ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶର କେନ୍ଦ୍ରୀୟ ପାର୍କରେ ଥିବା ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତିକୁ ଅଜ୍ଞାନ୍ତ ଦୁର୍ବୃତମାନେ ଭଙ୍ଗାରୁଜା କରିବା ସହ ବଇଠିରୁ (ବେସ୍) ଉଠାଇ ଦେଇଛନ୍ତି । ଆମେରିକାରେ ଗତକିଛି ମାସ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା । ଏହି ଘଟଣାରେ ଭାରତୀୟ-ଆମେରିକୀୟମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଜଘନ୍ୟ ଅପରାଧର ତଦନ୍ତ କରିବା ଲାଗି ଦାବି କରିଛନ୍ତି ।
ଉତର କାଲିଫର୍ଣ୍ଣିଆର ଡେଭିସ୍ ସହର ଅନ୍ତର୍ଗତ କେନ୍ଦ୍ରୀୟ ପାର୍କରେ ଅବସ୍ଥିତ ୬ଫୁଟ ଉଚ୍ଚ ଏବଂ ୨୯୪ କିଲୋ ଓଜନବିଶିଷ୍ଟ ଗାନ୍ଧୀଙ୍କର କାଂସ୍ୟ ପ୍ରତିମୂର୍ତିର ଗୋଡ ବଳାଗଣ୍ଠି ପାଖରୁ କାଟି ଦୁଇଖଣ୍ଡ କରାଯାଇଛି । ପ୍ରତିମୂର୍ତି ମୁହଁର ଅଦେ୍ର୍ଧକ ମଧ୍ୟ କାଟି ନିଆଯାଇଛି ବୋଲି ଆଞ୍ଚଳିକ ଗଣମାଧ୍ୟମ ‘ଡେଭିସ୍ ଏଂଟରପ୍ରାଇଜ୍’ ରିପୋର୍ଟ କରିଛି ।
ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି ଭଙ୍ଗାଯାଇଥିବା କଥା ଜାନୁଆରି ୨୭ ତାରିଖ ପ୍ରତ୍ୟୁଷରେ ପାର୍କର କର୍ମଚାରୀମାନେ ଦେଖିଥିଲେ । ସମ୍ପ୍ରତି ପ୍ରତିମୂର୍ତିଟିକୁ ପାର୍କରୁ ନିଆଯାଇ ଏକ ସୁରକ୍ଷିତ ସ୍ଥାନରେ ରଖାଯାଇଛି ।
ଗାନ୍ଧୀଙ୍କ ପ୍ରତିମୂର୍ତିକୁ ଠିକ୍ କେତେବେଳେ ଏବଂ କେଉଁ ଉଦେ୍ଧଶ୍ୟ ନେଇ ଭଙ୍ଗା ଯାଇଛି, ତାହା ତଦନ୍ତକାରୀମାନେ ଜାଣି ପାରି ନଥିବା କଥା ‘ଦି ସେକ୍ରେମେଂଟୋ ବି’ ରିପୋର୍ଟ କରିଛି ।
ଡେଭିସ୍ ସହରକୁ ଭାରତ ସରକାର ଦେଇଥିବା ଗାନ୍ଧୀଜୀଙ୍କର ଏହି ପ୍ରତିମୂର୍ତିକୁ ଚାରିବର୍ଷ ତଳେ ସ୍ଥାପନ କରାଯାଇଥିଲା । ସେତେବେଳେ ମଧ୍ୟ ଗାନ୍ଧୀ ବିରୋଧୀ ଏବଂ ଭାରତ ବିରୋଧୀ ସଂଗଠନମାନେ ଏହାର ତୀବ୍ର ବିରୋଧ କରିଥିଲେ । ଏହି ଘଟଣା ନେଇ ୱାସିଂଟନ୍ରେଥିବା ଭାରତୀୟ ଦୃତାବାସ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଘଟଣାକୁ ଗୁରୁତର ଭାବେ ନେଇଛି । ଅନ୍ୟପକ୍ଷରେ ଅମେରିକା ସରକାରମଧ୍ୟ ଘଟଣାର ତଦନ୍ତ ପାଇଁ ନିଦେ୍ର୍ଧଶ ଦେଇଛନ୍ତି ।