ଭୁବନେଶ୍ୱର- ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ବାଲେଶ୍ୱର, କେନ୍ଦୁଝର, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାକୁ ସର୍ତକ ରହିବାକୁ ପରାମର୍ଶ ଦିଆଯାଇଛି । ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ୱରର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ବୁଢାବଳଙ୍ଗ, ସୋନ ଓ ଜଳକା ନଦୀ ବିପଦ ସଂଙ୍କୁଳ ଅବସ୍ଥାରେ ରହିଛି । ଏହି ଜିଲ୍ଲାର ୪ ବ୍ଳକର ୩ ଶହ ଲୋକଙ୍କୁ ଉଚ୍ଚାସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବନ୍ୟା ଆଶଙ୍କା ଥିବାରୁ ଜଲେଶ୍ୱର, ବସ୍ତା, ବାଲିଆପାଳ, ରେମୁଣା ଅଂଚଳର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ରାସ୍ତା ଉପରେ ପାଣି ଚାଲୁଛି, ଯାହାଫଳରେ ସ୍ଥାନୀୟ ଲୋକେ ନାହାଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଭଦ୍ରକ ଜିଲ୍ଲାରେ ମଧ୍ୟ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ଜିଲ୍ଲାର ବିଭିନ୍ନ ଯାଗାରେ ରାସ୍ତା ଉପରେ ପାଣି ଚାଲୁଛି । ଲୋକେ ଯାତାୟତ କରିବାର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ବୈତରଣୀ ନଦୀରେ ବନ୍ୟା ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ସେହିପରି ସୁନ୍ଦରଗଡ ଓ ଯାଜପୁର ଜିଲ୍ଲାରେ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ବିିଭନ୍ନ ଯାଗାରେ ବନ୍ୟା ପାଣି ପଶି ଯିବାରୁ ବ୍ୟାପକ ଫସଲ ନଷ୍ଟ ହୋଇଛି ।