ଭୁବନେଶ୍ୱର,୪ ।୬(ନି.ପ୍ର.): ହଂସପାଳ ଛକରେ ଖୁବ୍ଶୀଘ୍ର ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ଫ୍ଲାଏଓଭର କାମ । ସମ୍ଭବତଃ ଚଳିତ ସପ୍ତାହରେ କାମ ଆରମ୍ଭ ହୋଇପାରେ ଓ ଏ ନେଇ ପ୍ରସ୍ତୁତି ଆରମ୍ଭ କରିଦେଲାଣି ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଆଇ) ।
ଟେଣ୍ଡରଧାରୀ ଠିକା ସଂସ୍ଥାକୁ ମଧ୍ୟ କାମ ଆରମ୍ଭ ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଉକ୍ତ ଫ୍ଲାଏଓଭର କୁଆଖାଇ ବ୍ରିଜ୍ ମୁଣ୍ଡରୁ ଆରମ୍ଭ ହୋଇ ପୁରୀ-କେନାଲ ବ୍ରିଜ୍କୁ ସଂଯୋଗ କରିବ । କୁଆଖାଇ ଉପରେ ଥିବା ୩ଟି ବ୍ରିଜ୍କୁ ସଂଯୋଗ କରି ୬ ଲେନ୍ର ଫ୍ଲାଏଓଭର ନିର୍ମାଣ ହେବ । ଫ୍ଲାଏଓଭର ତଳେ ସର୍ଭିସ୍ ରୋଡ୍ ମଧ୍ୟ ରହିବ ।
ସ୍ଥାନୀୟ ଅଂଚଳ ଲୋକେ ସର୍ଭିସ୍ ରୋଡ୍ ମାଧ୍ୟମରେ ନିଜ ଗନ୍ତବ୍ୟ ରାସ୍ତାକୁ ଯାଇପାରିବେ ।
ସିଧାସଳଖ ଭୁବନେଶ୍ୱର କଟକ, କଟକରୁ ଭୁବନେଶ୍ୱର ଏବଂ ପୁରୀ ଦିଗକୁ ଯାଉଥିବା ଲୋକେ ଫ୍ଲାଏଓଭରରେ ଯିବେ । କଟକ-ଭୁବନେଶ୍ୱର ସଂଯୋଗ କରୁଥିବା ୧୬ ନମ୍ବର ଜାତୀୟ ରାଜପଥରେ ହଂସାପାଳ ଏକ ପ୍ରମୁଖ ଟ୍ରାଫିକ୍ ଛକ । ଭୁବନେଶ୍ୱର ସହର ପାଇଁ ଏହା ମୁଖ୍ୟ ପ୍ରବେଶ ଦ୍ୱାରା ।
ହଂସପାଳ ଛକ ଡେଇଁଲେ ହିଁ କୁଆଖାଇ ବ୍ରିଜ୍ ଦେଇ ଭୁବନେଶ୍ୱର ଓ ପୁରୀକୁ ବାଟ ଲମ୍ବିଛି । ମାତ୍ର ଏହି ଛକରେ ବି୍ରଜ୍ କିମ୍ବା ଭୂତଳ ରାସ୍ତା ନଥିବାରୁ ସବୁ ବେଳେ ଟ୍ରାଫିକ ସମସ୍ୟା ଉପୁଜୁଛି । ସ୍ଥାନୀୟ ଲୋକେ ବିପଦପୂର୍ଣ୍ଣ ଭାବେ ଏହି ଛକ ଦେଇ ରାସ୍ତା ପାର ହେଉଥିବା ବେଳେ ଜାତୀୟ ରାଜପଥରେ ଆସୁଥିବା ଗାଡ଼ିମଟର ମଧ୍ୟ ଟ୍ରାଫିକ ଯନ୍ତ୍ରଣା ଭୋଗୁଛନ୍ତି । ବାରମ୍ବାର ଏହି ଛକରେ ଛୋଟବଡ଼ ଦୁର୍ଘଟଣା ଘଟୁଛି । ଅନେକ ଜୀବନ ମଧ୍ୟ ଯାଇଛି । ଏଥିପାଇଁ ସ୍ଥାନୀୟ ଲୋକେ ଦୀର୍ଘ ଦିନରୁ ଫ୍ଲାଏଓଭର ପାଇଁ ଦାବି କରି ଆସୁଛନ୍ତି । ୧୬ ନମ୍ବର ଜାତୀୟ ରାଜପଥର ନବକଳେବର କାମ ଆରମ୍ଭ ବେଳେ ଏନ୍ଏଚ୍ଏଆଇ ଏହାକୁ ଅଣଦେଖା କରିଥିଲା । ମାତ୍ର ପରେ ସ୍ଥାନୀୟ ଲୋକେ ଫ୍ଲାଏଓଭର ପାଇଁ ଦାବି ଉଠାଇଥିଲେ । ଆବଶ୍ୟକତା ଅନୁଭବ କରିବା ପରେ ଫ୍ଲାଏଓଭର ନିର୍ମାଣ ପାଇଁ ଏନ୍ଏଚ୍ଏଆଇ ଏହି ପ୍ରକଳ୍ପ ହାତକୁ ନେଇଛି ।
ଏନ୍ଏଚ୍ଆଇ ଆଂଚଳିକ ଅଧିକାରୀ ଆର୍.ପି.ପଣ୍ଡା କହିଛନ୍ତି, ଏହି ପ୍ରକଳ୍ପ ପାଇଁ ପ୍ରାୟ ୨୪ କୋଟି ୬୩ ଲକ୍ଷ ଟଙ୍କା ବ୍ୟୟ ହେବ ଓ ନିର୍ମାଣ କାର୍ଯ୍ୟ ସାରିବାକୁ ଟେଣ୍ଡରରେ ୧୮ ମାସ ସମୟ ଦିଆଯାଇଛି । ଏହି କାମ ସରିଲେ ବହୁ ଦୁର୍ଘଟଣା ଆଉ ଘଟିବ ନାହିଁ ବୋଲି ସ୍ଥାନୀୟ ଲୋକେ ଆଶାପ୍ରକାଶ କରୁଛନ୍ତି ।