ଓଡ଼ିଶା ସମେତ ସମଗ୍ର ଦେଶରେ ବଦଳିବ ବ୍ୟାଙ୍କ ସମୟ

ନୂଆଦିଲ୍ଲୀ: ଓଡ଼ିଶା ସମେତ ସମଗ୍ର ଦେଶରେ ବଦଳିବ ବ୍ୟାଙ୍କ ସମୟ । ଦୃତ ଗତିରେ ବଢୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାଙ୍କ ସମୟରେ ପରିବର୍ତ୍ତନ କରିବାକୁ ଇଣ୍ଡିଆନ୍ ବ୍ୟାଙ୍କ୍‌ସ ଆସୋସିଏସନ (ଆଇବିଏ) ପକ୍ଷରୁ ବ୍ୟାଙ୍କଗୁଡିକୁ ପରାମର୍ଶ ଦିଆଯାଇଛି । ବ୍ୟାଙ୍କ ସମୟ ଦିନ ୧୦ଟାରୁ ଅପରାହ୍ନ ୨ଟା ମଧ୍ୟରେ ସୀମିତ ରଖିବାକୁ ଏହା କହିଛି । ଷ୍ଟେଟ୍ ଲେବଲ ବ୍ୟାଙ୍କର୍ସ କମିଟି ( ଏସଏଲବିସି) ର ଆବାହକମାନଙ୍କ ନିକଟକୁ ପତ୍ର ଲେଖି ଆଇବିଏ କହିଛି ଯେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ଦୃତ ସଂକ୍ରମଣ କାରଣରୁ ସମସ୍ତେ ଏକ ଆହ୍ୱାନମୂଳକ ପରିସ୍ଥିତି ଦେଇ ଗତି କରୁଛନ୍ତି । ଅନେକ ରାଜ୍ୟରେ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ସେଥିପାଇଁ ଅର୍ଥନୈତିକ କାର୍ଯ୍ୟକଳାପକୁ ନେଇ ଗଭୀର ଆଶଙ୍କା ଦେଖାଦେଇଛି । ୨୧ ତାରିଖ ଦିନ ଆଇବିଏ ପକ୍ଷରୁ ଏକ ସ୍ୱତନ୍ତ୍ର ବୈଠକ ଆହ୍ୱାନ କରାଯାଇଥିଲା । ଏଥିରେ କୁହାଯାଇଥିଲା ଯେ କୋଭିଡ ସଂକ୍ରମଣକୁ ପ୍ରତିହତ କରିବାକୁ ବିଭିନ୍ନ ରାଜ୍ୟରେ ପରିସ୍ଥିତିର ଗମ୍ଭୀରତାକୁ ବିଚାରକୁ ନେଇ ଉକ୍ତ ନିର୍ଦ୍ଦେଶାବଳୀ ପାଳନ କରିବାକୁ ହେବ । ଏସଏଲବିସି ନିକଟକୁ ଲେଖାଯାଇଥିବା ପତ୍ରରେ କୁହାଯାଇଛି ଯେ ବ୍ୟାଙ୍କଗୁଡିକ ଜମାରାଶି ଗ୍ରହଣ , ଟଙ୍କା ଉଠାଣ, ରେମିଟାନ୍ସ ଏବଂ ସରକାରୀ କାରବାର ଭଳି ଚାରିଟି ବାଧ୍ୟତାମୂଳକ ସେବା ଯୋଗାଇଦେବେ । ଏସଏଲବିସି ଗୁଡିକ ସେମାନଙ୍କ ଅଞ୍ଚଳରେ ଆଉ କେଉଁ ସେବା ଆବଶ୍ୟକ, ତାହା ସ୍ଥିର କରିବେ । ବ୍ୟାଙ୍କର କର୍ମଚାରୀ ମାନେ ଅଦଳ ବଦଳ ଭିତ୍ତିରେ ବ୍ୟାଙ୍କକୁ ଆସିବେ ଏବଂ ଯେଉଁମାନଙ୍କର ଶାରୀରିକ ଉପସ୍ଥିତି ଅନାବଶ୍ୟକ ସେମାନେ ଘରେ ରହି କାମ କରିପାରିବେ । ୫୦ ପ୍ରତିଶତ କର୍ମଚାରୀ ନେଇ କାମ କରିବାକୁ ଏହା ବ୍ୟାଙ୍କଗୁଡିକୁ ପରାମର୍ଶ ଦେଇଛି । ଇତିମଧ୍ୟରେ କେତେକ ଏସଏଲବିସି ସ୍ୱାଭାବିକ ଭାବେ ଦିନ ୧୦ରୁ ୪ଟା ପରିବର୍ତ୍ତେ ଦିନ ୧୦ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବ୍ୟାଙ୍କ ସମୟ କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି । ଇତିମଧ୍ୟରେ ବ୍ୟାଙ୍କ ୟୁନିୟନଗୁଡିକ ମଧ୍ୟ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାଙ୍କଗୁଡିକର କାର୍ଯ୍ୟ ସମୟ ହ୍ରାସ କରିବାକୁ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.

14 + eleven =