ସମ୍ବଲପୁର : ଆଜିର ଡିଜିଟାଲ ଯୁଗରେ ମୋବାଇଲ, ଇନ୍ଟରନେଟ, କମ୍ପ୍ୟୁଟର ଲୋକଙ୍କ ଅଭିନ୍ନ ସାଥି ସାଜି ଥିବାରୁ ଦିନକୁ ଦିନ ସାଇବର ଅପରାଧ ବୃଦ୍ଧିକୁ ରୋକିବା ପାଇଁ ପଶ୍ଚିମ ଓଡିଶାରେ ସମ୍ବଲପୁର ଠାରେ ସାଇବର ଥାନା ଗତ ୨୮ ମାର୍ଚ୍ଚ ୨୦୧୮ ରେ ଆରମ୍ଭ କରାଯାଇଛି। କିନ୍ତୁ ପଶ୍ଚିମ ଓଡିଶାରେ ଦିନକୁ ଦିନ ସାଇବର ଅପରାଧ ଚିନ୍ତାଜନକ ଭାବରେ ବୃଦ୍ଧି ପାଉଥିବା ବେଳେ ଏହାର ଠୋସ ପ୍ରତିକାର କରିବାରେ ସାଇବର ପୁଲିସ ଓ ପୁଲିସ ତନ୍ତ୍ର ବିଫଳ ରହିଛି। ଜନତାଙ୍କ ମଧ୍ୟରେ ସଚେତନତା ଓ ପୁଲିସର କଡା କାର୍ଯ୍ୟାନୁଷ୍ଠାନର ଅଭାବ ଯୋଗୁଁ ଅନଲାଇନ ଠକ ମାନେ ପଶ୍ଚିମ ଓଡିଶାର ବେଶ ସକ୍ରିୟ ରହିଛନ୍ତି।
ଏଭଳି ଘଟଣାମାନ ନିୟମିତ ଘଟି ଚାଲିଥିବା ବେଳେ ଗତ ୩୦ ତାରିଖରେ ଧନୁପାଲି ଥାନା ଅଞ୍ଚଳରେ ଜଣେ ସରକାରୀ ମହିଳା କର୍ମଚାରୀଙ୍କୁ ଲୋଭନୀୟ ଅଫର ଦେଇ ଟଙ୍କା ଲୁଟ ଘଟଣାର ମାତ୍ର କେଇ ଘଣ୍ଟା ପରେ ଗତକାଲି ସମ୍ବଲପୁରର ଅଇଁଠାପାଲି ଥାନାର ଫାଟକ ଅଞ୍ଚଳର ଜଣେ ଯୁବ ବ୍ୟବସାୟୀଙ୍କୁ ୧୧ ଲକ୍ଷ ୯୮ ହଜାର ଏବଂ ଝାରସୁଗୁଡା ଅଞ୍ଚଳର ଏକ ଯୁବତୀଙ୍କ ନିକଟରୁ ୫ ଲକ୍ଷ ୩୬ ହଜାର ଟଙ୍କାର ଅନଲାଇନ ଠକେଇର ଶିକାର ହେବାକୁ ପଡିଛି ବୋଲି ସାଇବର ଥାନାରେ ଅଭିଯୋଗ ହୋଇଛି। ଅନଲାଇନ ଠକ/ମାନେ ବିଭିନ୍ନ ପ୍ରକାରର ଫନ୍ଦି ଯଥା ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସଅଫ ଅଥବା ଅନ୍ୟ ସାମାଜିକ ଗଣମାଧ୍ୟମ ଗୁଡିକ ଜରିଆରେ ବନ୍ଧୁତା ସ୍ଥାପନା କରିବା ପରେ ନିରୀହ ଜନତାଙ୍କୁ ଲୋଭନୀୟ ଅଫର, ଚାକିରି, ଗିଫ୍ଟ ଆଦି ଅନେକ ପ୍ରକାରର ବାହାନା କରି ଠକେଇ କରୁଛନ୍ତି। ଏହା ସହିତ ସେମାନେ ସୁଯୋଗ ଦେଖି ପିଡିତଙ୍କ ମୋବାଇଲରେ ବିଭିନ୍ନ ଆପ ଡାଉନଲୋଡ କରି ମଧ୍ୟ ବିଭିନ୍ନ ବାଟରେ ଟଙ୍କା ଉଡାଇ ନେଉଥିବାର ଦେଖାଯାଉଛି। ସାଇବର ଥାନା ଉଦଘାଟିତ ହେବା ଦିନ ଠାରୁ ପ୍ରାୟ ୬୦ଟି ମାମଲା ରୁଜୁ ହୋଇଥିବା