ମଥୁରା: ଅଯୋଧ୍ୟାରେ ବାବରୀ ମସ୍ଜିଦ ଭଙ୍ଗାଯାଇ ଶ୍ରୀରାମ ମନ୍ଦିର ନିର୍ମାଣ କାର୍ୟ୍ୟ ଆରମ୍ଭ ସହିତ ମଥୁରାସ୍ଥିତ ଶ୍ରୀକୃଷ୍ଣ ଜନ୍ମସ୍ଥାନ ମନ୍ଦିର ନିକଟରେ ଥିବା ମସ୍ଜିଦ ହଟାଇବା ଅଭିଯାନ ଜୋର୍ ଧରିଛି। ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେବା ସଂସ୍ଥାନ ଓ ସାହି ଇଦ୍ଗା ପରିଚାଳନା କମିଟି ମଧ୍ୟରେ ସମ୍ପୃକ୍ତ ଜମିକୁ ନେଇ ଚାଲିଥିବା ମାମଲା ମଥୁରାର ସ୍ଥାନୀୟ ଏକ ଅଦାଲତ ଖାରଜ କରିଦେଇଥିଲେ। ଶୁକ୍ରବାର ସ୍ଥାନୀୟ ଜିଲା ଅଦାଲତରେ ଏ ସଂକ୍ରାନ୍ତ ଆଉ ଏକ ମାମଲା ରୁଜୁ ହେବାସହ ଏହା ବିଚାର ପାଇଁ ଗୃହୀତ ହୋଇଛି। ଶ୍ରୀକୃଷ୍ଣ ଜନ୍ମସ୍ଥାନ ଜମିରେ ମସ୍ଜିଦ ନିର୍ମିତ ହୋଇଥିବାରୁ ଏହାକୁ ହଟାଯିବା ଆବଶ୍ୟକ ବୋଲି ଏହି ମାମଲାରେ ଦର୍ଶାଯାଇଛି। ଜିଲା ଜଜ୍ ସାଧନାରାଣୀ ଠାକୁର ଏହାର ଶୁଣାଣି ନଭେମ୍ବର ୧୮କୁ ଧାର୍ୟ୍ୟ କରିଛନ୍ତି। କାତ୍ରା କେଶବ ଦେବ ମନ୍ଦିରର ୧୩ଏକର ଜମିରେ ସପ୍ତଦଶ ଶତାବ୍ଦୀରେ ଏହି ମସ୍ଜିଦ ନିର୍ମିତ ହୋଇଛି। ୧୯୬୮ରେ ଉଭୟ ସଂଗଠନ ମଧ୍ୟରେ ଜମି ବିବାଦର ସମାଧାନ ପାଇଁ ହୋଇଥିବା ଚୁକ୍ତିିରେ ସଂଶୋଧନ ସହିତ ମସ୍ଜିଦ ହଟାଇବା ପାଇଁ ପୂର୍ବରୁ ଆବେଦନ ହୋଇଥିଲା; ଯାହାକି ଖାରଜ ହୋଇଯାଇଥିଲା। ପରେ ଗତ ମାସରେ ‘ଭଗବାନ ଶ୍ରୀକୃଷ୍ଣ ବିରାଜମାନ’ ପକ୍ଷରୁ ଆଇନ ସହାୟତା ସଂଗଠନ ‘ନେକ୍ସଟ୍ ଫ୍ରେଣ୍ଡ’ ମାଧ୍ୟମରେ ରଞ୍ଜନା ଅଗ୍ନିହୋତ୍ରି ଓ ଅନ୍ୟ ୭ଜଣ ସାନି ମାମଲା ଦାୟର କରିଛନ୍ତି। ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକ୍ଫ ବୋର୍ଡ, ସାହି ମସ୍ଜିଦ ଇଦ୍ଗା ଟ୍ରଷ୍ଟ ଏହାର ପ୍ରତିବାଦୀ ଅଛନ୍ତି। ଅପରପକ୍ଷରେ ଅଖିଳ ଭାରତୀୟ ତୀର୍ଥ ପୁରୋହିତ ମହାସଭା ମୁଖ୍ୟ ମହେଶ ପାଠକ ଅନ୍ୟ ଏକ ମାମଲା ରୁଜୁ ପୂର୍ବକ ଅଯଥାରେ ମଥୁରାରେ ମନ୍ଦିର-ମସ୍ଜିଦ ପ୍ରସଙ୍ଗ ଉଠାଇ ଶାନ୍ତି ଓ ସଦ୍ଭାବ ଭଙ୍ଗ ଉଦ୍ୟମ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି।