ଅଦାଲତରେ ପଂହଚିଲା କୃଷ୍ଣ ଜନ୍ମଭୂମି ମାମଲା

ନୂଆଦିଲ୍ଲୀ: ରାମ ଜନ୍ମଭୂମି ଜମି ବିବାଦ ସମାଧାନ ପରେ ଏବେ ମଥୁରାର କୃଷ୍ଣ ଜନ୍ମଭୂମି ଜମି ବିବାଦ ଅଦାଲତରେ ପହଂଚିଛି । ଶୁକ୍ରବାର ମଥୁରାରେ ବିରାଜିତ କୃଷ୍ଣ ଜନ୍ମଭୂମିର ୧୩.୩୭ ଏକର ଜମିକୁ ନେଇ ଅଦାଲତରେ ମାମଲା ରୁଜୁ ହୋଇଛି । ଏହା ସହ ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିରକୁ ଲାଗି ରହିଥିବା ଇଦଗା ମସଜିଦକୁ ହଟାଇବା ପାଇଁ ଦାବି କରାଯାଇଛି । ରଞ୍ଜନା ଅଗ୍ନିହୋତ୍ରୀ ସହ ଅନ୍ୟ ୬ଜଣ ଉକ୍ତ ମାମଲା ରୁଜୁ କରିଛନ୍ତି । ଆଇନଜୀବୀ ହରିଶଙ୍କର ଜୈନ ଓ ବିଷ୍ଣୁଶଙ୍କର ଜୈନଙ୍କ ସୂଚନା ଅନୁସାରେ ଏହି ମକଦମା ମସଜିତ ଇଦଗା ପ୍ରବନ୍ଧନ ସମିତି ଦ୍ୱାରା କରାଯାଇଥିବା ଅତିକ୍ରମଣକୁ ହଟାଇବା ପାଇଁ ଦାୟର କରାଯାଇଛି । ଏପରି କ୍ଷେତ୍ରରେ ଆଉ ଏକ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ଏହି ଆଇନ ଅନୁସାରେ ୧୯୪୭ ଅଗଷ୍ଟ ୧୫ ସୁଦ୍ଧା ଯେଉଁ ସମ୍ପ୍ରଦାୟ ନିକଟରେ ଯେଉଁ ଧାର୍ମିକ ସ୍ଥଳ ରହିଥିବ ତାହା ଭବିଷ୍ୟତରେ ଅନୁରୂପ ରହିବ । ତେବେ ଏହି ଆଇନରେ ଶ୍ରୀରାମଜନ୍ମଭୂମି -ବାବ୍ରି ମସଜିଦ୍ ବିବାଦକୁ ବାଦ ଦିଆଯାଇଥିଲା ।ତେବେ ରଞ୍ଜନାଙ୍କ ପକ୍ଷରୁ ଦାୟର ମାମଲାରେ କୁହାଯାଇଛି ଯେ ସୁନ୍ନି ୱାକଫ ବୋର୍ଡ , ଟ୍ରଷ୍ଟ ମସିଜିତ ଇଦଗା ବା ମୁସଲମାନ ସମ୍ପ୍ରଦାୟର କୌଣସି ବ୍ୟକ୍ତିଙ୍କୁ କଟରା କେଶବ ଦେବଙ୍କ ସମ୍ପତିରେ କୌଣସି ଆଗ୍ରହ ନାହିଁ ।ଏହି ଜମି ଭଗବାନ ଶ୍ରୀକୃଷ୍ଣଙ୍କର । ଇତିହାସକାର ଯଦୁନାଥ ସରକାର ତାଙ୍କ ପୁସ୍ତକରେ ଏହା ଉଲ୍ଳେଖ କରିଛନ୍ତି । ୧୬୬୯-୭୦ ମସିହାରେ ମୋଗଲ ସମ୍ରାଟ ଆଂଉରଙ୍ଗଜେବ କଟରା କେଶବଦେବ ସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିରକୁ ନଷ୍ଟ କରି ଦେଇଥିଲେ । ଏହା ଉପରେ ସେ ଆଉ ଏକ ଢ଼ାଂଚା ନିର୍ମାଣ କରିଥିଲେ । ଯାହାକୁ ଇଦଗା ମସଜିଦ କୁହାଯାଉଥିଲା ।ଏହାର ପ୍ରାୟ ୧୦୦ ବର୍ଷ ପରେ ମରାଠା ଯୋଦ୍ଧାମାନେ ପୁରା ଅଂଚଳରେ ବିଜୟଲାଭ କରିଥିଲେ ଓ ମନ୍ଦିରର ବିକାଶ ସହ ପୁନରୁଦ୍ଧାର କରିଥିଲେ । ମରାଠାମାନେ ଆଗ୍ରା ଓ ମଥୁରା ଭୂମିକୁ ନଜୁଲ ଭୂମି ଘୋଷଣା କରିଥିଲେ ଓ ୧୮୦୩ ମସିହାରେ ମଥୁରାକୁ ଦଖଲ ପରେ ଇଂରେଜମାନେ ମଧ୍ୟ ଏହାକୁ ନଜୁଲ ଭୂମି ଭାବରେ ଘୋଷଣା କରିଥିଲେ । ପରେ ୧୮୧୫ ମସିହାରେ ବ୍ରିଟିଶମାନେ ୧୩.୩୭ ଏକର ଜମିକୁ ନିଲାମ କରିଥିଲେ ଓ ବନାରସର ରାଜା ପଟନିମଲ ଏହାକୁ ଖରିଦ କରିଥିଲେ । ୧୯୨୧ ମସିହାରେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ସିଭିଲ କୋର୍ଟରେ ଏ ସଂକ୍ରାନ୍ତରେ ଏକ ଆବେଦନ ହୋଇଥିଲା , ମାତ୍ର ଏହାକୁ ଅଦାଳତ କାରଜ କରି ଦେଇଥିଲା । ୧୯୪୪ମସିହାରେ ରାଜା ପାଟନିମଲଙ୍କ ଉତରାଧିକାରୀ ଏହି ୧୩.୩୭ ଏକର ଜମିକୁ ପଣ୍ଡିତ ମଦନ ମୋହନ ମାଲବ୍ୟ , ଗୋସ୍ୱାମୀ ଗଣେଶ ଦତ ଓ ଭିକନ ଲାଲଜୀ ଆତ୍ରେଙ୍କୁ ୧୯୪୦୦ ଟଙ୍କାରେ ବିକି ଦେଇଥିଲେ । ପରେ ୧୯୫୧ ମସିହାରେ ଏଠାରେ ଏକ ଟ୍ରଷ୍ଟ ଗଠନ ହୋଇଥିଲା ଓ ପୁରା ଜମି ଟ୍ରଷ୍ଟକୁ ପ୍ରଦାନ କରଯାଇଥିଲା ।ଏବେ କୃଷ୍ଣ ଜନ୍ମଭୂମି ମାମଲାରେ ଏହି ପୁରା ଜମି ଉପରେ ନିଜର ଅଧିକାର ଦାବି କରାଯିବା ସହ ଏଠାରୁ ମସଜିଦ୍ ହଟାଇବା ପାଇଁ ଅଦାଲତ ନିକଟରେ ଆବେଦନ କରାଯାଇଛି ।

Leave A Reply

Your email address will not be published.

4 × four =