ଲେହ : ଗଲୱାନ ଘାଟି ଭାରତର । ଲଦାଖ ହେଉଛି ଭାରତର ମସ୍ତକ । ଲଦାଖର ପୂରା ଅଂଶ ଭାରତର ମାନସମ୍ମାନର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅଚାନକ ଲେହ ଗସ୍ତ କରି ୧୧ ହଜାର ଫୁଟ ଉଚ୍ଚରେ ଥିବା ନିମୁସ୍ଥିତ ସେନା ଶିବିରରେ ଯବାନମାନଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି । ପ୍ରଧାନମନ୍ତ୍ରୀ ଯବାନମାନଙ୍କୁ ବିରୋତ୍ୱ, ସାହାସକୁ ଭୁୟଂସୀ ପ୍ରଶଂସା କରିବା ସହ ଆମ ଯବାନମାନଙ୍କ ବୀରତ୍ୱ ସାରା ଦୁନିଆ ଦେଖିଛି । ଆମେ ଶ୍ରୀକୃଷ୍ଣଙ୍କ ଭଳି ବଂଶୀ ବଜାଇପାରୁ ଏବଂ ସୁଦର୍ଶନ ଚକ୍ର ବି ଧରିପାରୁ ବୋଲି ମୋଦୀ କହିଛନ୍ତି ।
ଯବାନମାନଙ୍କୁ ଉଦବୋଧନ ଦେବା ଅବସରରେ ମୋଦୀ କହିଥିଲେ ଯେ, ଗଲୱାନ ଘାଟିରେ ଆପଣମାନେ ଯେଉଁ ଅଦମ୍ୟ ଏବଂ ବୀରତା ଦେଖାଇଛନ୍ତି ତାହା ପ୍ରଶଂସାଯୋଗ୍ୟ । ଗଲୱାନରେ ସହିଦ ବୀର ଯବାନମାନଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି । ଆଜି ପ୍ରତି ଦେଶବାସୀଙ୍କ ମୁଣ୍ଡ ଆପଣଙ୍କ ନିକଟରେ ନତମସ୍ତକ । ଆପଣମାନଙ୍କ ବୀରତା ପାଇଁ ଦେଶବାସୀଙ୍କ ଛାତି ଫୁଲିଉଠୁଛି । ଲଦାଖର ମାଟି, ପାଣି, ପଥର ଭାତରୀୟ ଯବାନଙ୍କ ପରାକ୍ରମର ସାକ୍ଷୀ । ସାରା ଦୁନିଆ ଆମ ଯବାନଙ୍କ ପରାକ୍ରମ ଦେଖିଲା । ଲଦାଖର ଏହି ସମଗ୍ର ଅଞ୍ଚଳ ଭାରତର ମସ୍ତକ । ଏହାର ସୁରକ୍ଷା ଆମର ସଙ୍କଳ୍ପ । ବର୍ଷ ବର୍ଷ ଧରି ପ୍ରତି ଆକ୍ରମଣର ମୁହଁତୋଡ ଯବାବ ଦିଆଯାଇଛି ଏବଂ ପ୍ରତି ଆକ୍ରମଣ ପରେ ଭାରତ ଅଧିକ ସଶକ୍ତ ହୋଇଛି । ଦୁର୍ବଳ କେବେ ଶାନ୍ତି ଆଣିପାରିବ ନାହିଁ । ଭାରତ ଆଜି ଆଧୁନିକ ଅସ୍ତ୍ରଶସ୍ତ୍ର ନିର୍ମାଣକରୁଛି । ବିସ୍ତାରବାଦର ଯୁଗ ଶେଷ ହୋଇସାରିଛି । ବର୍ତମାନ ବିକାଶବାଦର ଯୁଗ । ବିସ୍ତାରବାଦ ମାନବିକତାର ବିନାଶର କାରଣ ହୋଇଛି । ସାରା ବିଶ୍ୱ ଏବେ ବିସ୍ତାରବାଦ ବିରୋଧରେ ଏକତ୍ରିତ ହୋଇଛି । ଇତିହାସ ଦେଖିଛି । ବିସ୍ତାରବାଦର ପରାଜୟ । ଏଭଳି ଶକ୍ତି ସବୁବେଳେ ପରାସ୍ତ ହୋଇଛି ଏବଂ ମୁଣ୍ଡ ନୁଆଁଇଛି । ଏହା ବିଶ୍ୱଶାନ୍ତି ପାଇଁ ସବୁବେଳେ କ୍ଷତିକାରକ ସାବ୍ୟସ୍ତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ସୀମା ବିବାଦକୁ ନେଇ ଭାରତ ଓ ଚୀନ ମଧ୍ୟରେ ଉତେଜନା ଲାଗି ରହିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଅଚାନକ ଲେହ ଗସ୍ତ କରିଥିଲେ । ଚିଫ୍ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ବିପିନ ରାୱତଙ୍କ ସହିତ ପ୍ରଧାନମନ୍ତ୍ରୀ ଏହି ଗସ୍ତ କରିଛନ୍ତି । ସିଡିଏସ, ସେନା ମୁଖ୍ୟ ଏମ.ଏମ.ନରୱଣେଙ୍କ ସହିତ ମିଶି ସେ ସୀମାନ୍ତର ସ୍ଥିତିର ସମୀକ୍ଷା କରିବା ସହିତ ଉଦ୍ବୋଧନ ଦେଇ ଯବାନମାନଙ୍କର ମନୋବଳ ବଢାଇଛନ୍ତି ।