ନୂଆଦିଲ୍ଲୀ: ଦେଶରେ ବାର୍ଡ ଫ୍ଲୁ ବ୍ୟାପିବାରେ ଲାଗିଛି । ହେଲେ ଏଥିରେ ବ୍ୟସ୍ତ ନ ହେବାକୁ କେନ୍ଦ୍ର ପଶୁ ସମ୍ପଦ ମନ୍ତ୍ରୀ ଗିରିରାଜ ସିଂହ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଆଭିଆନ ଏନଫ୍ଲୁଏଞ୍ଜା ବା ବାର୍ଡ ଫ୍ଲୁ ବର୍ତିବାକୁ ହେଲେ କଣ କରିବାକୁ ହେବ । ବାର୍ଡ ଫ୍ଲୁ ଭିତରେ ମଧ୍ୟ ଦେଶବାସୀ ଅଣ୍ଡା ଓ ମାଂସ ବେଶ ଆରାମରେ ଖାଇପାରିବେ । କିନ୍ତୁ ଏହାକୁ ଭଲ ଭାବେ ଶିଝାଇ ଓ ରାନ୍ଧିବା ପରେ ଖାଇଲେ , ବାର୍ଡ ଫ୍ଲୁ କିଛି କରିପାରିବ ନାହିଁ ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ବୁଧବାର ଟ୍ୱିଟ କରି କହିଛନ୍ତି , ‘’ କିଛି ସ୍ଥାନରେ ବିଦେଶରୁ ଆସିଥିବା ପକ୍ଷୀ ଓ ଜଙ୍ଗଲରେ ରହୁଥିବା ପକ୍ଷୀଙ୍କ ଶରୀରରେ ବାର୍ଡ ଫ୍ଲୁ ଭୂତାଣୁ ମିଳିଥିବା ଖବର ମିଳିଛି । ତେଣୁ ଅଣ୍ଡା ଓ ମାଂସକୁ ଲୋକମାନେ ଭଲ ଭାବେ ରାନ୍ଧି ଖାଆନ୍ତୁ । ବ୍ୟସ୍ତ ହେବାର କିଛି କାରଣ ନାହିଁ । ରାଜ୍ୟମାନଙ୍କ ସହ ଯୋଗାଯୋଗ କରି ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯାଉଛି’’ । ଏଥିସହ ଶ୍ରୀ ସିଂହ ହିମାଂଚଳ ପ୍ରଦେଶ , ମଧ୍ୟ ପ୍ରଦେଶ , କେରଳ ଓ ରାଜସ୍ଥାନରେ ଦେଖାଯାଇଥିବା ଅଭିଆନ ଫ୍ଲୁର ଷ୍ଟାଟସ ରିପୋର୍ଟ ଦେଇଛନ୍ତି ।ଏହି ସବୁ ରାଜ୍ୟର ୧୨ ଟି ସ୍ଥାନକୁ ବାର୍ଡ ଫ୍ଲୁର କେନ୍ଦ୍ରସ୍ଥଳ ଭାବେ ଚିହ୍ନଟ କରାଯାଇଛି । ବିଗତ ୧୦ ଦିନ ହେଲାଣି ଦେଶର ବିଭିନ୍ନ ସ୍ଥାନରେ ପକ୍ଷୀ ମଡକ ଦେଖିବାକୁ ମିଳୁଛି । ପ୍ରାଣ ହରାଇଥିବା ପକ୍ଷୀମାନଙ୍କ ମଧ୍ୟରେ ଅନେକ ବିଦେଶରୁ ଆସିଥିବା ଜଣାପଡିଛି । ଏମାନଙ୍କ ଶରୀରରେ ବାର୍ଡ ଫ୍ଲୁର ଭୂତାଣୁ ଠାବ ହେବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି । ତେବେ ଏହାକୁ ଦୃଷ୍ଟିରେ ରଖି କିଛି ରାଜ୍ୟରେ କୁକୁଡା ଓ ବତକ ମରାଯିବା ଅଭିଯାନ ଆରମ୍ଭ କରାଯାଇଛି । ସେହିପରି ପ୍ରଭାବିତ ହେବା ଆଶଙ୍କାରେ କିଛି ରାଜ୍ୟ ଆନ୍ତଃରାଜ୍ୟ କୁକୁଡା ବ୍ୟବସାୟକୁ ବନ୍ଦ କରିଦେଇଛନ୍ତି । କେନ୍ଦ୍ର ସରକାର ମଧ୍ୟ ସ୍ଥିତି ଉପରେ ନଜର ରଖିବା ପାଇଁ ଦିଲ୍ଲୀରେ କଂଟ୍ରୋଲ ରୁମ ପ୍ରତିÂା କରିଛନ୍ତି । କେନ୍ଦ୍ର ସରକାର ବାର୍ଡ ଫ୍ଲୁ ପାଇଁ ଜାରି କରିଥିବା ଗାଇଡଲାନରେ କହିଛନ୍ତି ଯେ କୁକୁଡା ଓ ପକ୍ଷୀ ଚାଷ ହେଉଥିବା ଅଂଚଳଗୁଡିକ ପାଇଁ ଜୈବ ସୁରକ୍ଷା ବଳୟ କରାଯାଉ । ସେହିପରି ସଂକ୍ରମିତ ସ୍ଥାନଗୁଡିକୁ ଭଲ ଭାବେ ବିଶୋଧନ କରିବା , ପ୍ରାଣ ହରାଇଥିବା ପକ୍ଷୀମାନଙ୍କୁ ଭଲ ଭାବେ ୋତା ଯାଇ ନଷ୍ଟ କରାଯିବା ଓ ସର୍ଭେଲାନ୍ସକୁ ଠିକ ଭାବେ ପାଳନ କରିବାକୁ କହିଛନ୍ତି । ରାଜ୍ୟ ସରକାରଙ୍କ ଅଧିକାରୀମାନେ ବନ ବିଭାଗ କର୍ମଚାରୀଙ୍କ ସହ ସମନ୍ୱୟ ରକ୍ଷା କରି କାମ କରିବାକୁ ମଧ୍ୟ କେନ୍ଦ୍ର ସରକାର କହିଛନ୍ତି ।