ବେଳେ ଚଳିତ ବର୍ଷ କେବଳ ପ୍ରାୟ ୩୦ଟି ମାମଲା ରୁଜୁ ହୋଇଛି ଏବଂ ସମସ୍ତ ମାମଲା ଗୁଡିକରେ ୩ ଲକ୍ଷରୁ ଉର୍ଦ୍ଧ ଟଙ୍କା ଠକେଇ ହୋଇଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଚଳିତ ବର୍ଷ ପଶ୍ଚିମ ଓଡିଶାକୁ ଅନଲାଇନ ଠକ ମାନେ ପୁରା ଟାରଗେଟ କରି ରଖିଛନ୍ତି। ପଶ୍ଚିମ ଓଡିଶାରେ ସାଇବର ଓ ପୁଲିସ ପ୍ରଶାସନର ନିଷ୍କ୍ରିୟତାକୁ ଠିକ ଠଉରାଇ ସେମାନେ ନିରୀହ ଜନତାଙ୍କୁ ଟାରଗେଟ କରୁଥିବାର ପରିଲକ୍ଷିତ ହେଉଛି। ଲକ ଡାଉନ ଓ ସଟ ଡାଉନ ସମୟରେ ଅନଲାଇନ ଠକେଇର ଅନେକ ମାମଲା ସମ୍ମୁଖକୁ ଆସିଛି। ଅନେକ ସ୍ଥାନରେ ୩ ଲକ୍ଷରୁ କମ ପରିମାଣର ଠକେଇର ଶିକାର ଜନତା ପୁଲିସର ଝାମେଲାରୁ ଦୂରରେ ରହି ଅଭିଯୋଗ କରୁ ନ ଥିବା ବେଳେ ଯେଉଁ ମାନେ ଅଭିଯୋଗ କରୁଛନ୍ତି, ସେମାନଙ୍କୁ ବାରମ୍ବାର ଥାନାକୁ ଦୌଡିବା ସତ୍ୱେ କୌଣସି ସୁଫଳ ମିଳୁ ନାହିଁ। ଏହା ସହିତ ଅନେକ ମାମଲା ଗୁଡିକରେ ଏଫଆଇର ରୁଜୁ କରା ନ ଯାଇ କେବଳ ଏକ ସାଧାରଣ ଡାଏରୀ କରି ଛାଡି ଦିଆଯାଉଛି। ଫଳରେ ପିଡିତ ମାନେ ସେମାନଙ୍କର କଷ୍ଟାର୍ଜିତ ଅର୍ଥ ହରାଇ ଅକଥନୀୟ ମାନସିକ ଓ ଆର୍ଥିକ ନିର୍ଯ୍ୟାତନା ଭୋଗ କରିବାକୁ ବାଧ୍ୟ ହେଉଛନ୍ତି।
ସାଇବର ଅପରାଧ ସର୍ମ୍ପକରେ ସାଇବର ଥାନାଧିକାରୀ ତାରାବତୀ ପ୍ରଧାନ କହିଛନ୍ତି ଯେ, କରୋନା ସଙ୍କଟ ସତ୍ୱେ ଚଳିତ ବର୍ଷ ୧୩ ରୁ ୧୪ଟି ମାମଲାରେ ପୁଲିସକୁ ସଫଳତା ମିଳିଛି। ବାକିତକ ମାମଲା ଗୁଡିକର ସମାଧାନ ପାଇଁ ପ୍ରୟାସ ଜାରି ରହିଛି। ଏହା ସହିତ ଅଜଣା ଫୋନ କଲ, ଅଜଣା ଆକାଉନ୍ଟରୁ ବନ୍ଧୁତା ଅନୁରୋଧ, ଅଜଣା ଲିଙ୍କକୁ ଯିବା, ଅଜଣା ଆପ ଆଦିରୁ ନିବୃତ୍ତ ରହିବା ସହିତ ଯଦି କୌଣସି ଅଘଟଣ ଘଟିଲେ ତୁରନ୍ତ ସାଇବର ପୁଲିସର ସହାୟତା ନେବା ପାଇଁ ଥାନାଧିକାରିଣୀ ପ୍ରଧାନ ପରାମର୍ଶ ଦେବା ସହିତ ଅନୁରୋଧ କରିଛନ୍ତି।
ସୁଚନାଯୋଗ୍ୟ ଯେ, ପଶ୍ଚିମ ଓଡିଶାର ସାଇବର ଅପରାଧ ଉପରେ ଅଙ୍କୁଶ ଲଗାଇବାର ଲକ୍ଷ୍ୟ ନେଇ ଗତ ୨୦୧୮ ମସିହାରେ ତତ୍କାଳିନ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ସାଇବର ଥାନାର ଉଦଘାଟନ କରିଥିଲେ। ଉଦଘାଟନ ଦିନ ହିଁ ଜଣେ ମହିଳା ବ୍ୟାଙ୍କ କର୍ମଚାରୀ ୪ ଲକ୍ଷ ୧୦ ହଜାର ଟଙ୍କାର ଠକେଇର ଶିକାର ହୋଇଥିବାର ଅଭିଯୋଗ କରିଥିଲେ। ଏହି ଥାନାରେ ପରିଚୟ ଚୋରି, ନକଲି ଇମେଲ ଖାତା ନିର୍ମାଣ, ନକଲି ଫେସବୁକ ପରିଚୟ ନିର୍ମାଣ, ଇମେଲ ଖାତା ର ହ୍ୟାକିଙ୍ଗ/ଗୁପ୍ତ ସଂଖ୍ୟା ଆଦିର ଚୋରି, ଏଟିଏମ ଜାଲିଆତି, କ୍ରେଡିଟ କାର୍ଡ ଜାଲିଆତି, ଅନଲାଇନ ବ୍ୟାଙ୍କିଙ୍ଗ ଜାଲିଆତି, ନକଲି ୱେବସାଇଟ, ସାଇବର ଅଶ୍ଳିଳ ଛବି, ଭିଡିଓ ଆଦି, ଶିଶୁ ଅଶ୍ଳିଳ ଛବି ଓ ଭିଡିଓ ଆଦି, ଲଟେରୀ ଜାଲିଆତି, ସାଇବର ଫିସିଙ୍ଗ, ସାଇବର ପିଛା, ସାଇବର ମାନହାନୀ ଆଦି ଇନ୍ଟରନେଟ ସଂକ୍ରାନ୍ତ ଅପରାଧ ଗୁଡିକର ରିପୋର୍ଟ କରାଯାଇପାରିବ ବୋଲି ସୂଚନା ପ୍ରଦାନ କରାଯାଇଥିଲା। ସେ ସମୟରେ ଏହି ଥାନାରେ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଅନଲାଇନ ଜାଲିଆତି ପାଇଁ ପିଡିତ ସିଧାସଳଖ ମାମଲା ଦାୟର କରିବାର ବ୍ୟବସ୍ଥା କରାଯାଇଥିବା ବେଳେ ଏବେ ତାହା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖସାଇ ଦିଆଯାଇଛି। ୩ ଲକ୍ଷ ଟଙ୍କା ରୁ କମ ଟଙ୍କାର ଜାଲିଆତି ପାଇିଁ ପିଡିତ ରହୁଥିବା ଥାନାରେ ମାମଲା ଦାୟର କରିବେ ଏବଂ ସାଇବର ଥାନା ସେହି ଥାନାକୁ ସାହଯ୍ୟ ପ୍ରଦାନ କରିବାର ପ୍ରାବଧାନ ରହିଛି। ଏହି ସାଇବର ଥାନା ଅଧିନରେ ୯ ଜିଲା ଯଥା ସମ୍ବଲପୁର, ଝାରସୁଗୁଡା, ବରଗଡ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଦେଓଗଡ, ଅନୁଗୁଳ, ଢେଙ୍କାନାଳ ର ସାଇବର କ୍ରାଇମ ର ପିଡିତ / ପିଡିତା ମାନେ ମାମଲା ଦାୟର କରିପାରିବେ। ଏବେ ଏହି ଥାନାରେ ଜଣେ ଇନ୍ସିପେକ୍ଟର, ଜଣେ ସବ ଇନ୍ସିପେକ୍ଟର ଓ ୫ ଜଣ କନେଷ୍ଟବଳ ଅଛନ୍ତି।