ହାଇଦ୍ରାବାଦ: ଶନିବାର ଅପରାହ୍ଣରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠାନ ‘ହିନ୍ଦୁସ୍ତାନ ସିପ୍ୟାଡ୍ ଲିମିଟେଡ୍’ରେ ଗୋଟାଏ ପ୍ରକାଣ୍ଡ କ୍ରେନ୍ ଭାଙ୍ଗିପଡ଼ିବାରୁ ଅନ୍ୟୂନ ୧୦ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ କେତେକ ଆହତ ହୋଇଥିବା କଥା ମଧ୍ୟ ପୁଲିସ କହିଛି। ଜାହାଜ ନିର୍ମାଣ ଲାଗି ସାମଗ୍ରୀ ଉଠାଇବାରେ ବ୍ୟବହୃତ କ୍ରେନ୍ଟିକୁ ଶ୍ରମିକମାନେ ଯାଞ୍ଚ କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ହଠାତ୍ ଏହି ପ୍ରକାଣ୍ଡ କ୍ରେନ୍ଟି ଭାଙ୍ଗିଯାଇ ପ୍ରଚଣ୍ଡ ଶବ୍ଦ ସହ ତଳେ ପଡ଼ିଯାଇଥିଲା। ଏଥିରେ ପ୍ରାୟ ୨୦ ଜଣ ଶ୍ରମିକ ଯାଞ୍ଚ କାର୍ଯ୍ୟ କରୁଥିବା ବେଳେ କ୍ରେନ୍ ଭାଙ୍ଗିପଡ଼ିଥିଲା।
କେତେକ ଶ୍ରମିକ ସୁରକ୍ଷିତ ସ୍ଥାନକୁ ଧାଇଁ ପଳାଇଥିବା ବେଳେ ଅନ୍ୟ କେତେକ ଆହତ ହୋଇଥିଲେ। ଅନ୍ୟୂନ ୧୦ଜଣ ଶ୍ରମିକ କ୍ରେନ ତଳେ ରହି ମୃତ୍ୟୁ ବାରଣ କରିଥିବା ପୁଲିସ କହିଛି ।ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାମାନଙ୍କୁ ନିଆଯାଇଛି। ଦୁର୍ଘଟଣାର କାରଣ ସମ୍ବନ୍ଧରେ ତଦନ୍ତ କରିବାକୁ ବିଶାଖାପାଟଣା ପୁଲିସ କମିସନର୍ ଆର୍କେ ମୀନା ଘଟଣାସ୍ଥଳକୁ ଯାଇଛନ୍ତି। ପ୍ରାୟ ଦଶ ବର୍ଷ ତଳେ କ୍ରେନଟି ଏଚ୍ଏସ୍ଏଲ୍ କିଣିଥିଲା। ଏବେ ତାହା ଗୋଟିଏ ଘରୋଇ ଏଜେନ୍ସିକୁ ଆଉଟ୍ସୋର୍ସିଙ୍ଗ୍ ପାଇଁ ଦିଆଯାଇଥିଲା।