ପ୍ୟାରିସ: ଭାରତ ବିଶ୍ୱର ସର୍ବବୃହତ ପରମାଣୁ ଶକ୍ତି କେନ୍ଦ୍ର ନିର୍ମାଣ କରିବାକୁ ଯାଉଛି । ଫ୍ରାନ୍ସର ଶକ୍ତି ଉତ୍ପାଦନକାରୀ ସଂସ୍ଥା ଇଡିଏଫ୍ ଏହି ଶକ୍ତି ପ୍ରକଳ୍ପ ନିର୍ମାଣ ପାଇଁ ଟେକେ୍ନା- କମର୍ସିଆଲ ଅଫର ଦାଖଲ କରିଥିବା କହିଛି । ବିଭିନ୍ନ ରାଷ୍ଟ୍ରରେ ଥିବା ପରମାଣୁ ଶକ୍ତି କେନ୍ଦ୍ରରେ ଘଟୁଥିବା ଦୁର୍ଘଟଣା ଏବଂ ଏହା ନିର୍ମାଣ ନିମନ୍ତେ ପ୍ରସ୍ତାବିତ ସ୍ଥାନରେ ଅଧିବାସୀଙ୍କ ବିରୋଧ କାରଣରୁ ପ୍ରକଳ୍ପ ଦୀର୍ଘଦିନ ହେଲା ଘୁଞ୍ଚି ଘୁଞ୍ଚି ଚାଲିଛି । ଇଡିଏଫ୍ କହିଛି ଯେ ଏହା ଭାରତର ମହାରାଷ୍ଟ୍ରର ଜଇତାପୁରଠାରେ ପ୍ରସ୍ତାବିତ ଏହି ପ୍ରକଳ୍ପ ପାଇଁ ୬ଟି ଥାର୍ଡ ଜେନେରେସନ ଇପିଆର ରିଆକ୍ଟର ନିର୍ମାଣ କରିବାକୁ ଇଞ୍ଜିନିୟରିଂ ସର୍ଭେ ତଥା ଉପକରଣ ଯୋଗାଣ ସକାଶେ ଏକ ବାଇଣ୍ଡିଂ ଅଫର ଦାଖଲ କରିଛି । ପ୍ରକଳ୍ପ କାମ ଶେଷହେଲେ ତାହା ୧୦ଟି ଜିଗାୱାଟ ଶକ୍ତି ଉତ୍ପାଦନ କରିବ । ଏହା ପ୍ରାୟ ୭୦ ନିୟୁତ ପରିବାରକୁ ଶକ୍ତି ଯୋଗାଇବାକୁ ଯଥେଷ୍ଟ ହେବ । ଏହି ପରମାଣୁ ଶକ୍ତି କେନ୍ଦ୍ର ନିର୍ମାଣ ପାଇଁ ପ୍ରାୟ ୧୫ ବର୍ଷ ଲାଗିବ । ତେବେ ନିର୍ମାଣ କାମ ଶେଷହେବା ପୂର୍ବରୁ ଉକ୍ତ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇପାରିବ । ଇଡିଏଫ୍ର ଜଣେ ମୁଖପାତ୍ର କହିଛନ୍ତି , ଆଗାମୀ କିଛିମାସ ମଧ୍ୟରେ ଏହାର ଠିକା ଚୂଡାନ୍ତ କମ୍ପାନୀ ଭାରତୀୟ କତ୍ତୃପକ୍ଷଙ୍କ ସହିତ ଏ ସମ୍ପର୍କରେ ଆଲୋଚନା ଜାରି ରଖିଛି ଏବଂ ଏହା ନିଜେ ଶକ୍ତି କେନ୍ଦ୍ର ନିର୍ମାଣ କରିବନାହିଁ । ବରଂ ଏହା ନ୍ୟୁକ୍ଲିୟର ରିଆକ୍ଟର ଯୋଗାଇଦେବ । ଏହି ପ୍ରକଳ୍ପ ପାଇଁ ଆର୍ଥିକ ଦିଗରୁ ବିସ୍ତୃତ ସୂଚନା ପ୍ରକାଶ କରାଯାଇ ନଥିଲେ ମଧ୍ୟ ଏଥିରେ ବହୁକୋଟି ଟଙ୍କା ଖର୍ଚ୍ଚ କରାଯିବ । ୨୦ ବର୍ଷ ତଳେ ଏହି ପ୍ରକଳ୍ପ ନିର୍ମାଣ ପ୍ରସ୍ତାବ ଆସିବାପରେ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଏହାକୁ ନେଇ ଦୃଢ ବିରୋଧ କରାଯାଇଥିଲା । ସଂପ୍ରତି ମହାରାଷ୍ଟ୍ରରେ କ୍ଷମତାସୀନ ଶିବସେନା ଏହି ପ୍ରକଳ୍ପକୁ ବିରୋଧ କରି ଥିବାବେଳେ ସଂପ୍ରତି ତାହାକୁ ନେଇ ସେଭଳି ସ୍ୱର ଆଉ ଶୁଭୁନାହିଁ । ଉକ୍ତ ପ୍ରକଳ୍ପ ନିର୍ମାଣ ସମୟରେ ସ୍ଥାନୀୟ ସ୍ତରରେ ପ୍ରାୟ ୨୫.୦୦୦ କର୍ମନିଯୁକ୍ତି ସୁଯୋଗ ସହିତ ନିର୍ମାଣ ପରେ ୨୭୦୦ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଇଡିଏଫ୍ କହିଛି ।