଛି ତାହା ଆଗକୁ ଜଣାପଡ଼ିବ। ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ଚଳିତ ଶିକ୍ଷା ବର୍ଷରେ ପିଲା ଏ ଯାବତ ସ୍କୁଲ, କଲେଜ ଯାଇ ନାହାନ୍ତି। ଅନ୍ଲାନ୍ ଜରିଆରେ ପାଠ ପଢ଼ା ଚାଲିଛି। ଅଧିକାଂଶ ପିଲାଙ୍କର ମୋବଇଲ ନ ଥିବା ବେଳେ ବହୁ ଜାଗାରେ ନେଟୱର୍କ ଆସୁନି। ଏସବୁ ଅସୁବିଧା ଯୋଗୁ ବହୁ ପିଲାଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇ ଯାଉଛି। କିନ୍ତୁ କରୋନା ଯୋଗୁ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସରକାର ଶିକ୍ଷାନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ନେଇ ପାରୁ ନାହାନ୍ତି। ଏପରି ସ୍ଥିତିରେ କ’ଣ ପଦକ୍ଷେପ ନେବେ ସରକାର ଦୋ ଛକିରେ ଥିବା ବେଳେ ଖୋଦ ରାଜଧାନୀରେ ଘଟୁଥିବା ଏଭଳି ଘଟଣା ପରେ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କ ହାତରେ ପିଲା କେତେ ସୁରକ୍ଷିତ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।