ଆପଣ ପ୍ରକୃତରେ ଥିଲେ ଓଡିଶା ସାମ୍ବାଦିକତା କ୍ଷେତ୍ରରେ ଏକ ଚଳନ୍ତି ଅନୁଷ୍ଠାନ । ରାଜ୍ୟର ସାମ୍ବାଦିକଙ୍କ ଉନ୍ନତି ଓ ଉପକାର ଲାଗି ଲଢିବା ସହ ନିର୍ଭିକ ସମ୍ବାଦ ପରିବେଷଣ କରିବା ଥିଲା ଆପଣଙ୍କର ବୈଶିଷ୍ଟ୍ୟତା । ଦେଶ ସ୍ୱାଧିନତା ଲାଭ ପରେ ୬୦ ରୁ ୭୦ ଦଶକ ମଧ୍ୟରେ ଓଡିଶାରେ ଆରମ୍ଭ ହୋଇଯାଇଥିଲା ଆଧୁନିକ ସାମ୍ବାଦିକତା । ଏହି ସମୟକାଳ ମଧ୍ୟରେ ଯେଉଁ କିଛି ଯୁବ ପ୍ରତିଭା ସାମ୍ବାଦିକତାର ମଙ୍ଗ ଧରିଥିଲେ ସେମାନଙ୍କ ମଧ୍ୟରୁ ଆପଣ ହେଉଛନ୍ତି ଅନ୍ୟତମ । କଳିଙ୍ଗ, ସମାଜ, ପ୍ରଜାତନ୍ତ୍ର ଭଳି ଖବର କାଗଜରେ ଦୀର୍ଘ ୪୦ବର୍ଷ ଧରି ସାମ୍ବାଦିକତା ଏବଂ ପରେ ମୃତ୍ୟୁ ପର୍ଯ୍ୟନ୍ତ, ୧୫ ବର୍ଷ ଧରି ‘ନ୍ୟାୟବତୀ’ର ପ୍ରତିଷ୍ଠା ଓ ସମ୍ପାଦନା ମଧ୍ୟରେ ଆପଣ ଓଡିଶା ସାମ୍ବାଦିକତାକୁ ଏକ ନୁଆ ସୋପାନରେ ପହଂଚାଇବାକୁ ଜାରି ରଖିଥିଲେ ଅହରହ ଉଦ୍ୟମ । ବିଷେଶ କରି ଯୁବ ସାମ୍ବାଦିକଟିଏ ଅନୁସନ୍ଧାନମୂଳକ ଖବର ପ୍ରକାଶ ଜରିଆରେ ବଢିଚାଲିଥିବା ଅନ୍ୟାୟ ଅନୀତି ବିରୁଦ୍ଧରେ ସଂଗ୍ରାମ କରିବାକୁ ଜୋର ଦେଉଥିଲେ । ସମସ୍ତେ ଯେପରି ସଂପାଦକୀୟ ଲେଖିବାର ଯୋଗ୍ୟତା ହାସଲ କରିବେ ସେଥିନେଇ ଆପଣ ଗୁରୁତ୍ୱାରୋପ କରୁଥିଲେ – ଯାହାକୁ ପାଥେୟ କରି ଆଜି ନ୍ୟାୟବତୀ କାର୍ଯ୍ୟ କରୁଛି, ଏବଂ ଆଗକୁ ମଧ୍ୟ ଆପଣଙ୍କ ଆଦର୍ଶ ଏବଂ ପରାମର୍ଶକୁ ପାଥେୟ କରି ତା’ର ଯାତ୍ରା ଜାରି ରଖିବ । ଚାହୁଁ ଚାହୁଁ ଏହା ମଧ୍ୟରେ ବିତି ଯାଇଛି ଦୀର୍ଘ ୯ବର୍ଷ । ସଶରୀରରେ ଆପଣ ନାହାନ୍ତି ସତ! କିନ୍ତୁ ଆପଣ ଦେଇଥିବା ଉପଦେଣ ଓ ପରାମର୍ଶକୁ ପାଥେୟ କରି ଆମେ ଶତଚେଷ୍ଟା ଜାରି ରଖିିଛୁ- ଆପଣ ନିଜ ହାତରେ ଗଢିଥିବା ‘ନ୍ୟାୟବତୀ’କୁ ଆପଣଙ୍କ ଆଦର୍ଶରେ ପରିଚାଳିତ କରିବାକୁ । ଏଣୁ ପ୍ରତି ମୂହୁର୍ତରେ ଅନୁଭୁତ ହେଉଛି ଆପଣଙ୍କ ଉପସ୍ଥିତି ଏବଂ ସୁକ୍ଷ୍ମରେ ବଳ ଯୋଗାଉଛି ଆମକୁ ନିଜ କର୍ତବ୍ୟ ସମ୍ପାଦନ ନେଇ । ‘ନ୍ୟାୟବତୀ’ର ପ୍ରତିଷ୍ଠାତା ସଂପାଦକ ରବି ନାରାୟଣ ମହାନ୍ତିଙ୍କ ୧୦ମ ଶ୍ରାଦ୍ଧ ବାର୍ଷିକ ଅବସରରେ ନ୍ୟାୟବତୀ ପରିବାର ଅର୍ପଣ କରୁଛି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ।