ମୁମ୍ବାଇ: ଟିକଟକ୍ ବ୍ୟବହାରୀଙ୍କ ପାଇଁ ଏକ ଖୁସି ଖବର । ଭାରତକୁ ପୁଣି ଫେରିପାରେ ଟିକ୍ ଟକ୍ । ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ଟିକଟକର ଭାରତ କାରବାର କିଣିବା ନେଇ କଥାବାର୍ତା ଚଳାଇଥିବା ସୂଚନା ମିଳିଛି । ଅନୁରୂପ ଭାବରେ ଆମେରିକାରେ ଟିକଟକକୁ ମାଇକ୍ରୋସଫ୍ଟ କିଣିବାର ସମ୍ଭାବନା ଉଜ୍ଵଳ ହୋଇଛି । ଚୀନ କମ୍ପାନୀ ଟିକଟକ୍ ତାର ମୁଖ୍ୟ ଦପ୍ତର ବେଜିଂରୁ ଆମେରିକା ଉଠାଇ ନେବା ପାଇଁ ଆପାତତଃ ଚୂଡ଼ାନ୍ତ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।ଟିକ୍ ଟକର ମୂଳ କମ୍ପାନୀ ବାଇଟ୍ ଡ଼୍ୟାନ୍ସ ତାହାର ଭାରତୀୟ ବଜାର କାରବାର ବିକ୍ରି ନିମନ୍ତେ ଯୋଜନା କରିଛି । ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ବାଇଟ୍ ଡ଼୍ୟାନ୍ସ ଭିଡ଼ିଓ ଆପ୍ ଟିକଟକ୍ ଭାରତୀୟ ବଜାର ଅମ୍ବାନୀଙ୍କ ଆରଆଇଏଲକୁ ବିକ୍ରି କରିପାରେ । ଏଥିନିମନ୍ତେ ଜୁଲାଇ ମାସ ଶେଷ ସପ୍ତାହରୁ କଥାବାର୍ତା ଆରମ୍ଭ ହୋଇଛି । ତେବେ ରିଲାଏନ୍ସ ବା ଟିିକଟକ୍ ପକ୍ଷରୁ ଏ ସଂପର୍କରେ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ । ଲାଦାଖର ଗଲୱାନ ଘାଟୀରେ ସୀମା ବିବାଦ ପରେ ଭାରତ ସରକାର ଚୀନର ୫୯ ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏଥିରେ ଟିକଟକ୍ ସମେତ ୱିଚାଟ୍, ଆଲିବାବା ଗ୍ରୁପର ୟୁସି ବ୍ରାଉଜର, ୟୁସି ନ୍ୟୁଜ୍ ପରି କିଛି ଲୋକପ୍ରିୟ ଆପ୍ ରହିଥିଲା । ଏହାପରେ ସରକାର ପୁଣି ୪୭ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଟିକଟକ୍ ଭାରତୀୟ ବଜାରରେ ପ୍ରାୟ ୩ ବିଲିଅନ ଡ଼ଲାର କାରବାର କରୁଥିଲା । ଗତ ସପ୍ତାହରେ ଆମେରିକା ଚୀନ ଆପ୍ ଟିକଟକକୁ ବ୍ୟବହାର ନିମନ୍ତେ ମଞ୍ଜୁରୀ ଦେଇଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ ଏଥିରେ ସ୍ବାକ୍ଷର କରିଛନ୍ତି । ଅବଶ୍ୟ ଏଥିପାଇଁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ କମ୍ପାନୀକୁ ସମୟ ଦିଆଯାଇଛି । ଏହି ସମୟରେ ଟିକଟକ୍ ଆମେରିକୀୟ କିମ୍ବା ଅନ୍ୟ କମ୍ପାନୀକୁ ବିକ୍ରି ନ ହେଲେ ଏହାକୁ ବନ୍ଦ କରିଦିଆଯିବ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି । ଆମେରିକାରେ ଟିକଟକର ବ୍ୟବସାୟ ପ୍ରାୟ ୩୦ ଆରବ ଡ଼ଲାର ବୋଲି ଆକଳନ କରାଯାଇଛି ।୨୦୧୯ରେ ଭାରତରୁ ହ୍ବାଇଟ୍ ଡ଼୍ୟାନ୍ସ ପାଇଛି ୪୩.୭ କୋଟି ଟଙ୍କାବାଇଟ୍ ଡ଼୍ୟାନ୍ସ ଦ୍ବାରା ପରିଚାଳିତ ଟିକଟକ୍ ୨୦୧୯ ମସିହାରେ ଭାରତରେ ୪୩.୭ କୋଟି ଟଙ୍କା କାରବାର କରିଛି ଏବଂ ଏଥିରୁ କମ୍ପାନୀ ୩.୪ କୋଟି ଟଙ୍କା ଲାଭ କରିଛି । ଆମେରିକାରେ କମ୍ପାନୀକୁ ୬୫୦ କୋଟି ଟଙ୍କା ରାଜସ୍ବ ମିଳିଛି । ଏକ ପରିସଂଖ୍ୟାନରୁ ଜଣାପଡ଼ିଛି ଯେ ପୃଥିବୀରେ ୨୦୦ କୋଟି ଥର ଟିକଟକ୍ ଆପ୍ ଡ଼ାଉନ ଲୋଡ଼ ହୋଇଛି ଏବଂ ଏହାମଧ୍ୟରୁ ୮୦ କୋଟି ସକ୍ରିୟ ବ୍ୟବହାରକାରୀ ଅଛନ୍ତି ।