ବିଶ୍ୱ ହୃତପିଣ୍ଡ ଦିବସ

ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ପାଳିତ ହୁଏ ‘ବିଶ୍ୱ ହୃତପିଣ୍ଡ ଦିବସ’ । ସାଧାରଣ ଲୋକଙ୍କୁ ହୃତପିଣ୍ଡର ସ୍ୱାସ୍ଥ୍ୟ ବାବଦରେ ସଚେତନ କରାଇବା, ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ହୃତପିଣ୍ଡ ସମଗ୍ର ଶରୀରକୁ ଶକ୍ତି ଦେଇଥାଏ । ଏହାର ସ୍ୱାସ୍ଥ୍ୟ, ସାରା ଶରୀରର ସ୍ୱାସ୍ଥ୍ୟ । ନିଜ ହୃତପିଣ୍ଡ ପ୍ରତି ଯତ୍ନବାନ ହେବାର ଅର୍ଥ -ଉଚିତ ଖାଦ୍ୟ ଓ ପାନୀୟ ଗ୍ରହଣ , ବ୍ୟାୟାମ , ଧୂମପାନ ବର୍ଜନ ଆଦି । ଏସବୁ ପାଳନ କଲେ ମଣିଷ ସୁସ୍ଥ ରହିପାରିବ । ଯଦି ପାଳନ ନ କରିବ , ତେବେ ହୃତପିଣ୍ଡ ଜନିତ ବ୍ୟାଧି ଭୋଗିବାର ଆଶଙ୍କା ବଢ଼ିବ । ହୃଦ୍ଘାତ ବିଶ୍ୱର ଏକ ନମ୍ବର ହତ୍ୟାକରୀ । ଏହା ଅତି ମାରାତ୍ମକ । ଏହା ଦ୍ୱାରା ଜୀବନ ଯାଇପାରେ; ମଣିଷ ଅକ୍ଷମ ବି ହୋଇଯାଇପାରେ । ଶ୍ୱେତାଙ୍ଗ ମାର୍କିନ୍ଙ୍କ ତୁଳନାରେ ଭାରତୀୟମାନେ ହୃଦଘାତ ଭୋଗିବାର ଆଶଙ୍କା ୩-୪ ଗୁଣ ଅଧିକ , ଚାଇନିଜ୍ଙ୍କ ତୁଳନାରେ ୬ଗୁଣ ଅଧିକ ଏବଂ ଜାପାନୀଙ୍କ ତୁଳନାରେ ୨୦ଗୁଣ ଅଧିକ । ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ଏକ ରିପୋର୍ଟ ଅନୁଯାୟୀ ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ବିଶ୍ୱର ମୋଟ ହୃତପିଣ୍ଡ -ରୋଗୀଙ୍କର ଅଧାରୁ ଅଧିକ ଭାରତୀୟ ହୋଇଥିବେ । ସଂପ୍ରତି ୪.୫ କୋଟି ଭାରତୀୟ ହୃଦ୍-ଧମନି (କରୋନାରି ଆର୍ଟେରି ) ଜନିତ ରୋଗ ଭୋଗୁଛନ୍ତି । କ୍୍ରମଶଃ ଅଧିକରୁ ଅଧିକ ଯୁବକ ଏ ଭଳି ରୋଗ ଭୋଗୁଥିବା ଅତ୍ୟନ୍ତ ଚିନ୍ତାର ବିଷୟ । ପାଶ୍ଚାତ୍ୟ ଦେଶମାନଙ୍କରେ ୪୦ ବର୍ଷରୁ କମ୍ ବୟସ୍କ ମାତ୍ର ୫ ପ୍ରତିଶତ ବ୍ୟକ୍ତି ହୃଦଘାତର ଶିକାର ହେଉଥିବା ବେଳେ , ଆମ ଦେଶରେ ଏହି ସଂଖ୍ୟା ୧୨-୧୬ ପ୍ରତିଶତ । ପୁଷ୍ଟିକର ଖାଦ୍ୟର ଅଭାବ , ପ୍ରଦୂଷିତ ପରିବେଶ ଓ ବିଶୃଙ୍ଖଳିତ ଜୀବନ-ଶୈଳୀ ଏହାର ମୁଖ୍ୟ କାରଣ । ଉଚ୍ଚ ରକ୍ତ ଚାପ, ମଧୁମେହ, ଧୂମପାନ , ତମାଖୁ , ମେଦବହୁଳତା ଆଦି ମଧ୍ୟ ବିଭିନ୍ନ ହୃଦରୋଗକୁ ଭୟଙ୍କର ଭାବେ ପ୍ରଭାବିତ କରିଥାଏ । ତେଣୁ ସମସ୍ତେ ଏସବୁ ବାବଦରେ ସଚେତନ ରହିବା ଆବଶ୍ୟକ ।

Leave A Reply

Your email address will not be published.

five × five =