କରୋନାର ଦ୍ୱିତୀୟ ଲହର ନେଲାଣି ୨୭୦ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ: ମହାମାରୀ କରୋନାରେ ଦ୍ୱିତୀୟ ଲହରରେ ବର୍ତମାନ ସୁଦ୍ଧା ୨୭୦ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମଏ) ପକ୍ଷରୁ କୁହାଯାଇଛି । ଗତବର୍ଷ କରୋନା ୭୩୬ ଜଣ ଡାକ୍ତରଙ୍କ ଜୀବନ ନେଇଥିଲା । ଦୁଇ ବର୍ଷ ମଧ୍ୟରେ ଦେଶ ପ୍ରାୟ ୧୦୦୦ ଜଣ ଡାକ୍ତରଙ୍କୁ ହରାଇ ସାରିଲାଣି । ‘ଆଇଏମ୍‌ଏ’ର ପୂର୍ବତନ ସଭାପତି ତଥା ପଦ୍ମଶ୍ରୀ ଡକ୍ତର କେ.କେ ଅଗ୍ରୱାଲା କରୋନାରେ ପ୍ରାଣ ହରାଇଛନ୍ତି । ସେ ଦୁଇଟି ଯାକ ଟିକା ନେଇଥିଲେ । ଦ୍ୱିତୀୟ ଲହରରେ ମୃତ ଡାକ୍ତରଙ୍କ ମଧ୍ୟରୁ ବିହାରରେ ସର୍ବାଧିକ ୭୮ଜଣଙ୍କର ଅଛନ୍ତି । ସେହିପରି ଉତର ପ୍ରଦେଶରେ ୩୭, ଦିଲ୍ଲୀରେ ୨୯ ଓ ଆନ୍ଧ୍ର ପ୍ରଦେଶରରେ ୨୨ଜଣ ଡାକ୍ତରଙ୍କର ମୃତ୍ୟୁ ଘଟିଛି ।
ଚଳିତ ବର୍ଷ ପ୍ରାଣ ହରାଇଥିବା ଡାକ୍ତରଙ୍କ ମଧ୍ୟରେ ସବୁଠାରୁ କନିଷ୍ଠ ହେଉଛନ୍ତି ଦିଲ୍ଲୀର ଗୁରୁ ତେଜ ବାହାଦୂର ହସ୍ପିଟାଲର କାର୍ଯ୍ୟରତ ୨୬ ବର୍ଷୀୟ ଅନସ ମୁଜାହିଦ । ସେ ଏଠାରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ବେଳେ ଭାଇରସ୍ ସଂସ୍ପର୍ଶରେ ଆସିଥିଲେ । ପଜିଟିଭ୍ ରିପୋର୍ଟ ଆସିବାର ମାତ୍ର କିଛି ଘଂଟା ପରେ ହଠାତ୍ ତାଙ୍କର ମୃତ୍ୟୁ ଘଟିଥିଲା । ଅନସଙ୍କ କୌଣସି ଅନ୍ୟାନ୍ୟ ରୋଗ ନଥିଲା ଓ ସେ ପୁରା ସୁସ୍ଥ ଥିଲେ । କେବଳ ତାଙ୍କ ଗଳା ଦରଜ ହେବାରୁ ସେ ଟେଷ୍ଟ କରାଇଥିଲେ ଓ ଏହା ପଜିଟିଭ୍ ଆସିଥିଲା । ହଠାତ୍ ତାଙ୍କର ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।
ଆସୋସିଏସନ୍ ପକ୍ଷରୁ କୁହାଯାଇଛି ଯେ, ଦ୍ୱିତୀୟ ଲହରରେ ପ୍ରାଣ ହରାଇଥିବା ୨୭୦ଜଣ ଡାକ୍ତରଙ୍କ ମଧ୍ୟରୁ କେବଳ ରବିବାର ୫୦ଜଣ ଡାକ୍ତର ପ୍ରାଣ ହରାଇଛନ୍ତି ।
କରୋନାରେ ପ୍ରାଣ ହରାଇଥିବା ଡାକ୍ତରଙ୍କ ମଧ୍ୟରୁ ମାତ୍ର ୩% ଟିକାର ଦୁଇଟି ଡୋଜ୍ ନେଇଥିଲେ । ଭାରତରେ ଟିକାକରଣ କାର୍ଯ୍ୟକ୍ରମ ୫ମାସ ହେଲା ଚାଲିଥିଲେ ହେଁ କେବଳ ୬୬% ସ୍ୱାସ୍ଥ୍ୟକର୍ମୀ ଟିକାର ଡୋଜ୍ ନେଇଛନ୍ତି । ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଟିକାର ଡୋଜ୍ ନେବାକୁ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି । ତଥାପି ଆଇଏମଏ ପକ୍ଷରୁ ସମସ୍ତଙ୍କୁ ଟିକା ନେବାକୁ ଉତ୍ôସାହିତ କରାହଯାଉଛି ବୋଲି ଆସୋସିଏସନ କହିଛି ।
ଆଇଏମ୍‌ଏର ସାଧାରଣ ସମ୍ପାଦକ ଡ. ଜୟେଶ ଲେଲେ କହିଛନ୍ତି, ଏହା ଦୁର୍ଭାଗ୍ୟର ବିଷୟ ଯେ ଆମେ ଗତକାଲି ୫୦ଜଣ ଡାକ୍ତରଙ୍କୁ ହରାଇଛୁ । ସେହିପରି ଚଳିତ ବର୍ଷ ଏପ୍ରିଲରୁ ଇତି ମଧ୍ୟରେ ୨୪୪ ଜଣ ଡାକ୍ତର ଆମକୁ ଛାଡି ଚାଲିଗଲେଣି । ଅନେକ ସ୍ଥାନରେ ଡାକ୍ତରମାନଙ୍କୁ କମ୍ ସଂଖ୍ୟକ ଷ୍ଟାଫ୍ ଓ ଅଧିକ ସମୟ କାମ କରିବାକୁ ପଡୁଛି । ସେମାନେ କେବଳ ୪୮ ଧରି କାମ କରୁଛନ୍ତି । ଏହାଦ୍ୱାରା ଭାଇରାଲ ଲୋଡ୍ ଅଧିକ ହେଉଛି ଓ ସେମାନେ ପ୍ରାଣ ହରାଉଛନ୍ତି । ସରକାର ଏହା ଉପରେ ଗୁରୁତ୍ୱ ଦେଇ ମେଡିକାଲ୍ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରିବା ଦରକାର ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଆଇଏମଏ ଦେଇଥିବା ସଂଖ୍ୟା ତୁଳନାୈର ଆହୁରି ଅଧିକ ଡାକ୍ତର ପ୍ରାଣ ହରାଇଥିବା କୁହାଯାଉଛି । କାରଣ ଦେଶରେ ୧୨ ଲକ୍ଷରୁ ଅଧିକ ଡାକ୍ତର ଥିବା ବେଳେ ଆଇଏମ୍‌ଏର ସଦସ୍ୟତା କେବଳ ୩.୫ ଲକ୍ଷ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.

thirteen + fifteen =