୧୨ରୁ ୧୮ ବର୍ଷଙ୍କୁ ମିଳିବ ଟିକା

ନୂଆଦିଲ୍ଲୀ: ମହାମରୀ କରୋନାର ମୁକାବିଲା ପାଇଁ ଦେଶରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ନାଗରିକଙ୍କୁ ଟିକାକରଣ ଅଭିଯାନ ଜାରୀ ରହିଥିଲା ବେଳେ ଖୁବ୍ ଶୀଘ୍ର ୧୨ରୁ ୧୮ବର୍ଷଙ୍କୁ ମିଳିିବ ଟିକା । ଏନେଇ ଔଷଧୀୟ କମ୍ପାନୀ ଜାଇଡସ କାଡିଲା ପକ୍ଷରୁ ୧୨ରୁ ୧୮ ବର୍ଷ ପୟସର ପିଲାଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଡିଏନଏ ଟିକାର କ୍ଲିନିକାଲ ପରୀକ୍ଷଣ ଶେଷ ହୋଇଛି । ଖୁବଶୀଘ୍ର ଏହା ପିଲାଙ୍କର ଟିକାକରଣ ପାଇଁ ଉପଲବ୍ଧ ହେବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି । କୋଭିଡ ପରିଚାଳନା କ୍ଷେତ୍ରରେ ଅଦାଲତ ତାଙ୍କ ନିଜ ପକ୍ଷରୁ ଦାଏର କରିଥିବା ଏକ ମାମଲାରେ କେନ୍ଦ୍ର ସରକାର ଏକ ସତ୍ୟପାଠ ଜରିଆରେ ନିଜ ପକ୍ଷ ରଖି କହିଛନ୍ତି, ଜାଇଡସ କାଡିଲାର ଉକ୍ତ ଟିକାର କ୍ଲିନିକାଲ ପରୀକ୍ଷା ଶେଷ ହୋଇଛି ଏବଂ ବୈଧାନିକ ଅନୁମୋଦନକୁ ଅପେକ୍ଷା କରାଯାଇଛି । ତାହା ମିଳିବା ପରେ ଖୁବଶୀଘ୍ର ଦେଶରେ ୧୨ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ଟିକା ଯୋଗାଇ ଦିଆଯିବ ।
ଦେଶରେ ଟିକା ଅଭାବ ପରିସ୍ଥିତି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଏହା ମଧ୍ୟ ଜଣାଇଛନ୍ତି ଯେ ଚଳିତ ବର୍ଷ ଶେଷସୁଦ୍ଧା ମୋଟ ୧୩୫ କୋଟି ପାନ ଟିକା ଉପଲବ୍ଧ ହେବ । ୨୦୨୧ ଅଗଷ୍ଟରୁ ୨୦୨୧ ଡିସେମ୍ବର ମଧ୍ୟରେ ଦେଶରେ କୋଭିଶିଲ୍ଡ ଟିକା ୫୦ କୋଟି, କୋଭାକ୍ସିନ ୪୦ କୋଟି, ବାୟୋ ଇ ସବ୍‌ୟୁନିଟ ଟିକା ୩୦ କୋଟି ଏବଂ ଜାଇଡସ କାଡିଲା ଡିଏନଏ ଟିକା ୫ କୋଟି ଉପଲବ୍ଧ ହେବ । ତାହାସହିତ ସ୍ପୁଟନିକ ଭି ଟିକା ମଧ୍ୟ ୧୦ କୋଟି ପାନ ମିଳିବ । ଜୁନ୍ ୨୫ ସୁଦ୍ଧା ଦେଶରେ ୩୧ କୋଟି ପାନରୁ ଅଧିକ ଟିକାକରଣ କରାଯାଇସାରିଛି । ସେଥିମଧ୍ୟରୁ ୧.୭୩ କୋଟି ପାନରୁ ଅଧିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଥିବା କର୍ମଚାରୀଙ୍କୁ ଦିଆଯାଇଛି । ସେହିଭଳି ୨.୬୬ କୋଟି ପାନ ସମ୍ମୁଖଭାଗ କର୍ମଚାରୀ, ୯.୯୩ କୋଟିରୁ ଅଧିକ ପାନ ୪୫ରୁ ୫୯ ବର୍ଷ ବୟସ୍କ ଏବଂ ୮.୯୬ କୋଟି ପାନରୁ ଅଧିକ ଟିକା ୬୦ ବର୍ଷରୁ ଅଧିକ ବୟସର ନାଗରିକଙ୍କୁ ଦିଆଯାଇଛି । ଏହାବ୍ୟତୀତ ୭.୮୪ କୋଟି ପାନ ଟିକା ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯାଇଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

4 × three =