‘ଶିଶୁଋଣ’ ହିତାଧିକାରୀଙ୍କ ପାଇଁ ୨% ସୁଧ ରିହାତି

ନୂଆଦିଲ୍ଳୀ. ୨୫/୦୬ (ଏଜେନ୍ସି) : ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅନ୍ତର୍ଗତ ‘ଶିଶୁ ଋଣ’ ଆକାଉଣ୍ଟଧାରୀଙ୍କୁ ନିୟମିତ କିସ୍ତି ପ୍ରଦାନ କ୍ଷେତ୍ରରେ ୧୨ ମାସ ପାଇଁ ୨ ଶତାଂଶ ହାରରେ ଋଣ ରିଆତି ଦେବାକୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ନିଷ୍ପତି ନିଆଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତି ଅନୁସାରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅନ୍ତର୍ଗତ ‘ଶିଶୁ ଋଣ’ କାର୍ଯ୍ୟକମରେ ଯେଉଁମାନେ ଋଣ ନେଇଛନ୍ତି ଓ ପୁନର୍ବାର ଋଣ ନେବାକୁ ଆଗ୍ରହୀ ସେମାନେ ଯଦି ଠିକ ସମୟରେ ତାହା ପରିଶୋଧ କରିବେ ତେବେ ସେମାନଙ୍କୁ ଏକ ବର୍ଷପାଇଁ ୨ ଶତାଂଶ କମ ହାରରେ ସୁଧ ଦେବାକୁ ପଡିବ ।
ସରକାରୀ ନିଷ୍ପତି ଅନୁସାରେ ଯେଉଁମାନଙ୍କର ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଋଣ ବକେୟା ଥିବ ଏବଂ ସେମାନେ ରିଜର୍ଭବ୍ୟାଙ୍କର ନିର୍ଦେଶାବଳୀ ଅନୁସାରେ ସେହି ତାରିଖ ସୁଦ୍ଧା ଏନପିଏ ଶ୍ରେଣୀଭୁକ୍ତ ହୋଇନଥିବେ ସେମାନେ ଏହି ‘ଶିଶୁ ଋଣ’ ପାଇପାରିବେ ।
ସେହିଭଳି ଯେଉଁ ଋଣକାରୀଙ୍କ କିସ୍ତି ବକେୟା ଥିବ ସେମାନଙ୍କ ଆକାଉଂଟ ଯେତେ ମାସ ପାଇଁ ଏନପିଏ ଶ୍ରେଣୀଭୁକ୍ତ ହୋଇନଥିବ ସେମାନଙ୍କୁ ଏହି ସୁଧ ରିଆତି ମିଳିବ ଏବଂ ସେମାନଙ୍କ ଖାତା ପୁନର୍ବାର ସଚଳ ସଂପତିଭାବେ ବିବେଚିତ ହେବ । ଯେଉଁମାନେ ନିୟମିତ ଋଣ ପରିଶୋଧ କରିବାକୁ ଆଗ୍ରହୀ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି ।
ଏହି ଯୋଜନାରେ ପ୍ରାୟ ୧୫୪୨ କୋଟି ଟଙ୍କା କେନ୍ଦ୍ର ସରକାର ଋଣ ଆକାରରେ ଯୋଗାଇଦେବେ ।
ଆତ୍ମନିର୍ଭର ଭାରତ ଅଭିଯାନ ଯୋଜନାରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ସରକାର ଯେଉଁସବୁ ପ୍ରୋତ୍ସାହନ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ତାହାର ଏକ ଅଂଶବିଶେଷ । ଏଥିରେ ଅତି ଛୋଟ ଛୋଟ ଉଦ୍ୟୋଗକୁ ଶିଶୁବର୍ଗରେ ରଖାଯାଇ ସେଗୁଡିକୁ ସହାୟତା ଦେବାର ବ୍ୟବସ୍ଥା କରାଯାଇଛି । ଏହି ଶିଶୁବର୍ଗର ଉଦ୍ୟୋଗଗୁଡିକୁ ପ୍ରତ୍ୟକ୍ଷ ରୋଜଗାର ସୃଷ୍ଟି ପାଇଁ ସର୍ବାଧିକ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । ଏହି ଋଣ ‘ଶିଶୁଋଣ’ଭାବରେ ନାମିତ । ମୁଦ୍ରା ଲିମିଟେଡ ସହିତ ପୀକୃତ ହୋଇଥିବା ବିଭିନ୍ନ ଅନୁସୂଚିତ ବ୍ୟାବସାୟୀକ ବ୍ୟାଙ୍କ, ଅଣବ୍ୟାଙ୍କିଙ୍ଗ ବିତୀୟ କମ୍ପାନୀ ଓ ମାଇକ୍ରୋ ଫାଇନାନସିଆଲ ଅନୁଷ୍ଠାନମାନେ ଏହି ମୁଦ୍ରା ଋଣ ଦେବାକୁ ଅଧିକୃତ । ସେମାନଙ୍କ ଜରିଆରେ ସଂପୃକ୍ତ ଉଦ୍ୟୋଗୀଙ୍କୁ ଋଣ ପ୍ରଦାନ କରିବାର ନିୟମ ରହିଛି । ଶିଶୁ ମୁଦ୍ରା ଋଣ ଯୋଜନାରେ ଅର୍ଥ ନେଇ ବେପାର ବଣିଜ କରୁଥିବା ଅତି କ୍ଷୁଦ୍ର ଓ କ୍ଷୁଦ୍ର ଉଦ୍ୟୋଗଗୁଡିକ କରୋନା ମହାମାରୀ ସ୍ଥିତି ଯୋଗୁଁ ଗୁରୁତରଭାବେ ପ୍ରଭାବିତ ହୋଇଛନ୍ତି । ସେମାନଙ୍କର କାରବାର ସବୁ ବନ୍ଦ ହୋଇଯାଇଛି । ଏସବୁ ବେପାରୀ ଅଳ୍ପ ଲାଭ କରୁଥିବାରୁ ପାଖରେ ଯଥେଷ୍ଟ ଜମା ବା ପୁି ନାହିଁ । ଏକପକ୍ଷରେ ସେମାନେ ବଂଚିବାକୁ ସଂଘର୍ଷ କରୁଥିବାବେଳେ ଅନ୍ୟପଟରେ ଋଣ ସୁଝିବାକୁ ହାତରେ ଧନ ନାହିଁ । ତେଣୁ ଅନେକ ଋଣୀ କିସ୍ତି ଦେଇପାରିନାହାନ୍ତି । ଏହା ଫଳରେ ସେମାନେ ଆଉ ଥରେ ବ୍ୟାଙ୍କରୁ ଋଣ ପାଇବା ସମ୍ଭାବନା ନାହିଁ । ଏଭଳି ସ୍ଥିତିରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି ।

Leave A Reply

Your email address will not be published.

one × four =