କେପି ଶର୍ମା ଓଲି ପୁଣି ନେପାଳର ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ନୂଆ ସରକାର ଗଠନ କରିବା ନିମନ୍ତେ ବିରୋଧୀ ଦଳମାନେ ବିଫଳ ହେବାରୁ କେପି ଶର୍ମା ଓଲିଙ୍କୁ ପୁଣି ନେପାଳ ପ୍ରଧାନମନ୍ତ୍ରୀ ହୋଇଛନ୍ତି ।
‘ସିପିଏନ୍‌-ୟୁଏମ୍‌ଏଲ୍‌’ର ଅଧ୍ୟକ୍ଷ ୬୯ ବର୍ଷିୟ ଓଲିଙ୍କୁ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପୁନଃନିଯୁକ୍ତି ଦେଇଛନ୍ତି ।
ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପ୍ରେସ୍ ବିବୃତିରେ କୁହାଯାଇଛି ଯେ, ନେପାଳ ସମ୍ବିଧାନର ଧାରା ୭୮ (୩) ଅନୁସାରେ, ହାଉସ୍ ଅଫ୍ ରିପ୍ରେଜେଂଟେଟିଭ୍‌ରେ ସର୍ବବୃହତ ରାଜନୈତିକ ଦଳର ନେତା ହୋଇଥିବାରୁ ଓଲିଙ୍କୁ ରାଷ୍ଟ୍ରପତି ଭଣ୍ଡାରୀ ପ୍ରଧାନମନ୍ତ୍ରୀ ଭାବେ ପୁନଃନିଯୁକ୍ତ କରିଛନ୍ତି ।
ଆଜି ଶୀତଳ ନିବାସରେ ଏକ ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ଭଣ୍ଡାରୀ ଓଲିଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।
ସୂଚନା ଯୋଗ୍ୟ ଯେ, ଗତ ସୋମବାର ଦିନ ଗୃହରେ ଓଲି ଅନାସ୍ଥା ପ୍ରସ୍ତାବରେ ପରାଜିତ ହେବାରୁ ନୂଆ ସରକାର ଗଠନ ନିମନ୍ତେ ଗୁରୁବାର ରାତି ୯ଟା ସୁଦ୍ଧା ସଂଖ୍ୟାଗରିଷ୍ଠ ହେବା ଭଳି ସାଂସଦଙ୍କୁ ଏକଜୁଟ୍ କରିବା ପାଇଁ ରାଷ୍ଟ୍ରପତି ବିରୋଧୀଦଳମାନଙ୍କୁ କହିଥିଲେ । କିନ୍ତୁ, ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଦାବି କରି ପାରି ନଥିଲେ ।

Leave A Reply

Your email address will not be published.

9 + 7 =