ଆତଙ୍କିତ ହୁଅନ୍ତୁ ନାହିଁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅମ୍ଫାନ’ର ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହିତ ସମୀକ୍ଷା କରିବା ସଙ୍ଗେ ସଙ୍ଗେ ପ୍ରଭାବିତ ହେବାକୁ ଥିବା ୧୨ଟି ଜିଲ୍ଲାପାଳମାନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ । ଓଡ଼ିଶାବାସୀ ମହାବାତ୍ୟାଠାରୁ ଆରମ୍ଭ କରି ଫନି, ତିତିଲି, ବୁଲବୁଲ, ଫାଇଲିନ୍, ହୁଡହୁଡ ଆଦି ଅନେକ ବାତ୍ୟାର ସଫଳତାର ସହ ମୁକାବିଲା କରି ଆସିଛନ୍ତି । ତେଣୁ ଆତଙ୍କିତ ନ ହୋଇ ‘ଅମ୍ଫାନ’ର ମୁକାବିଲା କରିବା ପାଇଁ ସରକାରଙ୍କ ସହ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଜାତୀୟ ବିପର୍ଯୟ ରିଲିଫ ଟିମ, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀକୁ ସଜାଗ ରଖିବା ସହ ବିପଦଶଙ୍କୁଳ ଅଂଚଳର ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ପ୍ରସ୍ତୁତି ସହ ବାତ୍ୟା ପରେ ପରେ ରାସ୍ତା, ବିଜୁଳି ଓ ପାନୀୟଜଳ ଯୋଗାଣ ସ୍ୱାଭାବିକ କରିବା ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ଏଥିପାଇଁ ପୂର୍ତ, ଶକ୍ତି, ପଂଚାୟତିରାଜ ଓ ପାନୀୟ ଜଳଯୋଗାଣ ଏବଂ ନଗର ଉନ୍ନୟନ ବିଭାଗ ସମନ୍ୱୟ ରଖି କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି ସମୟରେ ମାଛ ଧରା କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ରାଜ୍ୟ ପ୍ରଶାସନ ବର୍ତମାନ କୋଭିଡ-୧୯ ରୋଗ ନିୟନ୍ତ୍ରଣରେ ସଫଳତାର ସହ କାମ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତୃଣମୂଳ ସ୍ତରରୁ ଆରମ୍ଭ କରି ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ ଟିମ୍ ଓଡ଼ିଶାର ସମସ୍ତ ସଦସ୍ୟଙ୍କୁ ସେମାନଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ ମନୋଭାବ ପାଇଁ ଧନ୍ୟବାଦ ଜଣାଇଛନ୍ତି ।
ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଥିଲେ ଯେ ଅମ୍ଫାନର ମୁକାବିଲା ପାଇଁ କେନ୍ଦ୍ର କ୍ୟାବିଟେନ ସଚିବଙ୍କ ସହିତ ତାଙ୍କର ଆଜି ଆଲୋଚନା ହୋଇଛି । ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଅମ୍ଫାନର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।
ସେହିପରି ଏହି ବାତ୍ୟା ଯୋଗୁ ଅଧିକ ପ୍ରଭାବିତ ହେବାକୁ ଥିବା ୪ଟି ଜିଲ୍ଲାରେ ଏକଲକ୍ଷ ହେକ୍ଟର ରବି ଫସଲ ଓ ପନିପରିବା ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ତେଣୁ ·ଷୀମାନଙ୍କୁ ଏ ସମ୍ପର୍କରେ ବ୍ୟାପକ ଭାବରେ ସଚେତନ କରାଯିବା ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା ।
ବାତ୍ୟା ‘ଅମ୍ଫାନ’ର ମୁକାବିଲା ପାଇଁ ୧୧ ଲକ୍ଷ ଲୋକ ରହିପାରିବା ଭଳି ୫୬୭ ବାତ୍ୟା ଅସ୍ଥାୟୀସ୍ଥଳ ଏବଂ ୭୦୦୦ ପକ୍କା ଘର ପ୍ରସ୍ତୁତ ରଖାଯାଇଛି । ଏହାସହିତ ୩ଟି ଏନ୍ଡିଆରଏଫ୍ ଓ ୧୨ଟି ଓଡ୍ରାଫ୍ ଟିମ୍ ଏବଂ ୩୫୫ ୟୁନିଟ୍ ଅଗ୍ନିଶମ ସେବା ବାହିନୀ ମୁତୟନ କରାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ପ୍ରଦୀପ ଜେନା ସୂଚନା ଦେଇଥିଲେ ।

Leave A Reply

Your email address will not be published.

seventeen − 11 =