ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଆଜି ଏହାର ୭୨ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ଜାତୀୟ ଯୁଦ୍ଧ ସ୍ମାରକୀଠାରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯିବ। ପ୍ରତିରକ୍ଷା ସଚିବ ଡକ୍ଟର ଅଜୟ କୁମାର ଓ ଏନ୍.ସି.ସି. ଡି.ଜି. ଲେପ୍ଟନାଣ୍ଟ ଜେନେରାଲ୍ ରାଜୀବ ଚୋପଡ଼ା ଏନ୍.ସି.ସି. ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରିବେ। ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ସଚିବ କହିଛନ୍ତି, ଏନ୍.ସି.ସି. କ୍ୟାଡେଟ୍ ମାନେ କରୋନା ସମୟରେ ନିସ୍ୱାର୍ଥପରତାର ସହ କରୋନା ଯୋଦ୍ଧାମାନଙ୍କୁ ସହାୟତା କରିଛନ୍ତି ଓ ଜନସଚେତନତା ସୃଷ୍ଟି କରିଛନ୍ତି। ‘ଏକ୍ ଭାରତ ଶ୍ରେଷ୍ଠ ଭାରତ’, ‘ଆତ୍ମ ନିର୍ଭର ଭାରତ’ ଓ ‘ଫିଟ୍ ଇଣ୍ଡିଆ’ ଭଳି କାର୍ଯ୍ୟକ୍ରମଗୁଡ଼ିକରେ କ୍ୟାଡେଟ୍ ଓ ଅଫିସର୍ମାନେ ଦୃଷ୍ଟାନ୍ତମୂଳକ କାର୍ଯ୍ୟମାନ କରି ଦେଖାଇଛନ୍ତି। ସ୍ୱଚ୍ଛ ଅଭିଯାନ ଓ ମେଗା ପଲ୍ୟୁସନ୍ ପଖୱାଡା ଭଳି କାର୍ଯ୍ୟକ୍ରମରେ କ୍ୟାଡେଟ୍ମାନେ ଅଂଶଗ୍ରହଣ କରିବା ସହ ସରକାରଙ୍କର ଡିଜିଟାଲ୍ ସାକ୍ଷରତା, ଆନ୍ତର୍ଜାତିକ ଯୋଗ ଦିବସ, ବୃକ୍ଷରୋପଣ ଓ ଟିକାକରଣ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି କରିଛନ୍ତି।