ବିଶ୍ୱ ପରିବେଶ ଦିବସରେ ,ସୁଧାଂଶୁ ଶେଖର ଧଡ଼ାଙ୍କ ଆହ୍ୱାନ ଗଛ ଲଗାନ୍ତୁ ,ଜୀବନ ବଂଚାନ୍ତୁ

ଭୁବନେଶ୍ୱର: ବୃକ୍ଷ ହିଁ ଜୀବନ । ବୃକ୍ଷ ବିନା ଜୀବ ଜଗତ ତିଷ୍ଠିବା କଷ୍ଟକର । ମାତ୍ର ଆଜିର ମଣିଷ ଆଧୁନିକତା କୁ ଆପଣେଇ ନେଇ ପ୍ରକୃତିକୁ ଧ୍ୱଂଶ କରିଚାଲିଛି । ବିଶ୍ୱରୁ ବୃକ୍ଷ ଲତା ଲୋପ ପାଇବାକୁ ବସିଲାଣି । ହେଲେ ଜଙ୍ଗଲକୁ ଧ୍ୱଂଶ କରିଚାଲିଛି ପ୍ରକୃତି ବିରୋଧି ସ୍ୱାର୍ଥପର ମଣିଷ । ତେଣୁ ବିଶ୍ୱ ଆଜି ଧ୍ୱଂଶାଭିମୂଖି । ପ୍ରକୃତିକୁ ଧ୍ୱଂଶ କରି ମଣିଷ କେତେ ବଡ଼ ଭୁଲ କରିଚାଲିଛି ତାହା ବୁଝି ପାରୁନାହିଁ । ଦିନ ଆସିବ ପରିବେଶ ଧ୍ୱଂଶର ଭୟାନକ ପରିସ୍ଥିତି କୁ ସାମ୍ନା କରିବ ବେଫିକର ମାନବ ଜାତି । ମାତ୍ର ଏମିତି ଜଣେ ନିଆରା ମଣିଷ ଅଛନ୍ତି ଯେ ପ୍ରକୃତିକୁ ରକ୍ଷା କରିବା ପାଇଁ ଦୀର୍ଘ ୧୦ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ନୂଆ ଜଙ୍ଗଲ ସୃଷ୍ଟି କରିବାର ପ୍ରୟାସ ଜାରି ରଖିଛନ୍ତି । ସେ ହେଉଛନ୍ତି ଅବସର ପ୍ରାପ୍ତ ଭାରତୀୟ ସୂଚନା ସେବା ଅଧିକାରୀ ସୁଧଂଶୁ ଶେଖର ଧଡ଼ା ।


ବିଧ୍ୱସ୍ତ ଖଣ୍ଡଗିରି ପାହାଡ଼ର ପଶ୍ଚିମ ଭାଗରେ ସେ ନିରବଛନ୍ନ ଭାବରେ ଚାରା ରୋପଣ ସହ ତାର ଯତ୍ନ ନେବା କାର୍ଯ୍ୟ ମଧ୍ୟ କରିଆସୁଛନ୍ତି । ପରିବେଶକୁ ପ୍ରକୃତରେ ଅତି ନିକଟରୁ ବୁଝିଥିବା ଏବଂ ତାର ମହତ୍ୱକୁ ପରକ୍ଷି ତାର ଉନ୍ନତି କାମନା କରୁଥିବା ଜଣେ ଅନନ୍ୟ ବ୍ୟକ୍ତିତ୍ୱ ସେ । ପ୍ରତିବର୍ଷ ଭୁବନେଶ୍ୱରର ମଝିରେ ଥାଇ ମଧ୍ୟ ନିଆଁ ଦାଉରୁ ଖଣ୍ଡଗିରି ଓ ଉଦୟଗିରି ପାହାଡ଼ ଦୁଇଟିକୁ ରକ୍ଷା କରାଯାଇ ପାରୁନଥିବା ସ୍ଥଳେ , ସେ ଲଗାତର ଗଛ ଗୁଡ଼ିକର ଯତ୍ନ ନେଇ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଉଦ୍ୟମ କରିଆସୁଛନ୍ତି । ତାଙ୍କର ଏହି ଉଦ୍ୟମର ସଫଳତା ପାଇଁ ପ୍ରତିବର୍ଷ ଅମିତ୍ କଲେଜର ଛାତ୍ରଛାତ୍ରୀ ମାନେ ଲଗାଯାଇଥିବା ଗଛ ଚାରିପଟୁ ଅନାବନା ଗୁଳ୍ମଲତା ଉପାଡ଼ି ଏହି କାର୍ଯ୍ୟରେ ସହଯୋଗ କରୁଛନ୍ତି । ଭୁବନେଶ୍ୱରର ପରିବେଶ ସୁରକ୍ଷା ଦିଗରେ ମହାନଗର ନିଗମ ଅନ୍ତର୍ଗତ ପାହାଡ଼ ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୁମିକା ଥିବାରୁ , ସେ ଗଛ ଲଗାଇ ଗଛ ଗୁଡ଼ିକର ବଂଚିବା ଉପରେ ଗୁରୁତ୍ୱ ଦିଅନ୍ତି । ଖଣ୍ଡଗିରି ନିକଟସ୍ଥ ଜୟଦେବ ବାଟିକାରେ ମଧ୍ୟ ଅମିତ କଲେଜର ଛାତ୍ରଛାତ୍ରୀଙ୍କ ସହଯୋଗରେ ଶତାଧିକ ବିରଳ ପ୍ରଜାତିର ଗଛ ଲଗାଇଛନ୍ତି । ଅଧିକାଂଶ ଚାରା ସେ ନିଜ ଛାତ ଉପରେ ହିଁ ପ୍ରସ୍ତୁତ କରିଥାନ୍ତି । ପରିବେଶର ସୁରକ୍ଷା ଦିଗରେ ଚାରା ରୋପଣ ଠାରୁ ଚାରାକୁ ବଂଚାଇ ରଖିବାର ଉଦ୍ୟମ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହନ୍ତି ।

Leave A Reply

Your email address will not be published.

fourteen + nineteen =