ନୂଆଦିଲ୍ଲୀ: କରୋନା ମହାମାରୀ ମୁକାବିଲା ପାଇଁ ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ପ୍ରସ୍ତୁତ କରିଥିବା ୨-ଡିଜି ଔଷଧର ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଶୁଭାରମ୍ଭ କରିଛନ୍ତି । ଏଥିଲାଗି ଆୟୋଜିତ ଏକ ଉତ୍ସବରେ ଉଭୟ କେନ୍ଦ୍ରମନ୍ତ୍ରୀ ଏହାର ଶୁଭାରମ୍ଭ କରିବା ସହ ଦେଶରେ କରୋନା ଲଢେଇରେ ୨-ଡିଜି ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ ବୋଲି ଦୃଢ ଆଶା ପ୍ରକଟ କରିଛନ୍ତି । ଏବେ ଏହି ଔଷଧକୁ କରୋନା ଚିକିତ୍ସାରେ ବ୍ୟବହାର କରାଯିବ । ସର୍ବପ୍ରଥମେ ଦିଲ୍ଳୀରେ ଡିଆରଡିଓ କୋଭିଡ୍ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଏହି ଔଷଧ ପ୍ରଦାନ କରାଯିବ ।
କରୋନା ବିରୋଧୀ ଲଢେଇରେ ଡିଆରଡିଓ ଏହି ଔଷଧ ନୂଆ ଆଶା ସଞ୍ଚାର କରିଛି । ଏହି ଔଷଧର ପୂରା ନାମ ୨-ଡିଅକ୍ସି-ଡି-ଗ୍ଲୁକୋଜ । ଏହା ପାଉଡର ରୂପରେ ପ୍ୟାକେଟ୍ରେ ରହିଛି । ପାଣିରେ ମିଶାଇ ଏହାକୁ ସେବନ କରାଯିବ । ଡ୍ରଗ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ଏହାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଥିଲା ।