ଭାରତ ନିମନ୍ତେ ୫୦ କୋଟି ଟୀକା ଯୋଗାଇ ପାରିବ ସେରମ ଇନଷ୍ଟିଚ୍ୟୁଟ୍
ପ୍ରତି ମିନିଟରେ ଅନ୍ୟୂନ ୫୦୦ କୋବିଡ଼ ଟୀକା ପ୍ରସ୍ତୁତ କରିପାରିବ କମ୍ପାନୀ
କରୋନା ସଂକ୍ରମଣ ସାରା ବିଶ୍ଵ ପାଇଁ ଚିନ୍ତାଜନକ ହୋଇଛି । ତେବେ ଏହା ମଧ୍ୟରେ ଏକ ଆଶ୍ଵସ୍ତିର କଥା ହେଉଛି ସଂକ୍ରମିତଙ୍କ ମଧ୍ୟରୁ ଏକ ବଡ଼ ଅଂଶ କରୋନାରୁ ମୁକ୍ତ ହୋଇଛନ୍ତି । ଅନ୍ୟଏକ ଆଶ୍ଵସ୍ତିକର ଖବର ହେଉଛି ଭାରତ, ବ୍ରିଟେନ୍, ରୁଷ, ଆମେରିକା ପରି କିଛି ଦେଶ କରୋନା ଟୀକା ନିର୍ମାଣ ନିମନ୍ତେ ପୁରା ପ୍ରସ୍ତୁତି କରିଛନ୍ତି ଓ କିଛି ଗବେଷକ ଟୀକା ପ୍ରସ୍ତୁତିର ବେଶ୍ ନିକଟତର ହୋଇଛନ୍ତି । କିଛି ସ୍ଥାନରେ ଟୀକାର କ୍ଲିନିକାଲ ଟ୍ରାଏଲ ମଧ୍ୟ ଆରମ୍ଭ ହୋଇଛି । ରୁଷ, ଆମେରିକା, ଚୀନ ଖୁବ୍ ଶୀଘ୍ର ଟୀକା ବିକଶିତ କରିବା ନେଇ ଘୋଷଣା କରିଛନ୍ତି ଓ ଭାରତ ମଧ୍ୟ ଏଥିରେ ପଛରେ ପଡ଼ିନାହିଁ । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଭାରତୀୟ ଟୀକା ନିମନ୍ତେ ଏବେ ଦେଶ ବିଦେଶରୁ ଆଗୁଆ ବରାଦ ଭାରତୀୟ କମ୍ପାନୀ ନିକଟରେ ପହଞ୍ଚିଛି । ହାଇଦ୍ରାବାଦର ଭାରତ ବାୟୋଟେକ୍ ଓ ପୁନେର ସିରମ ଇନଷ୍ଟିଚ୍ୟୁଟ୍ ଭାରତରେ କରୋନା ଟୀକା ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ଭାରତ ବାୟୋଟେକ୍ କ୍ୟାଡ଼ିଲା ଓ ଅନ୍ୟ କିଛି କମ୍ପାନୀ ସହ ମିଶି ଟୀକା ପ୍ରସ୍ତୁତ କରୁଛି ଏବଂ ସିରମ ଇନଷ୍ଟିଚ୍ୟୁଟ୍ ଅକ୍ସଫୋର୍ଡ଼ ୟୁନିଭରସିଟି ସହ ମିଶି ଟୀକା ଗବେଷଣା ଚଳାଇଛି । ସିରମ ଇନ୍ଷ୍ଟିଚ୍ୟୁଟ୍ ବିଶ୍ଵର ଅଗ୍ରଣୀ ଟୀକା ନିର୍ମାଣକାରୀ କମ୍ପାନୀ ମଧ୍ୟରୁ ଗୋଟିଏ ଏବଂ ଅକ୍ସଫୋର୍ଡ଼ ବିଶ୍ଵବିଦ୍ୟାଳୟ ସହ ମିଶି କମ୍ପାନୀ ଯେଉଁ ଟୀକା ପ୍ରସ୍ତୁତ କରିଛି ତାହାର ନାମ ‘କୋଭିସିଲ୍ଡ଼’ (Covishield) ଦିଆଯାଇଛି । ପ୍ରଥମ ଦୁଇ ପର୍ଯ୍ୟାୟ ମାନବ ପରୀକ୍ଷଣ କରାଯିବା ପରେ ଏହା ସଫଳ ଏବଂ ସୁରକ୍ଷିତ ସାବ୍ୟସ୍ତ ହୋଇଛି । ଏହା ଯୋଗୁଁ ସାରା ବିଶ୍ଵର ନଜର ଏହି ଟୀକା ଉପରେ ନିବଦ୍ଧ ହୋଇଛି । ଏହି ଟୀକା କରୋନା ଭୂତାଣୁ ଉପରେ ଦୁଇ ପ୍ରକାର ପ୍ରଭାବ ପକାଇ ପାରିବାକୁ ସକ୍ଷମ । କ୍ଲିନିକାଲ ଟ୍ରାଏଲ ସମୟରେ ଏହି ଟୀକା ମଣିଷ ଶରୀରରେ ଆଣ୍ଟିବଡ଼ି ଓ ଟି ସେଲ୍ ଉଭୟକୁ ବିକଶିତ କରିବାରେ ସଫଳ ହୋଇଛି । ଟି ସେଲ ଭୂତାଣୁକୁ ଚିହ୍ନଟ କରିବା ନିମନ୍ତେ ସହାୟତା କରିଥାଏ ଓ ଆଣ୍ଟିବଡ଼ି ଭୂତାଣୁ ସହ ଲଢ଼ିଥାଏ । କମ୍ପାନୀର ପ୍ରମୁଖ ଅଦାର ପୁନାୱାଲ ନ୍ୟୁୟର୍କ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାର ଅନୁସାରେ ଅନୁସାରେ ବ୍ରିଟେନ୍ ଓ ଅନ୍ୟ ଦେଶରେ ଏହି ଟୀକାର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ହୋଇଛି । ଏଥିରେ ଫଳାଫଳ ସକାରାତ୍ମକ ରହିଛି । ଭାରତରେ ଏହି ଟୀକାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ହେବ । ଏହି ଟୀକା ଉପରେ ସାରା ବିଶ୍ଵର ବିଭିନ୍ନ ଦେଶ ନଜର ରଖିଛନ୍ତି । ସିରମ୍ ଇନଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ପୁନାୱାଲଙ୍କ ସୂଚନା ଅନୁସାରେ ଅକ୍ସଫୋର୍ଡ଼ ସହ ମିଶି କମ୍ପାନୀର ବୈଜ୍ଞାନିକମାନେ ପ୍ରତି ମିନିଟରେ ୫୦୦ ଟୀକା ପ୍ରସ୍ତୁତି ନିମନ୍ତେ ସକ୍ଷମ ହୋଇ ପାରିଛନ୍ତି । ବିଶ୍ଵର ବିଭିନ୍ନ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସ୍ବାସ୍ଥ୍ୟ ମନ୍ତ୍ରୀମାନଙ୍କର ଫୋନ୍ ତାଙ୍କ ନିକଟକୁ ଆସୁଛି । ସମସ୍ତେ ଚାହୁଁଛନ୍ତି ତାଙ୍କ ଦେଶକୁ ପ୍ରଥମେ ଟୀକା ପ୍ରଦାନ କରାଯାଉ । ଟୀକାର ମାନବ ପରୀକ୍ଷଣ ସଫଳ ହେବ ସେ ବିଶ୍ଵାସ ମୋର ରହିଛି ଓପ୍ରଥମ ପର୍ଯ୍ୟାୟରେ ଭାରତରେ ୫୦ କୋଟିରୁ ଅଧିକ ଟୀକା କମ୍ପାନୀ ଯୋଗାଇ ପାରିବ ବୋଲି ଶ୍ରୀ ପୁନାୱାଲା କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଟୀକା ପ୍ରସ୍ତୁତି କ୍ଷେତ୍ରରେ ସିରମ ଇନଷ୍ଟିଚ୍ୟୁଟ୍ ବିଶ୍ଵର ଅନ୍ୟତମ ଅଗ୍ରଣୀ କମ୍ପାନୀ ଭାବରେ ଗଣାଯାଏ । ଏଠାରେ ବର୍ଷକୁ ପ୍ରାୟ ଦେଢ଼ ବିଲିଅନ ବିଭିନ୍ନ ପ୍ରକାର ଟୀକା ପ୍ରସ୍ତୁତ କରାଯାଇଥାଏ । ଏହାର ଅଧିକାଂଶ ଡ଼ୋଜ୍ ଗରିବ ଦେଶଗୁଡ଼ିକୁ ରପ୍ତାନୀ ହୋଇଥାଏ । ସାରା ବିଶ୍ଵରେ ଶିଶୁମାନଙ୍କୁ ଦିଆଯାଉଥିବା ଟୀକାର ପ୍ରାୟ ଅର୍ଦ୍ଧେକ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପ୍ରସ୍ତୁତ କରିଥାଏ ।