ଭୁବନେଶ୍ୱର: ରାଜ୍ୟରେ ଲକଡାଉନ ଘୋଷଣା କଲେ ସରକାର। ମେ’ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା। ମେ ୫’ ବୁଧବାର ସକାଳୁ ୧୯ ତାରିଖ ସକାଳ ଯାଏ ଏହି ଲକଡାଉନ୍ ବଳବତ୍ତର ରହିବ। ତେବେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟଡାଉନ।ଲକଡାଉନ ବେଳେ କେବଳ ଚାଲି ଚାଲି ପରିବା ପାଇଁ ଯାଇହେବ। ଘର ଠାରୁ ୫ଶହ ମିଟର ଦୂର ଯାଏ ଚାଲି ଚାଲି ପରିବା ଆଣିହେବ। ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲି ଚାଲି ଆଣିହେବ ପରିବା। ସ୍ୱାସ୍ଥ୍ୟସେବା ଓ ଅନ୍ୟ ଜରୁରୀ ସେବା ପାଇଁ କଟକଣା ନାହିଁ। ଟ୍ୟାକ୍ସି, ଅଟୋ, ସାଇକେଲ ରିକ୍ସା ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ। ସିନେମା ହଲ୍, ମଲ୍, ମାର୍କେଟ କଂପ୍ଲେକ୍ସ, ଜିମ୍ ବନ୍ଦ ରହିବ। ସାମାଜିକ, ଧାର୍ମିକ, କ୍ରୀଡ଼ା, ରାଜନୈତିକ ସମାବେଶ ବନ୍ଦ। ଯାତ୍ରା, ଅପେରା, ଖୋଲାମଞ୍ଚ ମଧ୍ୟ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ। ସେହିଭଳି ସେଲୁନ, ପାର୍ଲର, ସ୍ପା ସଂପୂର୍ଣ୍ଣ ଭାବେ ବନ୍ଦ।
ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣି ବିବାହ କାର୍ଯ୍ୟ ଆୟୋଜନ କରିହେବ। ତେବେ ବିବାହରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ରହିଥିବା ବେଳେ ଶୁଦ୍ଧି କାର୍ଯ୍ୟରେ ସର୍ବାଧିକ ୨୦ ଜଣଙ୍କୁ ଅନୁମତି ମିଳିବ। ସାପ୍ତାହିକ ଏବଂ ଦୈନିକ ହାଟ ଚାଲି ପାରିବ ନାହିଁ। ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଧର୍ମାନୁଷ୍ଠାନ ବନ୍ଦ, କେବଳ ନୀତି ଚାଲିବ।
ତେବେ ଲକଡାଉନ ବେଳେ ଜରୁରୀ ସେବା ଚାଲୁ ରଖିବାକୁ ଅନୁମତି ଦିଆଯାଇଛି। ହସ୍ପିଟାଲ, ନର୍ସିଂହୋମ, ଔଷଧ ଦୋକାନ ଖୋଲା ରହିବ। ରାସନ ଦୋକାନ, ଗ୍ରୋସରୀ, ଫଳ ଦୋକାନ ମଧ୍ୟ ଖୋଲା ରହିବ। ମାଛ, ମାଂସ, ଅଣ୍ଡା, କ୍ଷୀର ଦୋକାନ ଖୋଲା ରହିବ। ଏହି ସବୁ ଦୋକାନ ସକାଳ ୬ରୁ ଦିନ ୧୨ଟା ଯାଏଁ ଖୋଲା ରଖିବାକୁ ଅନୁମତି ଦିଆଯାଇଛି। ସେହିଭଳି ଗ୍ୟାରେଜ, ଗାଡ଼ି ମରାମତି ଦୋକାନ ମଧ୍ୟ ଖୋଲା ରହିବ। ତେବେ ଶନିବାର ଓ ରବିବାର ଦିନ ପୂର୍ବ ଭଳି ସଟଡାଉନ ବଳବତ୍ତର ରହିବ।
ସେହିଭଳି ରେଷ୍ଟୁରାଣ୍ଟ ଓ ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ। ଫ୍ଲିପକାର୍ଟ, ଆମାଜନ, ଜୋମାଟୋ ଆଦିର ଡେଲିଭରି ବୟଙ୍କୁ ଅନୁମତି ଦିଆଯାଇଛି। ଛାପା, ବୈଦୁତିକ ଗଣମାଧ୍ୟମ ଓ ୱେବ ମିଡିଆକୁ ମଧ୍ୟ ଯାଆ ଆସ ପାଇଁ ଅନୁମତି ରହିଛି। ତେବେ ପେଟ୍ରୋଲପମ୍ପ, ରନ୍ଧନ ଗ୍ୟାସ୍ ଯୋଗାଣ ଆଦି ମଧ୍ୟ ଲକଡାଉନ ବେଳେ ଚାଲୁ ରହିବ।
ସେହିଭଳି ଲକଡାଉନ ବେଳେ ନିର୍ବାଚନ ସଂପର୍କିତ କାର୍ଯ୍ୟକୁ ଅନୁମତି ମିଳିବ। ନିର୍ବାଚନ ସଂପର୍କିତ କାର୍ଯ୍ୟରେ ସଟଡାଉନ, ଲକଡାଉନ ଲାଗୁ ହେବ ନାହିଁ। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଲୋକେ ଯାଆ ଆସ କରିପାରିବେ। ଟ୍ରେନିଂ, ପୋଲିଂ ସେଣ୍ଟର ଯିବାକୁ ଅଧିକାରୀଙ୍କୁ ଅନୁମତି ମିଳିବ। ପ୍ରାର୍ଥୀ, ଅଫିସର, ପୋଲିଂ ଓ କାଉଣ୍ଟିଂ ଏଜେଣ୍ଟଙ୍କୁ ମଧ୍ୟ ଯାତାୟତ ପାଇଁ ଅନୁମତି ରହିଛି।
ଲକଡାଉନ ବେଳେ ଟିକା ଓ ଟେଷ୍ଟିଂକୁ ଅନୁମତି ମିଳିବ। ଟିକା ପାଇଁ ଅନୁମତିପ୍ରାପ୍ତ ବ୍ୟକ୍ତି ଟିକା କେନ୍ଦ୍ରକୁ ଯାଇପାରିବେ। ଟେଷ୍ଟିଂ ପାଇଁ ବି ନିକଟସ୍ଥ ଟେଷ୍ଟିଂ କେନ୍ଦ୍ରକୁ ଯାଇପାରିବେ ଲୋକେ।
ସେହିଭଳି ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ଜଗିବାକୁ ସରପଞ୍ଚମାନଙ୍କୁ ପରାମର୍ଶ ଦିଆଯାଇଛି। ସରପଞ୍ଚମାନଙ୍କୁ ଏନେଇ ପରାମର୍ଶ ଦେଇଚନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ବାହାରୁ ଆସୁଥିବା ଲୋକଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରଖିବାକୁ ପରାମର୍ଶ। ଯାହାର ଘରେ ବ୍ୟବସ୍ଥା ନଥିବ, ସରକାରୀ କ୍ୱାରେଣ୍ଟାଇନରେ ରଖିବାକୁ କୁହାଯାଇଛି।