ଲକ୍ଷ୍ୟଭେଦ କଲା “ବ୍ରହ୍ମୋସ୍’

ନୂଆଦିଲ୍ଲୀ:ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତୀୟ ନୌସେନାର ଏକ ‘ଷ୍ଟିଲ୍ଥ୍ ଡେଷ୍ଟ୍ରୟର’ବା ରାଡାରରେ ଧରାପଡୁ ନଥିବା ଯୁଦ୍ଧପୋତରୁ ରବିବାର ଦିନ ‘ ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ବ୍ରହ୍ମୋସ୍’ର ସଫଳ ବ୍ୟବହାରିକ ପରୀକ୍ଷା କରାଯାଇଛି ବୋଲି ଏକ ବିବୃତିରେ ‘ଡିଫେନ୍ସ ରିସର୍ଚ ଆଣ୍ଡ ଡେଭ୍ଲପମେଂଟ ଅର୍ଗାନାଇଜେସନ୍’ (ଡିଆରଡିଓ) କହିଛି । ଆରବ ସାଗରରେ ଥିବା ଯୁଦ୍ଧପୋତ ‘ଆଇଏନ୍ଏସ୍ ଚେନ୍ନାଇ’ରୁ ନିକ୍ଷେପ କରାଯାଇଥିବା ଏହି କ୍ଷେପଣାସ୍ତ୍ରଟି ଉଚ୍ଚମାନର ତଥା ଅତ୍ୟନ୍ତ ଜଟିଳ ବୁଲାଣି ପଥ ସବୁ ଅତିକ୍ରମ କରି ନିର୍ଭୁଲ ଭାବେ ଲକ୍ଷ୍ୟଭେଦ କରିଥିଲା । ଆକ୍ରମଣର ପ୍ରମୁଖ ଅସ୍ତ୍ର ଭାବେ ‘ବ୍ରହ୍ମୋସ’ ଜଳପୃଷ୍ଠ ଉପରୁ ଖୁବ୍ ଦୂରରେ ଥିବା ଲକ୍ଷ୍ୟସ୍ଥଳ ଭେଦ କରିପାରୁଥିବାରୁ ‘ଆଇଏନ୍ଏସ୍ ଚେନ୍ନାଇ’ର ଅପରାଜେୟତାକୁ ସୁନିଶ୍ଚିତ କରିବ ବୋଲି ଡିଆରଡିଓ’ କହିଛି । ଏହାଛଡା, ‘ବ୍ରହ୍ମୋସ୍’ର ସଫଳ ବ୍ୟବହାରିକ ପରୀକ୍ଷା ଆଇଏନ୍ଏସ୍ ଚେନ୍ନାଇକୁ ଭାରତୀୟ ନୌସେନାର ଆଉ ଏକ ମାରାତ୍ମକ ପ୍ଲାଟଫର୍ମରେ ପରିଣତ କରିବ ବୋଳି ମଧ୍ୟ ଡିଆରଡିଓ କହିଛି । ଏଠାରେ ଉଲ୍ଲେଖ କରାଯାଇପରେଯେ, ଭାରତ ଓ ରୁଷ୍ ମିଳିତ ଭାବେ ‘ ବ୍ରହ୍ମୋସ୍’ର ପରିକଳ୍ପନା, ବିକାଶ ଓ ନିର୍ମାଣ କରିଛନ୍ତି । ସେପ୍ଟେମ୍ବର ୩୦ ତାରିଖ ଦିନ ଓଡିଶାର ବାଲେଶ୍ୱରରେ ଥିବା ଟେଷ୍ଟ ରେଞ୍ଜରୁ ୪୦୦ କିଲୋମିଟର ଦୂର ଲକ୍ଷ୍ୟଭେଦୀ ଏକ ‘ବ୍ରହ୍ମୋସ୍’ କ୍ଷେପଣାସ୍ତ୍ର ମଧ୍ୟ ପରୀକ୍ଷା କରାଯାଇଥିଲା ।ଆଜିର ସଫଳ ବ୍ୟବହାରିକ ପରୀକ୍ଷା ନିମନ୍ତେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ’ ‘ବ୍ରହ୍ମୋସ’ ଏବଂ ଭାରତୀୟ ନୌସେନା କୁ ଅଭିନନ୍ଦନ ଜଣାଇଛନ୍ତି । ସଫଳତା ନିମନ୍ତେ ଡିଡିଆର୍ ଆଣ୍ଡ ଡି’ର ସଚିବ ତଥା ଡିଆରଡିଓ’ର ଅଧ୍ୟକ୍ଷ ଡକ୍ଟର ଜି ସତୀଶ ରେଡ୍ଡୀ ମଧ୍ୟ ଡିଆରଡିଓ ର ସମସ୍ତ ବୈଜ୍ଞାନିକ ଓ କର୍ମଚାରୀ, ଭାରତୀୟ ନୌସେନା ଏବଂ ଶିଳ୍ପକୁ ଅଭିନନ୍ଦନ ଜଣାଇଛନ୍ତି । ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ବହୁ ଭାବରେ ଭାରତୀୟ ନୌସେନାର ସାମର୍ଥ୍ୟ ବଢାଇବ ବୋଳି ସେ କହିଛନ୍ତି ।

Leave A Reply

Your email address will not be published.

twenty + fifteen =