କରୋନା ମୃତକଙ୍କୁ ଅନୁକମ୍ପା ସହାୟତା ଦିଅ

ନୂଆଦିଲ୍ଲୀ: ମହାମାରୀ କରୋନାରେ ମୃତ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ଅନୁକମ୍ପା ସହାୟତା ରାଶି ପ୍ରଦାନ କରିବା ପାଇଁ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏସଂକ୍ରାନ୍ତିୟ ଏକମାମଲାର ଶୁଣାଣୀ କରି ସର୍ବୋଚ୍ଚ ଅଦାଲତ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ଅର୍ଥରାଶି ପ୍ରଦାନ କରିବା ନିମନ୍ତେ ୬ ସପ୍ତାହ ମଧ୍ୟରେ ମାର୍ଗଦର୍ଶିକା ପ୍ରସ୍ତୁତି କରିବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପକ୍ଷରେ କରୋନା ମୃତକଙ୍କୁ ଅନୁକମ୍ପା ରାଶି ପ୍ରଦାନ କରାଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାର କରିଥିବା ନିବେଦନକୁ ସୁପ୍ରିମ୍ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ସୁପ୍ରିମ୍ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଅନୁକମ୍ପା ଭାବେ ପ୍ରଦାନ ହେବାକୁ ଥିବା ଅର୍ଥରାଶିର ପରିମାଣ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ । (ଏନ୍‌ଡିଏମ୍‌ଏ) ୬ମାସ ମଧ୍ୟରେ ନିଦ୍ଧାରଣ କରିବେ । କେତେ ପରିମାଣର କ୍ଷତିପୂରଣ ଦେବେ ତାହା ଏନଡିଏମ୍‌ଏ ନିଷ୍ପତି ଗ୍ରହଣ କରିବେ । ସୁପ୍ରିମ୍ କୋର୍ଟ କହିଛନ୍ତି ଯେ, କୋଭିଡ୍‌-୧୯ ଯୋଗୁଁ ମୃତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଅନୁକମ୍ପା ଅର୍ଥରାଶି ସମେତ ସର୍ବନିମ୍ନ ମାନର ରିଲିଫ୍ ଯୋଗାଇ ନ ପାରିବା ହେଉଛି ‘ଏନ୍‌ଡିଏମ୍‌ଏ’ର ବୈଧାନିକ କର୍ତ୍ତବ୍ୟ ନିର୍ବାହ ବିଫଳତା । ବିଚାପତି ଅଶୋକ ଭୂଷଣଙ୍କ ନେତୃତ୍ୱରେ ଗଠିତ ୩ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, କରୋନା ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ଦେବା ବାର୍ଦ୍ଧତା ମୂଳକ । ଏହା ଇଚ୍ଛାଧିନ ନୁହେଁ । ସେହିପରି ମୃତକଙ୍କ ପ୍ରମାଣ ପତ୍ରରେ ତାରିଖ ଏବଂ ମୃତ୍ୟୁର କାରଣ ସମ୍ପର୍କରେ ଉଲ୍ଲେଖ ପାଇଁ ଅଦାଲତ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।
କରୋନା ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ଅର୍ଥରାଶି ପ୍ରଦାନ କରାଯାଉ ବୋଲି ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ ଉପରୋକ୍ତ ରାୟ ଦେଇଛନ୍ତି । କୋଭିଡ୍‌-୧୯ ଜଟିଳତାଜନିତ ମୃତ୍ୟୁ କ୍ଷେତ୍ରରେ ପ୍ରଦାନ କରାଯାଉଥିବା ପ୍ରମାଣ ପତ୍ର ଜାରି ବ୍ୟବସ୍ଥା ମଧ୍ୟ ସରଳ କରିବା ଲାଗି ମାର୍ଗଦର୍ଶିକା ପ୍ରସ୍ତୁତି ନିମନ୍ତେ ସୁପ୍ରିମ୍ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.

five × 3 =