ସିବିଆଇ ଅଧିକାରୀଙ୍କୁ ଜିନ୍‌ସ୍ ମନା

ନୂଆଦିଲ୍ଲୀ : ଜିନ୍‌ସ୍‌, ଟି-ସାର୍ଟ କିଂବା ସ୍ପୋର୍ଟସ୍ ସୁଜ୍ ପିନ୍ଧିବା ସହ୍ୟ କରାଯିବ ନାହିଁ କହି ଅଫିସ୍‌ରେ ଅଧିକାରୀ ଓ କର୍ମଚାରୀମାନଙ୍କ ପାଇଁ କେବଳ ‘ଫର୍ମାଲ୍‌’ ପୋଷାକ ପରିଧାନ ବାଧ୍ୟତାମୂଳକ ବୋଲି ‘ସିବିଆଇ’ର ନିର୍ଦ୍ଦେଶକ ସୁବୋଧ କୁମାର ଜୟସ୍ୱାଲ୍ କହିଛନ୍ତି ।
ଏ ସଂକ୍ରାନ୍ତରେ ଜାରି ଆଦେଶନାମା ଅନୁସାରେ, ପୁରୁଷମାନେ ଫର୍ମାଲ୍ ସାର୍ଟ, ଟ୍ରାଉଜର୍ସ ଓ ଜୋତା ପିନ୍ଧିବା ସହ ଉତ୍ତମରୂପେ କ୍ଷେର ହୋଇ ଅଫିସକୁ ଆସିବା ଉଚିତ । ମହିଳା କର୍ମଚାରୀମାନେ କେବଳ ଶାଢ଼ି, ସୁଟ୍‌, ଫର୍ମାଲ୍ ସାର୍ଟ ଏବଂ ଟ୍ରାଉଜର୍ସ ପିନ୍ଧି ପାରିବେ । ଅଫିସ ମଧ୍ୟରେ ଜିନ୍‌ସ୍‌, ଟି-ସାର୍ଟ, ସ୍ପୋର୍ଟସ୍ ସୁଜ୍‌, ଚପଲ ଏବଂ କାଜୁଆଲ୍ ପରିଧାନ ପାଇଁ ଅନୁମତି ଦିଆଯିବ ନାହିଁ । ଅକ୍ଷରେ ଅକ୍ଷରେ ଏହି ଗାଇଡ୍‌ଲାଇନ୍ ପାଳନ କରିବା ଲାଗି ମଧ୍ୟ ଦେଶରେ ଥିବା ‘ସିବିଆଇ’ର ସମସ୍ତ ଶାଖା ମୁଖ୍ୟଙ୍କୁ ନିର୍ଦେଶ ଦିଆଯାଇଛି । ପରିଚୟ ଗୋପନ ରଖିବା ଲାଗି ଅନୁରୋଧ କରି କେତେକ ‘ସିବିଆଇ’ ଅଧିକାରୀ କହିଛନ୍ତି ଯେ, ଏହା ଗୋଟାଏ ଉତ୍ତମ ଆଦେଶ । ପ୍ରତ୍ୟେକ ଅଧିକାରୀ ଏବଂ କର୍ମଚାରୀମାନେ ‘ଫର୍ମାଲ୍‌’ ପୋଷାକ ପିନ୍ଧିବା ଆବଶ୍ୟକ । କିନ୍ତୁ, କିଛି ବର୍ଷ ହେବ ଲୋକେ ଜିନ୍‌ସ୍ ଓ ଟି-ସାର୍ଟ ଭଳି ‘କାଜୁଆଲ୍‌’ ପୋଷାକ ପରିଧାନ କରୁଥିଲେ ବି କେହି ମନା କରୁ ନ ଥିଲେ । ‘ସିବିଆଇ’ ଅଧିକାରୀମାନେ ଅନ୍ୟୂନ କୋଲା ଥିବା ସାର୍ଟ, ଟ୍ରାଉର୍ଜସ୍ ଏବଂ ଜୋତା ପିନ୍ଧିବା ଆବଶ୍ୟକ । ‘ସିବିଆଇ’ ବିଷୟରେ ଅବଗତ ଥିବା ଲୋକଙ୍କ କହିବା ଅନୁସାରେ, ଗତ ସପ୍ତାହରେ ୩୩ତମ ନିର୍ଦେଶକ ଭାବେ ଯୋଗ ଦେଇଥିବା ଜୟସୱାଲ୍ ‘ସିବିଆଇ’ର ପାରଦର୍ଶିତା ଓ ଭାବମୂର୍ତ୍ତି ଉନ୍ନତ କରିବା ଲାଗି କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ପରିବର୍ତ୍ତନ ଆଣି ପାରନ୍ତି ।

Leave A Reply

Your email address will not be published.

3 × three =